• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ବି ୟୁକ୍ରେନ୍‌ରେ ଫସିଛନ୍ତି ଅନେକ ଛାତ୍ରଛାତ୍ରୀ । ୱାର୍ଣ୍ଣିଂ ପରେ ବି କେମିତି ଛାଡ଼ିବେ ୟୁକ୍ରେନ୍‌ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏମିତି ଲୁଚି ଲୁଚି ଦୀର୍ଘ ସାଢ଼େ ୪ ଘଣ୍ଟାରୁ ଅଧିକ ସମୟ ଚାଲି ଚାଲି ଖାରକିଭ୍‌ ଛାଡ଼ିଥିବା ଜଣେ ଓଡ଼ିଆ ପୁଅ ଓଟିଭିକୁ ଦେଇଛନ୍ତି ଛାତି ଥରା ବୟାନ୍ । କୋହଭରା କଣ୍ଠରେ କହିଛନ୍ତି ‘ଆମକୁ ରକ୍ଷା କର । ଆମକୁ ବଞ୍ଚାଅ । ଆମକୁ ଏଠାରୁ ଉଦ୍ଧାର କର’। 

ୟୁକ୍ରେନରେ ଫସିଥିବା ଓଡିଆ ଡାକ୍ତରୀ ଛାତ୍ର ଆଦିତ୍ୟ ପାତ୍ର କହିଛନ୍ତି ସେଠାକାର କଳା କାହାଣୀ । ସେ କହିଛନ୍ତି ଯୁଆଡ଼େ ଦେଖିବ ଖାଲି ବୋମା ବର୍ଷା । ଘନ ଘନ ବୋମା ମାଡ଼ର ଶବ୍ଦ ଶୁଣି କାନ ପୁରା ତାବ୍ଦା ହୋଇଗଲାଣି । ସେମାନେ ବଙ୍କର ଭିତରେ ଲୁଚି ରହିଥିଲେ । ହଠାତ୍‌ ଗତକାଲି ତାଙ୍କୁ ଖାରକିଭ୍‌ ଛାଡ଼ିବାକୁ କୁହାଯାଇଥିଲା ।

ହେଲେ ବଙ୍କର ଭିତରୁ କେମିତି ବାହାରିବେ ସେନେଇ କିଛି ସହଯୋଗ ନଥିଲା । ବଙ୍କର ବାହାରେ ହେଉଥିଲା ବୋମା ମାଡ଼ ସହ କେତେବେଳେ ମିସାଇଲ ମାଡ଼ । ଆଉ ଏହାର ପ୍ରଚଣ୍ଡ ଶବ୍ଦ ଶୁଣି ଛାତ୍ରଛାତ୍ରୀ ଆଶଙ୍କା ମଧ୍ୟରେ ରହିଥିଲେ । କିନ୍ତୁ ୱାର୍ଣ୍ଣିଂ ମିଳିଛି ମାନେ ଖାରକିଭ୍ ଛାଡ଼ିବାକୁ ତ ପଡ଼ିବ । ଆଉ ତାହା ପୁଣି ସନ୍ଧ୍ୟା ୬ଟା ସୁଦ୍ଧା ରହିଥିଲା ନିର୍ଦେଶ ।

ସେଥିପାଇଁ ଭୟ ଓ ଆତଙ୍କ ଭିତରେ ଗତକାଲି ଅପରାହ୍ନ ସାଢ଼େ ୩ଟାରେ ବଙ୍କରରୁ ବାହାରିଥିଲେ ଆଦିତ୍ୟଙ୍କ ସହ ଅନେକ ଛାତ୍ରଛାତ୍ରୀ । ସେମାନଙ୍କୁ ଖାରକିଭ୍‌ ଛାଡ଼ିବା ପାଇଁ ରାସ୍ତାରେ କିଛି ଟ୍ୟାକ୍ସି କିମ୍ବା ଅନ୍ୟ ଯାନବାହନ ମଧ୍ୟ ମିଳିନଥିଲା । ତେଣୁ ସେମାନେ ସମସ୍ତେ ଚାଲି ଚାଲି ବାହାରିଲେ । ସାଢ଼େ ୩ ଘଣ୍ଟା ଧରି ଚାଲିବା ପରେ ପେସୋଚୀନର ଏକ ସ୍କୁଲରେ ସେ ପହଞ୍ଚିଥିଲେ । ଏବେ ସେଇଠି ଆଦିତ୍ୟଙ୍କ ସହ ଅନେକ ଲୋକ ଅଛନ୍ତି । ହେଲେ କେମିତି ବର୍ଡର ଯାଏଁ ଯିବାକୁ ହେବ ସେନେଇ କିଛି ଜାଣିପାରୁ ନାହାନ୍ତି । ବର୍ଡରରେ ପହଞ୍ଚିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଆଉ ତାଙ୍କ ଆଖପାଖରେ ଏବେ ବି ମାସାଇଲ ମାଡ଼ କିମ୍ବା ବୋମା ମାଡ଼ ହେଉଥିବାର ଶବ୍ଦ ତାଙ୍କୁ ଶୁଣାଯାଉଛି ।

ସେହି ସ୍କୁଲଠାରୁ ଯିବା ନେଇ ତାଙ୍କ ପାଖକୁ କୌଣସି ପ୍ରକାର ମେସେଜ୍ ମଧ୍ୟ ଆସୁନାହିଁ । ଯେପର୍ଯ୍ୟନ୍ତ ୟୁକ୍ରେନରେ ଅଛନ୍ତି, ଆଦୌ ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି ଖୋଦ୍‌ ଆଦିତ୍ୟ । ‘ଯେମିତି ହେଉ ଦୟାକରି ଆମକୁ ତୁରନ୍ତ ବର୍ଡର ଯାଏ ନିଆଯାଉ’ ବୋଲି କୋହଭରା କଣ୍ଠରେ ନିବେଦନ କରିଛନ୍ତି ଆଦିତ୍ୟ ।

ସେପଟେ ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାର ମଧ୍ୟ କରୁଛନ୍ତି ବ୍ୟବସ୍ଥା । ପଡ଼ୋଶୀ ୪ ଦେଶରୁ ପିଲାଙ୍କୁ ଭାରତ ଆଣିବାକୁ ୪ ପ୍ରତିନିଧିଙ୍କୁ ନିଯୁକ୍ତ କରାଯାଇଛି । ପୋଲାଣ୍ଡ ପାଇଁ ବିକ୍ରମାଦିତ୍ୟ, ହଙ୍ଗେରୀ ପାଇଁ ଆରୁଷି ରାୟଙ୍କୁ ଦିଆଯାଇଛି ଦାୟିତ୍ୱ । ସେହିଭଳି ରୋମାନିଆ ପାଇଁ ବୈଶାଳୀ ମହାନ୍ତି, ସ୍ଲୋଭାକିଆ ପାଇଁ ଅନୁରାଗ ପଟ୍ଟନାୟକଙ୍କୁ କରାଯାଇଛି ନିଯୁକ୍ତ ।

ଏହି ପ୍ରତିନିଧିମାନେ ଦିଲ୍ଲୀ ରେସିଡେଣ୍ଟ କମିଶନରଙ୍କ ସହ ଯୋଗସୂତ୍ର ରକ୍ଷା କରି ଛାତ୍ରଛାତ୍ରୀଙ୍କୁ ଆଣିବେ । ଆଉ ଏଥିପାଇଁ ଯାହା ଖର୍ଚ୍ଚ ହେବ, ସେ ସଂପର୍କିତ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ଏସ୍‌ଆର୍‌ସି ।

ସେପଟେ ୟୁକ୍ରେନର ଅନ୍ୟତମ ସହର ଚେର୍ଣ୍ଣିହିଭରେ ମଧ୍ୟ ରୁଷ ମିସାଇଲ ମାଡ଼ କରିଛି । ମିସାଇଲ ମାଡ଼ ଯୋଗୁ ଏଠାରେ ଥିବା ତୈଳ ଡିପୋରେ ନିଆଁ ଲାଗି ଯାଇଛି । ଆଜି ସକାଳେ ୟୁକ୍ରେନ ସମୟ ସାଢ଼େ ୮ଟାରେ ଏହି ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି । ଏହି ହମଲାରେ ୫ ହଜାର କ୍ୟୁବିକ କ୍ଷମତା ବିଶିଷ୍ଟ ୬ଟି ଫୁଏଲ ଟ୍ୟାଙ୍କ ନଷ୍ଟ ହୋଇଯାଇଛି ।