• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆପଣ ଜାଣନ୍ତି କି, ବୋତଲ ପାଣିରେ ମଧ୍ୟ ପ୍ଲାଷ୍ଟିକ ଥାଏ । ଦୈନନ୍ଦିନ ଜୀବନରେ ପିଉଥିବା ବୋତଲ ପାଣି ଯେ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ତାହା ଭାବିବା ଭୁଲ । ସେ ମିନେରାଲ ପାଣି ହେଉ କି, ଅନ୍ୟ କିଛି । ସମସ୍ତ ବୋତଲ ପାଣିରେ କିଛି ନା କିଛି ପ୍ଲାଷ୍ଟିକ କଣିକା ରହୁଥିବା ସଦ୍ୟତମ ଗବେଷଣାରୁ ଜଣା ପଡ଼ିଛି ।

ଆମେରିକାର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଏକ ଲିଟର ବା ପ୍ରାୟ ୩୩ ଆଉନ୍ସ ପାଣି ଥିବା ବୋତଲରେ ହାରାହାରି ପ୍ରାୟ ୨,୪୦,୦୦୦ ପ୍ଲାଷ୍ଟିକ ଅଣୁ ରହିଥାଏ । ପ୍ଲାଷ୍ଟିକ ବୋତଲରେ ନାନୋପ୍ଲାଷ୍ଟିକର ଉପସ୍ଥିତି ରହିଛି ବୋଲି ଗବେଷଣାରୁ ଜଣା ପଡ଼ିଛି । ଏକ ଲିଟର ପାଣିରେ ପ୍ରାୟ ଏକ ମାଇକ୍ରୋମିଟର ବହଳର ପ୍ଲାଷ୍ଟିକ ରହିଥାଏ । ଯାହା ମଣିଷର ଗୋଟେ ଚୁଟିର ଘନତା ସହ ପ୍ରାୟ ସମାନ । ତେବେ ପ୍ଲାଷ୍ଟିକ ବୋତଲର ପାଣିରେ ଏହାଠାରୁ ମଧ୍ୟ ଅଧିକ ପରିମାଣର ପ୍ଲାଷ୍ଟିକ ରହିଥାଏ ବୋଲି ଅଧ୍ୟୟନରୁ ଜଣା ପଡ଼ିଛି ।

ତେବେ ଅଧ୍ୟୟନରୁ ଜଣା ପଡ଼ିଛି ଯେ, ମାଇକ୍ରୋପ୍ଲାଷ୍ଟିକ ଅପେକ୍ଷା ନାନୋପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରିଥାଏ । କାରଣ ନାନୋପ୍ଲାଷ୍ଟିକଗୁଡ଼ିକ ଶରୀରର କୋଷ, ରକ୍ତ ଆଦିରେ ବଡ଼ ଆରାମରେ ସାମିଲ ହୋଇ ପାରନ୍ତି । ଫଳରେ  ଆଖିକୁ ଦେଖାଯାଉନଥିବା ଏହି ଛୋଟ ଛୋଟ ପ୍ଲାଷ୍ଟିକ କଣିକା ଅଙ୍ଗକୁ ଯଥେଷ୍ଟ ପ୍ରଭାବିତ କରି ଥାଆନ୍ତି ।

ନାନୋପ୍ଲାଷ୍ଟିକ୍ ମଧ୍ୟ ପ୍ଲାସେଣ୍ଟା ଦେଇ ଗର୍ଭସ୍ଥ ଭ୍ରୁଣ ପାଖକୁ ଯାଇପାରେ । ଯାହା ଶିଶୁମାନଙ୍କ ପାଇଁ ନିତାନ୍ତ ହାନିକାରକ । ବହୁ ପୂର୍ବରୁ ଏନେଇ ଗବେଷଣା ଚାଲିଥିଲେ ମଧ୍ୟ କୌଣସି ଫଳାଫଳ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନଥିଲା । ୨୫ ଲିଟର ପାଣିକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ପ୍ରତ୍ୟେକ ଲିଟରରେ ୧,୧୦,୦୦୦ ରୁ ୩,୭୦,୦୦ କ୍ଷୁଦ୍ର ପ୍ଲାଷ୍ଟିକ୍ କଣିକା ପାଇଥିଲେ । ଏହା ମଧ୍ୟରୁ ୯୦ ପ୍ରତିଶତ ନାନୋପ୍ଲାଷ୍ଟିକ ରହିଥିଲା ।

ତେବେ ଗବେଷଣାକାରୀମାନେ ମୁଖ୍ୟତଃ ସାତୋଟି ସାଧାରଣ ପ୍ଲାଷ୍ଟିକର ପ୍ରକାରକୁ ଟାର୍ଗେଟ କରିଥିଲେ । ବିଶ୍ୱରେ ପ୍ରତିବର୍ଷ ୪୫୦ ନିୟୁତ ଟନରୁ ଅଧିକ ପ୍ଲାଷ୍ଟିକ ବାହାରି ଥାଏ । ପ୍ଲାଷ୍ଟିକ ମାଟିରେ ମିଶୁ ନଥିବାରୁ ବହୁ ପ୍ରଦୂଷଣ କରିଥାଏ । ଗତ ୨୦୨୨ରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ବୋତଲ ପାଣିରେ, ଟ୍ୟାପ ପାଣିଠାରୁ ଅଧିକ ପ୍ଲାଷ୍ଟିକ ରହିଥାଏ । ବାରମ୍ବାର ଠିପି ଖୋଲିବା ଦ୍ୱାରା ଅନେକ ପରିମାଣରେ ନାନୋପ୍ଲାଷ୍ଟିକ ପାଣିରେ ମିଶିଯାଏ । ଏହାକୁ ପିଇବା ଦ୍ୱାରା ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼େ ।