• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନେପାଳରେ ପୁଣି ବଡ଼ ଧରଣର ଭୂମିକଂପ । ମଧ୍ୟରାତ୍ରରେ ଆସିଥିବା ଭୂକଂପରେ ୭୦ରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗତକାଲି ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ନେପାଳ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଉତ୍ତର ଭାରତରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪ । ଭୂକଂପ ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର କରାଯାଇଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ଏନେଇ ନେପାଳ ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆ ଏକ୍ସ ଯୋଗେ ନିଜର ଶୋକ ପ୍ରକାଶ କରିଛନ୍ତି। ଭୂକଂପର କେନ୍ଦ୍ରସ୍ଥଳ ନେପାଳରେ ରହିଥିବା ବେଳେ ଉତ୍ତର ଭାରତରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଅଧରାତିରେ ଥରିଥିଲା ଉତ୍ତର ଭାରତ । ଦିଲ୍ଲୀ ଏନସିଆର ସମେତ ନୋଏଡ଼ା, ଗୁରୁଗ୍ରାମ, ୟୁପି ଓ ବିହାରରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଛି ।

ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକଂପର ଝଟକା ଏତେ ଜୋରରେ ଥିଲା ଯେ ଏହାକୁ ବେଶ କିଛି ସମୟ ଲାଗି ଅନୁଭୂତ କରିଥିଲେ ଲୋକେ । ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ଏହା ପରେ ଲୋକେ ଘର ଭିତରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା ।

ଲକ୍ଷ୍ନୌରେ ମଧ୍ୟ ଲୋକେ ଭୂକଂପ ଝଟକା ଅନୁଭବ କରିଛନ୍ତି । ଲୋକେ ଶୋଇବାକୁ ଯାଉଥିବା ବେଳେ ଏହି ଝଟକା ଆସିଥିଲା । ଏହା ପରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଚାଲିଆସିଥିଲେ । ପୁଣି ଥରେ ଝଟକା ଆସିବା ଆଶଙ୍କାରେ ଲୋକେ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଭୂକଂପ ଯୋଗୁଁ ଭାରତରେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ଏହା ପୂର୍ବରୁ ଗତ ଅକ୍ଟୋବର ୨୨ତାରିଖରେ ମଧ୍ୟ ଦିଲ୍ଲୀରେ ଭୂକଂପ ଝଟକା ଆସିଥିଲା । ସେତେବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା । ..