• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ବ୍ୟାପୁଛି ବନାଗ୍ନି । ଶୁକ୍ରବାରଠାରୁ ଦେଶର ମଧ୍ୟଭାଗର ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ଜଙ୍ଗଲ ନିଆଁ ଜନବସତି ସ୍ଥାନକୁ ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଅଗ୍ନିକାଣ୍ଡରେ ଏଯାଏ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଘର ଜଳିପୋଡି ନଷ୍ଟ ପୋଡି ପାଉଁଶ ହୋଇଯାଇଛି । ଚିଲିର ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଏହି ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତି ଗାର୍ବିଏଲ ବୋରିକ୍ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିବା ବେଳେ ଲୋକମାନଙ୍କୁ ସତର୍କ ରହିବା ସହ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଭୟଙ୍କର ଅଗ୍ନିକାଣ୍ଡ ଲଗାତାର ଭାବେ ବ୍ୟାପିବାରେ ଲାଗିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଚିଲିର ଅବସ୍ଥା ଲଗାତାର ଭାବେ ଖରାପ ହେବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି । ଫାୟାରଫାଇଟର୍ସ ହେଲିକପ୍ଟର ଓ ଟ୍ରକ୍ ମାଧ୍ୟମରେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ଭାଲପାରାଏଜୋ ରାଜ୍ୟରେ ୪ଟି ସ୍ଥାନରେ ଭୟଙ୍କର ନିଆଁ ବ୍ୟାପିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ରାଷ୍ଟ୍ରପତି ଆଶଙ୍କା କରିଛନ୍ତି । ଭାଲପାରାଏଜୋରେ ନିଆଁକୁ ଆୟତ୍ତ କରିବା ପାଇଁ ୧୯ଟି ହେଲିକାପ୍ଟର ଓ ୪୫୦ରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଛି । ନିଆଁ ବ୍ୟାପିବା ଯୋଗୁଁ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ଚିଲିର ଗୃହ ମନ୍ତ୍ରୀ କାରୋଲିନା ଟୋହା କହିଛନ୍ତି, ଦେଶର ମଧ୍ୟ ଓ ଦକ୍ଷିଣରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୨ଟି ଜଙ୍ଗଲରେ ନିଆଁ ଲାଗିଛି। ଶନିବାର ଅପରାହ୍ନ ସୁଦ୍ଧା ୪୩,୦୦୦ ହେକ୍ଟର ଜଙ୍ଗଲ ପାଉଁଶ ହୋଇଯାଇଛି । ଯେଉଁଥିପାଇଁ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଲୋକମାନଙ୍କୁ ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ ।

ଚିଲିର ଜଙ୍ଗଲରେ ନିଆଁ ଲାଗିବା ସାଧାରଣ ଘଟଣା । ବର୍ତ୍ତମାନ ସମଗ୍ର ସହର ଧୂଆଁରେ ପରିପୂର୍ଣ୍ଣ । ଅଗ୍ନିକାଣ୍ଡ ଯୋଗୁଁ ଶହ ଶହ ପରିବାର ଏବେ ବାସହୀନ । ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ବାହାରେ । ତେବେ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ଧାର କାର୍ଯ୍ୟ ଚାଲିଛି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି ।