• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆବୁଧାବି ଅନ୍ତାର୍ଜାତୀୟ ବିମାନବନ୍ଦର ନିକଟରେ ଡ୍ରୋନ୍ ଆକ୍ରମଣ । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ । ବିସ୍ଫୋରଣରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ମୃତ । ବିସ୍ଫୋରଣରେ ଆଉ ୬ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା । ଏହାସହ ଅନ୍ୟ କ’ଣ ସବୁ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । କିନ୍ତୁ ୟେମେନରେ ଥିବା ଇରାନ ସମର୍ଥିକ ଇହୁଦି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏପରି ଆକ୍ରମଣ କରାଯାଇଥିବା ଦାବି କରାଯାଇଛି ।

 

ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ୨୪ରେ ୟୁଏଇର ଦୁଇଟି ବିଶାଳ ତେଲ ଟାଙ୍କି ଉପରେ ସମାନ ଧରଣର ହମଲା ହୋଇଥିଲା । ଏହା ପଛରେ ଇହୁଦି ବିଦ୍ରୋହୀ ଗୋଷ୍ଠୀଙ୍କର ହାତ ଥିଲା । ଆଜି ମଧ୍ୟ ସଂଗଠନ ହମଲା ପାଇଁ ନିଜକୁ ଦାୟୀ କରିଛି ।

ଆଜିର ଆକ୍ରମଣ ସମ୍ପର୍କରେ ୟୁଏଇ ପୋଲିସ୍‌ କହିଛି, ୩ଟି ତେଲ ଟ୍ୟାଙ୍କର୍‌ରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଛି । ୟୁଏଇର ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥାନରେ ମଧ୍ୟ ନିଆଁ ଲାଗିଯାଇଛି । ଡ୍ରୋନ ଦ୍ୱାରା ବିଦ୍ରୋହୀମାନେ ଏପରି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏବେ ଉଦ୍ଧାର ଓ ନିଆଁ ଲିଭା କାମ ଚାଲିଛି। ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ପୋଲିସ୍‌ ପକ୍ଷରୁ ଜାରି ବିବୃତିରେ ଏହା କୁହାଯାଇଛି ।

ଅନ୍ୟପଟେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଇ-ଇନ ଏବେ ୟୁଏଇ ଗସ୍ତରେ ଅଛନ୍ତି । ରବିବାର ୟୁଏଇର ପ୍ରଧାନମନ୍ତ୍ରୀ ଓ ଦୁବାଇ ଶାସନ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ସହ ମୁନ ଜାଇ-ଇନ ବୈଠକ କରିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ, ଦକ୍ଷିଣ କୋରିଆ ଠାରୁ ୟୁଏଇ ୩.୫ ବିଲିୟନ ଡଲାର ଦେଇ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଯିବାର କ୍ଷମତା ରଖିଥିବା ମିଶାଇଲ କିଣିବ। ଏହି ଚୁକ୍ତିର ଦିନକ ପରେ ହିଁ ଏଭଳି ଡ୍ରୋନ ଆଟାକ୍‌ ହୋଇଛି ।