ମାଲିର ଏକ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇ ଫସି ଯାଇଛନ୍ତି ଭାରତୀୟ ନାଗରିକ । ଏକ ସିମେଣ୍ଟ କମ୍ପାନୀରେ କାମ କରିବାକୁ ଯାଇଥିବା ତିନି ଜଣ ଭାରତୀୟ ନାଗରିକଙ୍କୁ ମାଲିରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା ଦ୍ୱାରା ଅପହରଣ କରାଯାଇଛି । ପଶ୍ଚିମ ମାଲିର କାଏସରେ ଥିବା ଏକ ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରିରେ ସଶସ୍ତ୍ର ଆକ୍ରମାଣକାରୀମାନେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ସେହି ଲୋକମାନଙ୍କୁ ନିଜ କବ୍ଜାକୁ ନେଇ ଯାଇଥିଲେ । ଏହି ଆକ୍ରମଣ ପଛରେ ଅଲ-କାଏଦା ଆତଙ୍କୀ ସଙ୍ଗଠନର ଏକ ଶାଖା ନୁସରତ ଅଲ-ଇସଲାମ ୱାଲ-ମୁସଲିମିନର ହାତ ଥିବା ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଯୁଦ୍ଧ ଆଶଙ୍କା...ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଫତୱା
ଏହି ଆକ୍ରମଣକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କଡା ନିନ୍ଦା କରିବା ସହ ଅପହୃତ ନାଗରିକମାନଙ୍କୁ ତୁରନ୍ତ ଓ ନିରାପଦ ଭାବେ ଉଦ୍ଧାର କରିବା ପାଇଁ ମାଲି ସରକାରଙ୍କୁ ଅନୁରୋଧ କରିଛି । ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଏହି ଆକ୍ରମଣ ଜୁଲାଇ ୧ରେ ଘଟିଥିଲା । ଏକ ଫ୍ୟାକ୍ଟ୍ରି ଉପରେ ସମ୍ମିଳିତ ଆକ୍ରମଣ କରିଥିଲେ ସଶସ୍ତ୍ରଧାରୀ । ଭାରତ ଏହାକୁ ଦୃଢ ନିନ୍ଦା କରିବା ସହ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମାଲି ସରକାରଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛି ।
Also Read
ମାଲି ସରକାରଙ୍କ ସହ ରାଜଧାନୀ ବାମାକୋରେ ଥିବା ଭାରତୀୟ ଦୂତାବାସ ନିରନ୍ତର ଯୋଗାଯୋଗରେ ଅଛି । ଅପହୃତ ହୋଇଥିବା ନାଗରିକଙ୍କ ପରିବାରକୁ ଏ ସମ୍ପର୍କରେ ଜଣା ଯାଇଛି । ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।
ଅନ୍ୟପଟେ ମନ୍ତ୍ରାଳୟ ପକ୍ଷରୁ ମାଲିରେ ରହୁଥିବା ଭାରତୀୟ ନାଗରିକଙ୍କୁ ସତର୍କତାର ସହିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ଅପହୃତ ନାଗରିକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ସୂଚନାଯୋଗ୍ୟ, ମାଲି ଏକ ପଶ୍ଚିମ ଆଫ୍ରିକୀୟ ଦେଶ । ଏହି ଦେଶକୁ ଚାରିପଟୁ ଭୂମି ଘେରି ରହିଛି । ଏହା ଆଫ୍ରିକାରେ ଅଷ୍ଟମ ସର୍ବବୃହତ ରାଷ୍ଠ୍ର । ଏହାର ଉତ୍ତରରେ ଆଲଜେରିଆ, ପୂର୍ବରେ ନାଇଜର, ଉତ୍ତର-ପଶ୍ଚିମରେ ମରିସାନିଆ, ଦକ୍ଷିଣରେ ବୁର୍କିନା ଫାସୋ ଓ ଆଇଭୋରୀ କୋଷ୍ଟ ଏବଂ ପଶ୍ଚିମରେ ଗିନିଆ ଓ ସେନେଗାଲ ରହିଛି । ଏହାର ରାଜଧାନୀ ହେଉଛି ବାମାକୋ । ଏଠାରେ ୧୩ ପ୍ରକାର ଭାଷା ବ୍ୟବହାର କରାଯାଇଥାଏ, କିନ୍ତୁ ବାମ୍ବାରା ଏଠାକାର ମୁଖ୍ୟ ଭାଷା ।