/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751355789.jpg)
ଟ୍ରମ୍ପଙ୍କ ବଡ଼ ବୟାନ
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ। ଇରାନର ଶୀର୍ଷ ସାମରିକ କମାଣ୍ଡର ଅବଦୁଲ ରହିମ ମୁସାଭି ଏ ନେଇ ଆଶା ଆଶଙ୍କାରେ ରହିଛନ୍ତି। ଯଦି ଇସ୍ରାଏଲ ଯୁଦ୍ଧବିରତି ଉଲ୍ଲଂଘନ କରି ଆକ୍ରମଣ କରେ, ତେବେ ଇରାନର ସେନା ମଧ୍ୟ ପ୍ରତିଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ମୁସାଭି। ଜୁନ୍ ୧୩ରୁ ୨୪ ଜୁନ୍ ପର୍ଯ୍ୟନ୍ତ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଦେଖାଯାଇଥିଲା। ଏହି ଆକ୍ରମଣରେ ଇରାନ ସେନାର ଅନେକ ଶୀର୍ଷ କମାଣ୍ଡର ଏବଂ ପ୍ରମୁଖ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା।
ଏହା ପରେ ଇରାନ ତେଲ ଅଭିଭ ଏବଂ ଇସ୍ରାଏଲର ଅନ୍ୟାନ୍ୟ ପ୍ରମୁଖ ସହର ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବର୍ଷା ମଧ୍ୟ କରିଥିଲା। ଇରାନ ଏବଂ ଇସ୍ରାଏଲ ପରସ୍ପର ଉପରେ କରିଥିବା ଆକ୍ରମଣରେ ବହୁ ପରିମାଣର ଜୀବନ ଏବଂ ସମ୍ପତ୍ତି କ୍ଷତି ହୋଇଛି। ଇରାନ ସବୁବେଳେ ଶାନ୍ତି ବିଷୟରେ କଥାବାର୍ତ୍ତା କରିଆସିଛି। ସାମ୍ପ୍ରତିକ ଯୁଦ୍ଧ ଆରମ୍ଭ କରିବାରେ ଇରାନର କୌଣସି ଭୂମିକା ନଥିଲା। ଇରାନ ଉପରେ ଇସ୍ରାଏଲ ହଠାତ୍ ଆକ୍ରମଣ କରିବାରୁ ଆମେ ଯୁଦ୍ଧ କଲୁ ବୋଲି ମୁସାଭି ସ୍ପଷ୍ଟ କରିଛନ୍ତି।
ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି
ଇରାନ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା । ଏବେ ଅସ୍ତ୍ର ବିରତି ରହିଛି। ତଥାପି ଇରାନ୍ ଚୁପ୍ ହୋଇ ବସିବା ରାଷ୍ଟ୍ର ନୁହେଁ। ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ଲାଗି ରହିଛି। ସେହିପରି ଇରାନ୍, ଇସ୍ରାଏଲ ଓ ଆମେରିକା ମଧ୍ୟରେ କିଛି ବି ଠିକ୍ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଇରାନ୍ ଫତୱା ଜାରି କରିଛି । ଏଥିରେ ଦୁହିଁଙ୍କୁ ଈଶ୍ୱରଙ୍କ ଶତ୍ରୁ ବୋଲି କହିଛନ୍ତି । ଫତୱା ହେଉଛି ଜଣେ ବରିଷ୍ଠ ଇସଲାମିକ ବିଦ୍ୱାନଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଆନୁଷ୍ଠାନିକ ଧାର୍ମିକ ମତ। ସିଆ ଇସଲାମରେ ଏହାକୁ ମାର୍ଜା କୁହାଯାଇଥାଏ । ଏହା ଏକ ଆଇନଗତ ନିଷ୍ପତ୍ତି ନୁହେଁ। ଇସ୍ରାଏଲ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କଲା । ଇରାନ ଏବଂ ଇସ୍ରାଏଲ ଯୁଦ୍ଧରେ ଆମେରିକା ମଧ୍ୟ ଅନଧିକାର ପ୍ରବେଶ କଲା। ଇରାନର ପରମାଣୁ ଘାଟି ଉପରେ ମଧ୍ୟ ଆକ୍ରମଣ କରିଥିଲା ଆମେରିକା । ଇରାନ ମଧ୍ୟ ଆମେରିକାକୁ ଜବାବ ଦେଇଥିଲା । ଏହା ପରେ ଇରାନ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହୋଇଥିଲ। କିନ୍ତୁ ଏହି ରାଷ୍ଟ୍ରଗୁଡ଼ିକ ଏତେ ସହଜରେ ଶାନ୍ତି ପାଇଁ ଆଲୋଚନା କରନ୍ତି ନାହିଁ। ଯୁଦ୍ଧ ଦ୍ବାରା ଏମାନେ ସବୁକିଛି ହାତେଇବାକୁ ଚେଷ୍ଟା କରନ୍ତି। ତେଣୁ ପୁଣି ଏମାନେ କେଉଁ ମୂହୁର୍ତ୍ତରେ ଯୁଦ୍ଧକୁ ଲମ୍ଫ ଦେଇପାରନ୍ତି।
ୟୁକ୍ରେନ ଉପରେ ପୁଣି ଆକ୍ରମଣ କଲା ରୁଷ
ଦୀର୍ଘ ତିନି ବର୍ଷ ଧରି ଚାଲୁଥିବା ଯୁଦ୍ଧ ପୁଣି ସଞ୍ଜୀବନୀ ପାଇଛି। ୟୁକ୍ରେନ୍ ଉପରେ ପୁଣି ଆକ୍ରମଣ କରିଛି ରୁଷ୍। ରୁଷର ଏହି ଆକ୍ରମଣ ପରେ ତିନି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧ ଆହୁରି ଭୟଙ୍କର ରୂପ ନେଇଛି। ସେଥିପାଇଁ କୁହାଯାଏ ଶତ୍ରୁ ରାଷ୍ଟ୍ରକୁ କେବେ କୌଣସି ପରିସ୍ଥିତିରେ ଦୁର୍ବଳ ବୋଲି ଭାବିବନି। ୟୁକ୍ରେନ ଅଧିକାରୀଙ୍କ କହିବାନୁସାରେ ଏହି ଆକ୍ରମଣରେ ଅନେକ କ୍ଷତି ହୋଇଛି। ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାବେଳେ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ରହିଛି । ୟୁକ୍ରେନ୍ର ବାୟୁସେନା ରିପୋର୍ଟ ଅନୁସାରେ, ରୁଷ କିଭ ଉପରେ ମୋଟ ୪୭୭ ଡ୍ରୋନ୍ ଏବଂ ୬୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ୟୁକ୍ରେନୀୟ ସେନା ୨୪୯ଟି ଡ୍ରୋନ୍କୁ ଖସାଇ ଦେଇଛି।
ଟ୍ରମ୍ପ୍ ଆମେରିକାକୁ ଧ୍ୱଂସ କରିବେ : ଏଲନ୍ ମସ୍କ
ଏଲନ ମସ୍କ ଟ୍ରମ୍ପଙ୍କ ‘ବିଗ୍ ବିୟୁଟିଫୁଲ୍ ବିଲ୍’କୁ ଦେଶ ପାଇଁ ବିପର୍ଯ୍ୟୟକାରୀ ବୋଲି କହିଛନ୍ତି। ଏହା ଲକ୍ଷ ଲକ୍ଷ ଚାକିରି ନଷ୍ଟ କରିବ ଏବଂ ରଣନୈତିକ ଭାବରେ ଆମେରିକାକୁ ଦୁର୍ବଳ କରିବ ବୋଲି କହିଛନ୍ତି। ଟ୍ରମ୍ପ୍ଙ୍କ ବିଲ୍ ଦେଶକୁ ନଷ୍ଟ କରିଦେବ ବୋଲି ଏଲନ୍ ମସ୍କ କହିଛନ୍ତି। ଏହାର ଆଗମନ ସହିତ, ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଚାକିରି ହରାଇବେ, ଏହା ଦେଶକୁ ରଣନୈତିକ ଭାବରେ ଦୁର୍ବଳ ମଧ୍ୟ କରିଦେବ। ଏଲନ ମସ୍କଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସିନେଟରେ ଏହି ୧୦୦୦ ପୃଷ୍ଠାର ବିଲ୍ ଉପରେ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ ଏହି ବିଲ୍ ପାସ୍ କରିବା ପାଇଁ ୪ ଜୁଲାଇ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି।
ଅଟା ବସ୍ତାରେ ଇସ୍ରାଏଲ ମିଶାଉଛି ପ୍ରାଣଘାତୀ ମେଡିସିନ। ଏହି ଅଟାବସ୍ତା ଗୁଡ଼ିକ ଆମେରିକାରୁ ଆସୁଛି। ପାଲେଷ୍ଟାଇନ ପ୍ରଶାସନର ଏହି ସଙ୍ଗୀନ ଅଭିଯୋଗ ପରେ ଗାଜାବାସୀ ଆତଙ୍କିତ। ଆମେରିକୀୟ ସହାୟତା କେନ୍ଦ୍ରଗୁଡ଼ିକରେ ବଣ୍ଟାଯାଉଥିବା ଅଟା ବସ୍ତାରେ ମିଳିଛି ‘ଅକ୍ସିକୋଡୋନ୍’ ନାମକ ଏକ ଔଷଧ। ଏହି ଔଷଧ ଜାଣିଶୁଣି ଅଟାରେ ମିଶାଯାଇଥିବା ଦାବି କରିଛି ଗାଜା ପ୍ରଶାସନ। ଯୁଦ୍ଧ ହାରି ମଧ୍ୟ ଇରାନ ଓ ଖାମେନି କାହିଁକି ବାରମ୍ବାର ନିଜକୁ ବିଜେତା ବୋଲି ଘୋଷଣା କରୁଛନ୍ତି । ଯଦି ଆମେରିକା ନଥାନ୍ତା ତେବେ ଖାମେନି ଇସ୍ରାଏଲ ଦ୍ୱାରା ନିହତ ହୋଇଥାନ୍ତେ। ଆମେରିକା ତାଙ୍କୁ ଭୟଙ୍କର ମୃତ୍ୟୁରୁ ରକ୍ଷା କରିଛି । ଖାମେନି କୃତଜ୍ଞ ହେବା ପରିବର୍ତ୍ତେ ବିରୋଧ ପ୍ରଦର୍ଶନ କରୁଛନ୍ତି ବୋଲି ଟ୍ରମ୍ପ କହିଥିଲେ। ଏହା ଫଳରେ ଇସ୍ରାଇଲ ଭୟଙ୍କର ଭାବେ ରାଗିଯାଇଛି। କେଉଁ ମୂହୁର୍ତ୍ତରେ କିଛି ବି କରିପାରେ।
Email id : [email protected]
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)