• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ଥମିବାର ନାଁ ଧରୁନି । ଆଜକୁ ପ୍ରାୟ ୯ ମାସ ଧରି ୟୁକ୍ରେନ୍‌ ଆକାଶରୁ ନିଆଁ ବର୍ଷୁଛି । ଧମାଧମ ମିସାଇଲ ମାଡ଼ କରୁଛି ଋଷିଆ । ହଜାର ହଜାର ଲୋକଙ୍କ ଜୀବନ ଯିବା ସହ ଅନେକ ଧନ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଗଲାଣି ଏହି ଯୁଦ୍ଧରେ । ଖୁବ୍‌ କମ୍‌ ସମୟ ମଧ୍ୟରେ ୟୁକ୍ରେନ୍‌କୁ ଧୂଳି ଚଟାଇ ଋଷିଆ ବିଜୟ ଧ୍ୱଜା ଉଡ଼ାଇବ ବୋଲି ପୁରା ବିଶ୍ୱ ଜାଣିସାରିଥିଲା । କିନ୍ତୁ ତାହା ହେଲା ନାହିଁ । ଯାହା ଆଶା କରାଯାଉଥିଲା କେତେକାଂଶରେ ତାହା ସତ ହୋଇଥିଲେ ମଧ୍ୟ ବାସ୍ତବରେ ଏହାର ବିପରୀତ ଘଟଣା ଏବେ ସାମ୍ନାକୁ ଆସୁଛି ।

ଦିନେ ଋଷିଆ ବି କହୁଥିଲା ଚୁଟ୍‌କିରେ ୟୁକ୍ରେନ୍‌କୁ ହରାଇଦେବ । ହେଲେ ଦୀର୍ଘ ୯ ମାସ ହେଲାଣି ବିଜୟ ପାଇଁ ନାକ ରଗଡ଼ିସାରିଲାଣି ଋଷିଆ । କୁନି ଦେଶ ୟୁକ୍ରେନ୍‌ ନିଜର ବୁଦ୍ଧି ଓ କୌଶଳ କ୍ରମେ ଏବେ ବି ଲଢ଼େଇ ଜାରି ରଖିଛି । ଆଉ ବାରମ୍ବାର ଋଷ ଭଳି ଶକ୍ତିଶାଳି ସେନାକୁ ଜବରଦସ୍ତ ଝଟ୍‌କା ଦେବାରେ ଲାଗିଛି ।

ଏବେ ପୁଣି ଥରେ ସେମିତି ଋଷ ସେନାକୁ ଜବରଦସ୍ତ ଝଟ୍‌କା ଦେଇଛି ୟୁକ୍ରେନ୍‌ । ଏକାଥରେ ୧୦୦୦ରୁ ଅଧିକ ଋଷ ସୈନିକଙ୍କ ଜୀବନ ନେଇଛି ୟୁକ୍ରେନ୍ ସେନା । ମାତ୍ର ୨୪ ଘଣ୍ଟାରେ ଏଭଳି ଏକ ବିରାଟ କାଣ୍ଡ ଭିଆଇଛି । ଏନେଇ ୟୁକ୍ରେନ୍‌ ପକ୍ଷରୁ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୪ ଘଣ୍ଟାରେ ଋଷର ୧୦୦୦ରୁ ଅଧିକ ସୈନ୍ୟଙ୍କୁ ଧୂଳି ଚଟାଇଛନ୍ତି ୟୁକ୍ରେନ୍‌ ସେନା । ଆଉ ଏହା ହେଉଛି ଏକ ବଡ଼ ରେକର୍ଡ । ର୍ପୂବରୁ ଏମିତି କେବେ ହୋଇନଥିଲା । ଦୀର୍ଘ ୯ ମାସର ସଂଘର୍ଷ ମଧ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଋଷ ସୈନିକଙ୍କୁ ମାରିବାରେ ୟୁକ୍ରେନ୍‌ ସଫଳ ହୋଇନଥିଲା ।

ତେବେ ମିଳିଥିବା ଖବର ଅନୁଯାୟୀ, ଯେଉଁ ସ୍ଥାନରେ ଋଷ ସେନା ଉପରେ ଆକ୍ରମଣ କଲା ୟୁକ୍ରେନ୍‌ ସେନା, ସେଠାରେ ଋଷିୟ ସୈନିକମାନେ ନିରସ୍ତ୍ର ଥିଲେ । ତାହା ସେମାନଙ୍କର ଏକ ବେସ୍‌ କ୍ୟାମ୍ପ ଭଳି ରହିଥିଲା । ଆଉ ନିରସ୍ତ୍ର ଥିବା ବେଳେ ୟୁକ୍ରେନ୍ ସେନା ଚାରିଆଡ଼ୁ ଆଖିବୁଜା ଆକ୍ରମଣ କରିଥିଲା । ଯାହାଫଳରେ ଋଷକୁ ବିରାଟ କ୍ଷତି ସହିବାକୁ ପଡ଼ିଛି । ୟୁକ୍ରେନ୍‌ର ସରକାରୀ ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ୭୧ ହଜାର ୨୦୦ରୁ ଅଧିକ ଋଷ ସୈନ୍ୟଙ୍କୁ ନିହତ କରିସାରିଲାଣି ୟୁକ୍ରେନ୍‌ ।

ଅନ୍ୟପଟେ ଏଭଳି ଯୁଦ୍ଧ ବିଭିଷିକା ମଧ୍ୟରେ ବାହାର ଦେଶରୁ ଯାଇ ୟୁକ୍ରେନ୍‌ରେ ବସବାସ କରୁଥିବା ଲୋକମାନେ ୟୁକ୍ରେନ୍‌ ଛାଡ଼ି ସାରିଲେଣି । ଖାଲି ସେତିକି ନୁହେଁ ଖୋଦ୍‌ ୟୁକ୍ରେନ୍‌ବାସୀ ମଧ୍ୟ ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ପଶିଲେଣି ।