• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ନିଜର ସ୍ନାତକ ଡିଗ୍ରୀକୁ ନିଜ ମାଆଙ୍କୁ ସମର୍ପିତ କରୁଛନ୍ତି । ଏହି ଭିଡିଓ ଇନଷ୍ଟାଗ୍ରାମରେ 'goodnews_movement' ପେଜ୍‌ରେ ସେୟାର କରାଯାଇଛି । ହୃଦୟକୁ ଛୁଇଁଲା ଭଳି ଏହି ଭିଡିଓକୁ ଏବେ ସୁଦ୍ଧା ୩.୨ ମିଲିୟନ୍‌ରୁ ଅଧିକ ଥର ଦେଖାଯାଇଛି । ଏହାସହ ୨୦ ଲକ୍ଷରୁ ଅଧିକ ଲାଇକ୍‌ ମଧ୍ୟ ଭିଡିଓକୁ ମିଳି ସାରିଛି ।

ଭିଡିଓରେ ଆଣ୍ଟୋନିଓ ଚାଭେକ୍ସ ନାମକ ଜଣେ ମେକ୍ସିକାନ ଯୁବକ ରହିଛନ୍ତି । ଯିଏ କି ସ୍ନାତକ ପାସ୍‌ କରିଛନ୍ତି । ଆଉ କଲେଜର ସ୍ନାତକ ସମାରୋହ ସରିବା ପରେ ଯୁବକ ଜଣକ ନିଜ ମାଆଙ୍କ ପାଖକୁ ଆସିଛନ୍ତି । ଆଉ ପୁଅକୁ ଦେଖି ମାଆଙ୍କ ଆଖି ଲୁହରେ ଛଳ ଛଳ ହୋଇପଡ଼ିଛି । କାରଣ ତାଙ୍କ ପୁଅ ଆଜି ସ୍ନାତକ ପାସ କରିଛି । ଏହି ଖୁସିରେ ମାଆଙ୍କ ଆଖିରୁ ଲୁହ ଆପେ ଆପେ ଝରି ଆସୁଛି । ପୁଅକୁ ସ୍ୱାଗତ ଜଣାଇବା ପାଇଁ ମାଆଙ୍କ ହାତରେ ଏକ ଫୁଲ ତୋଡ଼ା ମଧ୍ୟ ରହିଛି । 

ଖାଲି ସେତିକି ନୁହେଁ, ଭିଡିଓରେ ଦେଖାଯାଇଛି ଯେ, ପୁଅ ନିଜ ମାଆଙ୍କ ପାଖକୁ ଆସି ସ୍ନାତକ ପାସ୍‌ କରିବା ପରେ ମିଳିଥିବା ଟୋପି ମାଆଙ୍କୁ ସମର୍ପିତ କରୁଛନ୍ତି । ଏହାସହ ତାଙ୍କ କାନ୍ଧରେ ପଡ଼ିଥିବା ଦୁଇଟି ଉତ୍ତରୀୟକୁ ମଧ୍ୟ ନିଜ ମାଆଙ୍କୁ ପ୍ରଦାନ କରିଛନ୍ତି ଆଣ୍ଟୋନିଓ । ଏହାସହ ନିଜେ ପିନ୍ଧିଥିବା ଗାଉନ୍‌ ମଧ୍ୟ ମାଆଙ୍କୁ ପିନ୍ଧାଉଛନ୍ତି । ଆଉ ଶେଷରେ ମାଆଙ୍କୁ ଆଲିଙ୍ଗନ କରିଛନ୍ତି ପୁଅ । ତେବେ ଏଭଳି ଏକ ଇମୋସ୍ନାଲ ଭିଡିଓ ଦେଖିବା ପରେ ସମସ୍ତେ ବାହା ବାହା କହୁଛନ୍ତି । ମାଆ ପୁଅର ସମ୍ପର୍କକୁ ଅନେକ ପ୍ରଶଂସା ମିଳିଛି ।