• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଓ୍ୱି ଓ୍ୱିଲ୍ ନେଭର ଫରଗେଟ୍, ନେଭର୍ ଫରଗିଭ’ । ‘ଆମେ ଭୁଲିବୁ ନାହିଁ କି କାହାକୁ କ୍ଷମା କରିବୁ ନାହିଁ’ । ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରିପ୍ରେକ୍ଷୀରେ ଏହା କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍‌ସ୍କି । ସେ କହିଛନ୍ତି, ଆମ ମାଟିରେ ଯେଉଁମାନେ ଏହି ଧ୍ୱଂସଲୀଲା ରଚିଛନ୍ତି, ଶହ ଶହ ଲୋକଙ୍କୁ ଜାଣିଶୁଣି ହତ୍ୟା କରିଛନ୍ତି, ସେମାନଙ୍କୁ କେବେ ବି କ୍ଷମା ଦିଆଯିବ ନାହିଁ । ସମସ୍ତଙ୍କୁ ଦଣ୍ଡ ମିଳିବ । କବର ଛଡ଼ା ପୃଥିବୀର ଆଉ କୌଣସି ସ୍ଥାନରେ ଶାନ୍ତି ରହିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଜେଲେନ୍‌ସ୍କି ।

ଆଜିର ଅସ୍ତ୍ର ବିରତି ଘୋଷଣା ପୂର୍ବରୁ ରାଜଧାନୀ କିଭ୍ ସମେତ ସବୁ ବଡ଼ ବଡ଼ ସହରରେ ଜଳ, ସ୍ଥଳ, ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ କରିଥିଲା ରୁଷିଆ । ସେପଟେ ପାଶ୍ଚାତ୍ୟ ଦେଶ ପକ୍ଷରୁ ରୁଷିଆ ଉପରେ କଟକଣା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ରୁଷିଆରୁ ତେଲ ଆମଦାନୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇପାରେ ୟୁରୋପ ।

ତେବେ ୟୁକ୍ରେନ ଆକାଶକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ୟୁରୋପୀୟ ସଂଘ ମନା କରିଦେଇଛି । ନଚେତ୍‌ ତୃତୀୟ ବିଶ୍ୱଯୁଦ୍ଧକୁ ଏଡ଼ାଇ ଦିଆଯାଇନପାରେ ବୋଲି କହିଛନ୍ତି ଆମେରିକାର ସିନେଟର ମାର୍କୋ ରୁବିଓ । ପୁତିନ ଧମକ ଦେଇଥିଲେ ଯେ, ୟୁକ୍ରେନରେ ଯିଏ ନୋ ଫ୍ଲାଏ ଜୋନ୍ ଘୋଷଣା କରିବ, ସେ ଏହି ଯୁଦ୍ଧରେ ସାମିଲ ହେଲା ବୋଲି ଧରାଯିବ । ତାକୁ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ ।

ସେପଟେ ୧୨ ଦିନରେ ପହଞ୍ଚିଛି ରୁଷ୍-ୟୁକ୍ରେନ ଯୁଦ୍ଧ । ସୀମାରୁ ଆରମ୍ଭ ଯୁଦ୍ଧ ଏବେ ସହରମୁହାଁ । ରାଜରାସ୍ତାରେ ଚାଲିଛି ଗରିଲା ଫାଇଟ । ଯଦିଓ ସୁପରପାଓ୍ୱାର ରୁଷ ଆଗରେ ୟୁକ୍ରେନ ସେନା ପାସଙ୍ଗରେ ପଡିବନି, ମାତ୍ର ଯୁଦ୍ଧ ଆରମ୍ଭ ଦିନରୁ ହିଁ କଡ଼ା ଟକ୍କର ଦେଇଆସିଛି । ଏହାରି ଭିତରେ ୟୁକ୍ରେନର ରାଜଧାନୀ କିଭ, ଖାରକିଭ ଭଳି ସହର ଛାରଖାର ହୋଇଗଲାଣି ।

ତେବେ ଯୁଦ୍ଧରେ ୧୧ ହଜାର ରୁଷ ସୈନ୍ୟ ନିହତ ହୋଇଥିବା ଦାବି କରିଛି ୟୁକ୍ରେନ । ସେହିପରି ରୁଷର ୪୬ ପ୍ଲେନ୍, ୬୮ ଚପର, ୯୯୯ ଯୁଦ୍ଧାସ୍ତ୍ର ପରିବହନକାରୀ ଗାଡ଼ି, ୨୯୦ଟି ଟ୍ୟାଙ୍କ, ୪୫ ରକେଟ ଲଞ୍ଚର ଉଡାଇ ଦେଇଥିବା ଦାବି କରିଛି ଯୁକ୍ରେନ । ସେପଟେ ୨୧୧୯ ୟୁକ୍ରେନୀୟ ସୈନ୍ୟଙ୍କୁ ମାରିଥିବା ଦାବି କରିଛି ରୁଷ । ଏହାସହ ୯୦ଟି ଜେଟ୍, ୭୪୮ ଟ୍ୟାଙ୍କ, ୭୬ ରକେଟ ଲଞ୍ଚର, ୫୩୨ ମିଲିଟାରୀ ଗାଡ଼ି, ୨୭୪ ଆର୍ଟିଲାରି ୟୁନିଟ ଏବଂ ୨୧୦୦ ମିଲିଟାରୀ ଆଉଟପୋଷ୍ଟ ଉଡାଇଥିବା ରୁଷ ଦାବି କରିଛି ।

ଏହାସହ ଶୂନ୍‌ଶାନ୍ ପାଲଟି ଯାଇଛି ୟୁକ୍ରେନ୍‌ର ରାଜଧାନୀ କିଭ୍ ସହର । ଚାରିଆଡ଼େ ବିରାଜୁଛି ଅସମ୍ଭବ ନୀରବତା । ସହରର ମୁଖ୍ୟ ରାସ୍ତାରେ କାଁ ଭାଁ ଗାଡ଼ି ଚାଲୁଛି, କିନ୍ତୁ ଅନେକ ସଡ଼କରେ ଲୋକ ଦେଖିବାକୁ ମିଳୁନାହାନ୍ତି । ରୁଷିଆ ଆକ୍ରମଣ ଭିତରେ କିଭ୍ ସହର ଛାଡ଼ି ଅନ୍ୟତ୍ର ପଳାଇଲେଣି ୟୁକ୍ରେନ୍ ବାସିନ୍ଦା । ଏପରିକି ଅନ୍ୟ ଦେଶର ନାଗରିକ ବି କିଭ୍ ଛାଡ଼ି ପଳାଇଛନ୍ତି । ସହରରେ ଖାଁ ଖାଁ ରାସ୍ତା । ଏମିତି କି ସବୁଠୁ ଗହଳି ଚହଳି ରହୁଥିବା ରେଲେଓ୍ୱ ଷ୍ଟେସନରେ ବି କେହି ନାହାନ୍ତି । ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ରାଜଧାନୀ ଏବେ ଶ୍ମଶାନ ଭଳି ଦିଶୁଛି ।