• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଉଦୁଉଦିଆ ଖରାବେଳ । ଶୂନଶାନ୍‌ ରାସ୍ତା । ପେଡାଲ ଯେତିକି ଜୋରରେ ମରାଯାଉଛି ସାଇକେଲ୍‌ ସେତିକିରେ ସାଏଁ ସାଏଁ ଗଡ଼ୁଛି । ୨୨ ଇଞ୍ଚିଆ ସାଇକେଲ୍‌ କେରିୟଲ୍‌ରେ ଓହଳାଯାଇଛି ୨ ବ୍ୟାଗ୍‌ । ଏମିତି ଦୃଶ୍ୟ ଦେଖିବା ପରେ କିଛି ବୁଝାପଡିବନି, ଆଉ ମନରେ ପ୍ରଶ୍ନ ଆସିବ କିଏ ସେ ଯୁବକ? ଆମେ କାହିଁକି ତାଙ୍କ କଥା କହୁଛୁ ? ହେଲେ ତାଙ୍କ ସମ୍ପର୍କରେ ଜାଣିଲେ ଆପଣଙ୍କ ଆଖିରେ ଜକେଇ ଆସିବ ଲୁହ ।

ଜଳୁଛି ସାରା ଓଡ଼ିଶା...ଆଉ ଏତିକିବେଳେ ରାଜଧାନୀ ରାଜରାସ୍ତାରେ ଡହଡହ ଖରାରେ ବସି ଖେଳନା ବିକୁଥିବା ଯୁବକଙ୍କ ସଂଘର୍ଷର କାହାଣୀ ଜାଣିଲେ ଆପଣ ବି ସଲାମ୍‌ କରିବେ । କାରଣ ନିଜ ସାଇକେଲରେ ଖେଳନା ବ୍ୟାଗ ଓହ୍ଲାଇ ଜଲଦି ଜଲଦି ଆସି ରାସ୍ତା କଡରେ ମେଲାଇଛନ୍ତି ଖେଳନା ଦୋକାନର ପସରା । ଖାଲି ପସରା ମେଲାଇଛନ୍ତି ତାହା ନୁହେଁ ବରଂ ଭିନ୍ନଭିନ୍ନ ପ୍ରକାରର ଖେଳନା, ଚାବି ରିଙ୍ଗକୁ ସବୁ ସଜେଇ ରଖିଛନ୍ତି । ଆଉ ଅପେକ୍ଷା କରିଛନ୍ତି କେତେବେଳେ ଗ୍ରାହକ ଆସିବେ, ତାଙ୍କ ପାଖରୁ ଖେଳନା କିଣିବେ? କାରଣ ଏଇ ଖେଳନା ବିକିଲେ ହିଁ ସେ ପାଠ ପଢିବେ ।

ଅଧିକ ପଢ଼ନ୍ତୁ: ପାଠ ପଢ଼ିବାକୁ ବହୁତ ଆଗ୍ରହ ଅଛି ହେଲେ ଦିବ୍ୟାଙ୍ଗ ବୋଲି ହଷ୍ଟେଲ ମିଳୁନି

ଗଂଜାମର ସୌରୀ ମହାରଣା । ବୟସ ୧୮ ହେବ । ପଟିଆ କଲେଜରେ +୩ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର । ନିଜ ପାଠପଢା ଖର୍ଚ୍ଚ ନିଜେ ଉଠାଇବାକୁ ସେ ଶପଥ କରିଛନ୍ତି । ସେଇଥି ପାଇଁ ତ ପ୍ରତିଦିନ ପଠାଣୀ ସାମନ୍ତି ପ୍ଲାନେଟୋରିୟମ୍‌ ଗେଟ୍‌ ସାମ୍ନାରେ ଖେଳନା ଦୋକାନର ପସରା ମେଲାଉଛନ୍ତି । ସୌରୀଙ୍କ ଲକ୍ଷ୍ୟ ବହୁତ ବଡ଼ । ଭଲ ପାଠ ପଢ଼ିବେ, ଅଧ୍ୟାପକ ହେବେ । କିନ୍ତୁ ପାଠ ପଢାରେ ବାଧକ ସାଜିଛି ଆର୍ଥିକ ସମସ୍ୟା । ପରିବାର ପାଖରେ ଅର୍ଥ ନଥିଲେ ବି ସେ ହାର ମାନିନାହାନ୍ତି । ବରଂ ନିଜସ୍ନ ଉଦ୍ୟମରେ ସେ କିଛି କରି ଦେଖାଇବାକୁ ଚେଷ୍ଟା ଚଳାଇଛନ୍ତି ।

ପ୍ରତିଦିନ ସକାଳ ୭ଟାରୁ ୧୧ଟା ଯାଏଁ କଲେଜରେ କ୍ଲାସ କରିବା ପରେ ତୁରନ୍ତ ଫେରିଆସନ୍ତି ଘରକୁ । ଘରେ ମଧ୍ୟାହ୍ନ ଭୋଜନ ଖାଇ ସାଇକେଲ ନେଇ ବାହାରିଯାଆନ୍ତି ୟୁନିଟ-୧ ଏକ ନମ୍ବର ହାଟକୁ । ସେଠାରୁ ଖେଳନା ସାମଗ୍ରୀ କିଣି ପଳାଇ ଆସନ୍ତି ଆଚାର୍ଯ୍ୟ ବିହାରସ୍ଥିତ ପ୍ଲାନେଟାରିୟମ ଗେଟ ସମ୍ମୁଖକୁ । ପରେ ଖେଳନା ବିକ୍ରି କରିବାରେ ସେ ଲାଗିପଡ଼ନ୍ତି ।କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସୌରୀ । କାରଣ ଏତେ କମ୍‌ ବୟସରେ ସେ ପାଠପଢା ସହିତ ଦୋକାନ କରି ନିଜ ସ୍ୱପ୍ନ ପୂରଣ କରିବାକୁ କରୁଛନ୍ତି ପ୍ରୟାସ । ଆଉ ସୌରୀଙ୍କ ଏପରି ମହତ କାମକୁ ନେଇ ସବୁଆଡେ କରାଯାଉଛି ପ୍ରଶଂସା ।

 

(ଭୁବନେଶ୍ୱରରୁ ଶର୍ମିଷ୍ଠା ପ୍ରଧାନଙ୍କ ରିପୋର୍ଟ)