• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିବ୍ୟାଙ୍ଗ ହେଲେ କଣ ହେଲା, ପାଠ ପଢ଼ିବେ ଆଉ ଆଗକୁ ବଢ଼ିବେ । ଏମିତି କିଛି ଆଶା ରଖିଛନ୍ତି ଦୁଇ ଦିବ୍ୟାଙ୍ଗ ଛାତ୍ର । ହେଲେ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇବାରୁ ସରକାରୀ ବ୍ୟବସ୍ଥା ବାଧକ ସାଜୁଛି । ପାଠ ପଢ଼ିବା ପାଇଁ ଆକୁଳ ନିବେଦନ କରୁଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର ରଘୁରାମ ।

୫ମ ଶ୍ରେଣୀ ପାସ କରିବା ପରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ସ୍ୱାଭିମାନ ଅଞ୍ଚଳରେ ଥିବା ବିଡ଼ପଡ଼ା ଉଚ୍ଚ ବିଦ୍ୟାଳୟକୁ ସେ ଯାଇଥିଲେ । କିନ୍ତୁ ରଘୁରାମଙ୍କ ପାଖରେ ଡାକ୍ତରୀ ପ୍ରମାଣପତ୍ର ନଥିବାରୁ ହଷ୍ଟେଲ ସୁବିଧା ଦିଆଯାଇପାରିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ ସ୍କୁଲ ପ୍ରଶାସନ । ଏହା ପରେ ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ରଘୁରାମ । କଥାଟା ଟିକେ ହଜମ ନହେଲେ ବି ସତ ।

ଠିକ୍‌ ସେହିଭଳି ତାର୍ଲକୋଟା ବ୍ଲକ ରଙ୍ଗମତିଗୁଡ଼ା ଗାଁର ଛାତ୍ର ଉଦବ ପଡାଲ। ସେ ଗାଁ ନିକଟ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ପାସ କରିଛନ୍ତି । ନବମ ଶ୍ରେଣୀରେ ପଢିବା ପାଇଁ ନିକଟରେ ଥିବା ନାୟକଗୁଡ଼ା ଦିବ୍ୟାଙ୍ଗ ବିଦ୍ୟାଳୟ, ଗୋବିନ୍ଦପାଲ୍ଲି, ଚିତ୍ରକୋଣ୍ଡା ଯାଇ ନିରାଶ ହୋଇ ଫେରିଛନ୍ତି । ଏଠାରେ ମଧ୍ୟ ସେହି ସମାନ ସମସ୍ୟା । ଡାକ୍ତରୀ ପ୍ରମାଣପାତ୍ର ନାହିଁ । ବାଧ୍ୟ ହୋଇ ଗାଁଠାରୁ ୮ କିଲୋମିଟର ଦୂର ତରଲାକତା ବିଦ୍ୟାଳୟରେ ଡେ ସ୍କଲାରରେ ନାମ ଲେଖାଇଛନ୍ତି । ଏତେ ଦୂର ଯିବା ବା ତାଙ୍କୁ ନେଇ କେହି ଛାଡ଼ିବା ସମ୍ଭବପର ହେଉନଥିବାରୁ କେବେ ଯେ ପାଠରେ ଡୋରୀ ବନ୍ଧା ହେବ କହି ହେଉନାହିଁ । ଏ ଦିଗରେ ପ୍ରଶାସନ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ତେବେ ଏନେଇ ଆମେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲୁ । ସେ କହିଛନ୍ତି, ଏସମ୍ପର୍କରେ ମଙ୍ଗଳ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଉଭୟଙ୍କୁ ହଷ୍ଟେଲରେ ରଖାଯିବ । କେବଳ ଏହି ଗୋଟିଏ କି ଦୁଇଟି ଘଟଣା ନୁହଁ । ପ୍ରତି ଶିକ୍ଷାବର୍ଷରେ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି ।

  • Reported by:
  • JITENDRA BEURA