• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବିବାହ...ସାତ ଜନମର ସଂପର୍କ....ଦୁଇମନକୁ ଯୋଡିଦିଏ ପବିତ୍ର ବନ୍ଧନ । ହେଲେ ଯୌତୁକ ପ୍ରଥା ପବିତ୍ର ବନ୍ଧନକୁ ବେଳେ ବେଳେ କରିଥାଏ କଳୁଷିତ । ଜଗତସିଂହପୁରର ନବଦଂପତି ରାକେଶ ଓ ପ୍ରତିମା ସମାଜରୁ କଳୁଷିତ ପ୍ରଥାକୁ ଦୂର କରିବାକୁ କରିଛନ୍ତି ପ୍ରୟାସ । ଶିଶୁ ଆଶ୍ରମର ଅନ୍ତେବାସୀ ପ୍ରତିମାଙ୍କ ହାତ ଧରିଛନ୍ତି, ଉଚ୍ଚଶିକ୍ଷିତ ରାକେଶ ପଟ୍ଟନାୟକ । ବଡଘର, ବଡ ଚାକିରି ଓ ଯୌତୁକକୁ ଅଗ୍ରାଧିକାର ଦେଇଥିବା ଯୁବପିଢିଙ୍କ ପାଇଁ ଏହି ବାହାଘର ସାଜିଛି ଏକ ଉଦାହରଣ ।

ସଜେଇ ହୋଇଛି ବିବାହ ବେଦୀ, ବାହାରେ ବି ସୁସଜ୍ଜିତ ଗେଟ୍। ତା’ସାଙ୍ଗକୁ ଆଖି ଝଲସିଆ ଆଲୋକ। ଆଉ ସେପଟୁ ଡିଜେ ବାଜା ଓ ରୋଷଣୀ ନେଇ ଆସଥିଲା ବର । ବିବାହ ମଣ୍ଡପ ପରି ସଜେଇ ହୋଇଥିବା ସ୍ଥାନ ଥିଲା ଜଗତସିଂହପୁର ଶିଶୁ ଆଶ୍ରମ । ଆଉ ବିବାହ ହୋଇଥିଲା ସେହି ଆଶ୍ରମର ଜଣେ ଅନ୍ତେବାସିନୀଙ୍କର । ନାଁ ତାଙ୍କ ପ୍ରତିମା...ଆଶ୍ରମ ହିଁ ତାଙ୍କ ଘର ଠିକଣା....ଆଶ୍ରମରୁ ହିଁ ହାତକୁ ଦିହାତ ହୋଇ ଗଢିବାକୁ ଯାଉଛନ୍ତି ସୁନାସଂସାର । ରଘୁନାଥପୁର ଗୁଆଳିପୁରର ରାକେଶ ପଟ୍ଟନାୟକଙ୍କ ସହ ତାଙ୍କ ବିବାହ ହୋଇଛି । ମାଆ ପରପାରିକୁ ଚାଲିଗଲା ପରେ ଝିଅକୁ ଛାଡିଦେଇଥିଲେ ବାପା । ଭୁବନେଶ୍ବରରେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ବେଳେ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ଉଦ୍ଧାର କରି ପ୍ରତିମାଙ୍କୁ ଏଠାରେ ଛାଡିଥିଲା । ଆଉ ସେବେଠୁ ଆଶ୍ରମ ହିଁ ସାଜିଥିଲା ପ୍ରତିମାଙ୍କ ଘର ।

ଅଧିକ ପଢ଼ନ୍ତୁ: ମିଳିଲା ସବୁଜ ସଙ୍କେତ, ପାରାଦୀପକୁ ଚାଲିବ ଯାତ୍ରୀବାହୀ ଜାହାଜ

୨୦୧୫ ମସିହାରରେ ପ୍ରତିମାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା । ସେବେଠୁ ଶିଶୁ ଆଶ୍ରମରେ ରହି ଆସୁଛନ୍ତି ପ୍ରତିମା । ଏଇଠି ରହି ସେ ବିଏ ପାସ କରିଛନ୍ତି, ବିୟୁଟିପାର୍ଲର ତାଲିମ ନେଇଛନ୍ତି । ଶିକ୍ଷାଦୀକ୍ଷା ନିପୁଣା ପ୍ରତିମାଙ୍କୁ ସାତଜନମର ସାଥି କରିବାରୁ ରାକେଶ ପଟ୍ଟନାୟକ ଓ ତାଙ୍କ ପରିବାର ପ୍ରସ୍ତାବ ଦେଇଥିଲେ । ଉଭୟ ପକ୍ଷର ରାଜି ପରେ ବୈଦିକ ରୀତିନୀତିରେ ସଂପନ୍ନ ହୋଇଛି ବାହାଘର....ରାକେଶ ଜଣେ ଉଚ୍ଚଶିକ୍ଷିତ ହୋଇଥିବା ବେଳେ, ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଛନ୍ତି । ତେବେ ଶିଶୁ ଆଶ୍ରମର ଜଣେ କନ୍ୟାଙ୍କ ପାଣିଗ୍ରହଣ କରିବାର ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ବରଯାତ୍ରୀ ଶିଶୁ ଆଶ୍ରମରେ ପହଞ୍ଚିବା ପରେ ବରକୁ ପାଛୋଟି ନେଇଥିଲେ କନ୍ୟା ପକ୍ଷ । ପରେ ଭୋଜିର ଆସର ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଶ୍ରମ କର୍ତ୍ତୃପକ୍ଷ ପ୍ରତିମାଙ୍କୁ ଖୁସି ଖୁସିରେ ଶାଶୂଘରକୁ ମେଲାଣି ଦେଇଛନ୍ତି । ବିବାହ ପାଇଁ ବଡ଼ ଘର, ବଡ଼ ଚାକିରୀ ଓ ଯୌତୁକକୁ ଅଗ୍ରାଧିକାର ଦେଉଥିବା ଯୁବପିଢି ପାଇଁ ଏହି ବିବାହ ଏକ ଉଦାହରଣ ।