/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749295434.jpg)
Lord Krishna
ବିଦର୍ଭ ଦେଶର ଅତ୍ୟନ୍ତ ସମୃଦ୍ଧଶାଳୀ ଏବଂ ପରାକ୍ରମୀ ରାଜା ଥିଲେ ଭୀଷ୍ମକ । ତାଙ୍କର ରୁକ୍ମଣ ନାମରେ ମହାଧନୁର୍ଦ୍ଧର ପୁତ୍ର ଏବଂ ରୁକ୍ମିଣୀ ନାମରେ ଅତ୍ୟନ୍ତ ରୂପବତୀ ଓ ଗୁଣବତୀ କନ୍ୟାଟିଏ ଥିଲା। ଶ୍ରୀକୃଷ୍ଣ ଦ୍ଵାରକାରେ ଅବସ୍ଥାନ ସମୟରେ ବିଭିନ୍ନ ମୁଖରୁ ରୁକ୍ମିଣୀଙ୍କର ରୂପଗୁଣର ପ୍ରଶଂସା ଶୁଣି ମନେ ମନେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ। ରୁକ୍ମିଣୀ ମଧ୍ୟ ଶ୍ରୀକୃଷ୍ଣଙ୍କୁ ସ୍ଵପ୍ନରେ ଦେଖି ମନେ ମନେ ପୂଜା କରୁଥିଲେ।
ସେପଟେ ବିବାହଯୋଗ୍ୟା ହେବାରୁ ପିତାଙ୍କ ଆଦେଶରେ ରୁକ୍ମଣ ନିଜର ଭଉଣୀ ପାଇଁ ସ୍ୱୟମ୍ବର ଆୟୋଜନ କଲେ। ଏ ସଭାରେ ଶ୍ରୀକୃଷ୍ଣ ଯୋଗ ଦେଇଥିଲେ ମଧ୍ୟ କୌଣସି ରାଜସିଂହାସନ ମଣ୍ଡନ କରୁନଥିବାରୁ ଦୁଷ୍ଟ ନରପତିଗଣ ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିନଥିଲେ। ଗରୁଡ ପିଠିରେ ଶ୍ରୀକୃଷ୍ଣ ବସିଥିବା ସମୟରେ ରୁକ୍ମିଣୀ ନିଜ ସ୍ୱପ୍ନର ଦେବତାଙ୍କୁ ଦେଖି ନିଜର ମନପ୍ରାଣ ତାଙ୍କ ପ୍ରତି ସମର୍ପିତ କଲେ। ରାଜାମାନଙ୍କର ଅନାଦର ହେତୁ ଶ୍ରୀକୃଷ୍ଣଙ୍କ ଆଦେଶରେ ପକ୍ଷୀରାଜ ଗରୁଡ ନିଜର ଡେଣା ଦ୍ଵାରା ରାଜସଭାକୁ ଧ୍ଵଂସ କରିଦେଲେ। ଫେରିବା ବାଟରେ ଶ୍ରୀକୃଷ୍ଣଙ୍କ ଭକ୍ତ ଶିରୋମଣି ରାଜା କୌଶିକ ଶ୍ରୀକୃଷ୍ଣଙ୍କୁ ନିଜର ସିଂହାସନ ଅର୍ପଣ କରି ଅଭିଷେକର ଆୟୋଜନ କଲେ ଏବଂ ଇନ୍ଦ୍ରଙ୍କ ଦୂତ ନିର୍ଦ୍ଦେଶରେ ସବୁ ନରପତି ଏହି ଉତ୍ସବରେ ଯୋଗଦାନ କଲେ। ଏଣେ ଦୁଷ୍ଟବୁଦ୍ଧି ଜରାସନ୍ଧ ସହିତ ପରାମର୍ଶ କରି ରୁକ୍ମଣ ନିଜର ଭଉଣୀ ପାଇଁ ଦମଘୋଷ ପୁଅ ରାଜା ଶିଶୁପାଳଙ୍କୁ ବର ରୂପେ ବରଣ କଲେ। କିନ୍ତୁ ରୁକ୍ମିଣୀ ସେତେବେଳକୁ ମନପ୍ରାଣରୁ କୃଷ୍ଣଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିସାରିଥିଲେ।
ଶିଶୁପାଳଙ୍କ ସହ ତାଙ୍କ ବିବାହ ହେବାକଥା ଶୁଣି ସେ ଭାଙ୍ଗି ପଡିଲେ। ତେଣୁ ସେ ନିଜର ପ୍ରିୟ ସଖୀର ପରାମର୍ଶରେ ଜଣେ ବିଶ୍ବାସୀ ବ୍ରାହ୍ମଣ ଦୂତ, କୃଷ୍ଣଙ୍କ ନିକଟକୁ ପଠାଇଲେ। ଦୂତ ନିକଟରେ ରୁକ୍ମିଣୀଙ୍କୁ ଗ୍ରହଣ କରିବା ପାଇଁ ଶ୍ରୀକୃଷ୍ଣ ପ୍ରତିଶ୍ରୁତି ଦେଲେ। ବିବାହର ନିର୍ଦ୍ଦିଷ୍ଟ ଦିନରେ ବେଦୀ ଉପରେ ଶିଶୁପାଳଙ୍କ ସହିତ ପାଣି ଗ୍ରହଣ ପୂର୍ବରୁ ବିଧି ଅନୁସାରେ ରୁକ୍ମିଣୀ ଭବାନୀଙ୍କ ଦର୍ଶନ କରିବାର କଥା। ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ସ୍ବାମୀ ରୂପେ ପାଇବା ପାଇଁ ମହାମାୟାଙ୍କ ନିକଟରେ ପ୍ରାର୍ଥନା କଲେ। ମନ୍ଦିରରୁ ଫେରିବା ପଥରେ ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣ ଅପହରଣ କରିନେଲେ। ଏ ସମ୍ବାଦରେ ବିଦର୍ଭ ନଗରରେ ଚହଳ ପଡ଼ିଗଲା। ଦୁଷ୍ଟ ନରପତିଗଣ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଯୁଦ୍ଧଯାତ୍ରା କଲେ। କିନ୍ତୁ କୃଷ୍ଣ ଏବଂ ବଳରାମଙ୍କ ସହିତ ଯୁଦ୍ଧରେ ସମସ୍ତଙ୍କୁ ହାରିବାକୁ ପଡ଼ିଥିଲା। ଏହାପରେ ମହାସମାରୋହରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କର ଶୁଭ ପରିଣୟ ଉତ୍ସବ ସମାହିତ ହୋଇଥିଲା।
ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ
ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣ ଘରେ ମଦନମୋହନ ଠାକୁରଙ୍କ ବେଶ ଆରମ୍ଭ ହୁଏ । ଏହି ଧୂପ ଶେଷ ପରେ ଭିତରେ ପାଣି ପଡ଼ିବା ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଲକ୍ଷ୍ମୀ (ଶ୍ରୀଦେବୀ)ଙ୍କୁ ଦିଅନ୍ତି । ଏହା ପରେ ମହାଜନେ ଲକ୍ଷ୍ମୀଙ୍କୁ ସାତ ପାହାଚଠାରେ ରଖାଯାଇଥିବା ପାଲିଙ୍କିରେ ବିଜେ କରାନ୍ତି । ବିମାନବଡୁମାନେ ପାଲିଙ୍କି ନେଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ କରାନ୍ତି । ଏଠାରେ ଦେବୀଙ୍କର ମହାସ୍ନାନ, ମାଜଣା ଓ ବନକଲାଗି ହୁଏ । ଅଳଙ୍କାର ଲାଗି ବେଶ ହୁଏ । ବେଶ ହେବା ସମୟରେ ତଡଉ ପଟ୍ଟନାୟକ ସେଠାରେ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଛ ଉକ୍ତ ତାଳପତ୍ର ଓ ଲେଖନୀକୁ ଲକ୍ଷ୍ମୀଙ୍କ ଶ୍ରୀହସ୍ତ ଛୁଆଁଇ ତଡ଼ଉଙ୍କୁ ଦିଅନ୍ତି । ତଡ଼ଉ ଠିଆହୋଇ ଲକ୍ଷ୍ମୀଙ୍କ ମନୋଭାବ ଜଣାଇ ମହାପ୍ରଭୁଙ୍କୁ ଚିଟାଉ ଲେଖନ୍ତି । ଏଣେ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି । ଭୋଗମଣ୍ଡପ ଭୋଗ ପରେ ସେ ଆଜ୍ଞାମାଳ ପାଇ ଜୟବିଜୟ ଦ୍ବାରଠାରେ ବିଜେ କରି ରହନ୍ତି । ଭିତରଛ ଚିଟାଉ ନେଇ ଲକ୍ଷ୍ମୀଙ୍କ ଶ୍ରୀହସ୍ତରେ ମୁଦ କରାନ୍ତି ।
ଅଧିକ ପଢ଼ନ୍ତୁ: ପିତୃପୁରୁଷଙ୍କ ଉଦ୍ଧାର ଲାଗି ସ୍ଵର୍ଗରୁ ଗଙ୍ଗାଙ୍କୁ ଆଣି ପାରିଥିବା ଜଣେ ରାଜାଙ୍କ କାହାଣୀ
ଏହା ପରେ ଜଣେ ସେବକ (ବିପ୍ର ବ୍ରାହ୍ମଣ ରୂପେ) ଚିଟାଉଧରି ଘଣ୍ଟ, ଛତା, କାହାଳୀ ସହ ଜୟବିଜୟ ଦ୍ବାରଠାରେ ମଦନମୋହନଙ୍କ ନିକଟକୁ ଆଣନ୍ତି । ଏଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଓ ଖୁଣ୍ଟିଆ ଥାଇ ବଚନିକା ହୁଏ । ଏହାପରେ ମଦନମୋହନ ସାତପାହାଚଠାରେ ଥିବା ରଥରେ ବିଜେ କରନ୍ତି । ବିମାନବଡୁମାନେ ରଥନେଇ ବିମଳା ଠାକୁରାଣୀ ମନ୍ଦିର ପାଖରେ ରଖନ୍ତି । ଲକ୍ଷ୍ମୀଙ୍କ ମନ୍ଦିରଠାରୁ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଦାସୀ (ମାହାରୀ) ସଙ୍ଗରେ ଘେନି ଗ୍ରାମଦେବତୀ ପୂଜା କରିବାକୁ ବିମଳାଙ୍କ ମନ୍ଦିରକୁ ଆସନ୍ତି । ଏଠାରେ ଭିତରଛ ବିମଳାଙ୍କୁ ଚନ୍ଦନ ପ୍ରସାଦ ଲାଗି କରନ୍ତି । ଗ୍ରାମଦେବତୀ ପୂଜା ନିମନ୍ତେ, ପର୍ବଯାତ୍ରା ଯୋଗାଣିଆ ଦେଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ବଢ଼ିବା ପରେ ବିମଳାଙ୍କ ଶ୍ରୀଅଙ୍ଗରୁ ଏକ ଖଣ୍ଡି ଆଜ୍ଞାମାଳ ଲକ୍ଷ୍ମୀ ପାଆନ୍ତି । ଲକ୍ଷ୍ମୀ ବାହାରକୁ ଆସିବା ବେଳେ, ମହାପ୍ରଭୁ (ମଦନମୋହନ) ବିମଳା ମନ୍ଦିର ଦ୍ୱାରଠାରେ ରଥରେ ବିଜେ ଥାଇ ଲକ୍ଷ୍ମୀଙ୍କୁ ହରଣ କରି (ଭିତରଛ ମହାପାତ୍ର ଲକ୍ଷ୍ମୀଙ୍କୁ ଉଠାଇନେଇ) ରଥରେ ବସାନ୍ତି । ସରସ୍ୱତୀଙ୍କ ଦେଉଳ ଆଗରେ ଶିଶୁପାଳ ପରାସ୍ତ ହୋଇ ରଥରେ ବନ୍ଧାହୁଏ ।
ଦକ୍ଷିଣ ଘରୁ ବଳରାମ ବିଜେହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣ ଘରକୁ ବିଜେ କରନ୍ତି । ଲକ୍ଷ୍ମୀ ଓ ମଦନମୋହନ ବାଟରେ ପନ୍ତି ଭୋଗମାନ ମଣୋହି ହୋଇ ବିବାହ ନିମନ୍ତେ ବିବାହ ମଣ୍ଡପରେ ବିଜେ ହୁଅନ୍ତି । ପରେ ଭିତରେ ଅନ୍ୟାନ୍ୟ ନୀତି ହୋଇ ସନ୍ଧ୍ୟା ଆଳତି ପରେ ମହାସ୍ନାନ, ନୂଆ ଲୁଗାଲାଗି ଓ ସର୍ବାଙ୍ଗ ହୁଏ । ସର୍ବାଙ୍ଗ ପରେ ସନ୍ଧ୍ୟାଧୂପ ପୂଜା ବସେ । ତେଣେ ବିବାହ ମଣ୍ଡପରେ ବିବାହ କାର୍ଯ୍ୟ ନୀତି ଆରମ୍ଭ ହୁଏ | ପଣ୍ଡା ପତି ମୁଦିରସ୍ତ, ଭିତରଛ ଥାଇ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ । ବିବାହ ଶେଷରେ ପଞ୍ଚଗ୍ରାସୀ ଭୋଗ ଓ ବନ୍ଦାପନା ହୁଏ । ତା'ପରେ ବରକନ୍ୟା ଭିତରକୁ ବିଜେ ହୁଅନ୍ତି । ଭିତରେ ବଡ଼ସିଂହାର ଭୋଗ ହୋଇ ଅନ୍ୟାନ୍ୟ ନୀତି ସରି ପହୁଡ଼ ହୁଏ । ପରଦିନ ମଙ୍ଗଳ ଆଳତି ପରେ ମହାଜନେ ବରକନ୍ୟାଙ୍କୁ ହାତରେ ବିଜେ କରାଇ ଆଣି ଦକ୍ଷିଣ ଘରେ ଖଟ ଉପରେ ବିଜେ କରାନ୍ତି ।
ବର କନ୍ୟାଙ୍କୁ ବନ୍ଦାଣ ଭେଟି
ରୁକ୍ମିଣୀ ବିବାହ ପରଦିନ, ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ବା ଚମ୍ପକ ଦ୍ଵାଦଶୀ ଦିନ, ସକାଳ ଧୂପ ଓ ଭୋଗମଣ୍ଡପ ଭୋଗ ଶେଷ ପରେ ଭିତରେ ଆଲଟଲାଗି ହୁଏ । ତା’ପରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୁଏ । ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନବିଜେ କରାଇ ଆଣି ସର୍ବାଙ୍ଗଲାଗି ନୀତି କରାନ୍ତି । ବେଶ ହୋଇ ମଧ୍ୟାହ୍ନଧୂପ ହୁଏ । ଧୂପ ସରି ପାଣି ପଡ଼ିଲେ ବରକନ୍ୟା (ଲକ୍ଷ୍ମୀ ଓ ମଦନମୋହନ) ଭିତରକୁ ବିଜେ ହୁଅନ୍ତି । ଭିତରେ ବନ୍ଦାପନା ହେବା ପରେ ସେମାନେ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ ହୁଅନ୍ତି । ବିମାନବଡୁମାନେ ପାଲିଙ୍କି କାନ୍ଧେଇ ବଡ଼ଦେଉଳ ଚାରିପାଖରେ ଗୋଟିଏ ବେଢ଼ା ବୁଲି, ସିଂହଦ୍ଵାର ଦେଇ ରାଜାଙ୍କ ନଅରକୁ ବିଜେ କରାନ୍ତି । ରାଜା ନିଜେ ବରକନ୍ୟାଙ୍କୁ ବାଟରୁ ପାଛୋଟି ନେଇ ନଅର ଅଗଣାରେ ପଡ଼ିଥିବା ସୁସଜ୍ଜିତ ଖଟରେ ବିଜେ କରାନ୍ତି । ତା'ପରେ ପଞ୍ଚୋପଚାର ବିଧିରେ ନାନାପ୍ରକାର ପିଠା ମଣୋହି ହୁଏ । ପ୍ରସାଦଲାଗି ଓ ବନ୍ଦାପନା ହୁଏ । ରାଜା ବନ୍ଦାପନା ଓ ଚାମର ଆଲଟ କରନ୍ତି ।
ଏହାପରେ ନଅର ଭିତର ଶୋଧ ହୋଇ ସିଂହଦ୍ଵାର ବନ୍ଦହୁଏ । ଉଆସରୁ ରାଣୀ ଓ ରାଜପରିବାରବର୍ଗ ବରକନ୍ୟାଙ୍କୁ ବନ୍ଦାପନା କରି ଭେଟି ଦିଅନ୍ତି । ରାଣୀ ଓ ଅନ୍ୟମାନେ ଭିତରକୁ ଯିବା ପରେ ନଅର ସିଂହଦ୍ଵାର ଖୋଲାଯାଏ । ବରକନ୍ୟା ପାଲିଙ୍କିରେ ବିଜେ ହୋଇ ଯମେଶ୍ବର ମନ୍ଦିରକୁ ବିଜେ କରନ୍ତି । ସେଠାରେ ପଞ୍ଚଗ୍ରାସୀ ଭୋଗ ଓ ବନ୍ଦାପନା ହୁଏ ।
ଏହାପରେ ବରକନ୍ୟା ବାହୁଡ଼ା ବିଜେ କରି ଦକ୍ଷିଣ ଘରକୁ ଫେରନ୍ତି । ଇତିମଧ୍ୟରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହୋଇଥାଏ । ବରକନ୍ୟାଙ୍କ ବାହୁଡ଼ାବିଜେ ପରେ ଭିତରେ ଆଲଟ ଲାଗି ଓ ଚନ୍ଦନଲାଗି ହୁଏ । ବଡ଼ସିଂହାର ଭୋଗ ପରେ ଭିତରକୁ ବରକନ୍ୟା ବିଜେ କରନ୍ତି । ଅବଶିଷ୍ଟ ନୀତି ହୋଇ ରାତ୍ର ପହୁଡ଼ ହୁଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)