• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଛାତ ସାରା ଲାଗିଛି ଫୁଲ ଗଛ । କିସମ କିସମ ଫୁଲ କୁଣ୍ଡରେ ଭର୍ତ୍ତି ହୋଇଛି ପୂରା ଘର । ଗଛ ଗୁଡ଼ିକୁ ଦେଖିଲେ ଘର ନୁହେଁ ତ ପାର୍କର ଭ୍ରମ ସୃଷ୍ଟି ହେବ । ମନରେ ପ୍ରଶ୍ନ ଆସିବ ଏତେ ଦାମୀକିଆ ଗଛ ଗୁଡ଼ିକ କିଏ ଲଗାଇଛି ? ଦର୍ଶକବନ୍ଧୁ ଖାଲି ଫୁଲ ଗଛ ଲଗାଇ ନାହାନ୍ତି ବରଂ ଏମାନଙ୍କ ପାଇଁ ମୋଟା ଅଙ୍କର ଦରମା ପାଉଥିବା ଚାକିରି ବି ଛାଡ଼ି ଦେଇଛନ୍ତି । ହଁ...ଠିକ୍‌ ଶୁଣିଲେ ଫୁଲ ଲାଗି ଚାକିରି ଛାଡ଼ିଦେଇଛନ୍ତି ଏହି ଯୁବତୀ ଜଣକ ।

ଭିନ୍ନଭିନ୍ନ ମଣିଷର ଭିନ୍ନଭିନ୍ନ ସଉକ ଥାଏ । କାହାକୁ ବୁଲିବାକୁ ଭଲଲାଗେ ତ ଆଉ କାହାକୁ ଗୀତ ଗାଇବାକୁ, ଆଉ କାହାକୁ ବହି ପଢିବାକୁ । ହେଲେ ଇଏ ଏମିତି ଜଣେ ଯୁବତୀ ଯାହାଙ୍କୁ ଫୁଲ ଏତେ ମାତ୍ରାରେ ଭଲ ଲାଗେ ଯେ ନିଜେ ଚାକିରି ଛାଡ଼ିବାକୁ ବି ସେ ପଛାଇଲେ ନାହିଁ ।

ଅଧିକ ପଢ଼ନ୍ତୁ: ମାସିକ ୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଚାଷ କରୁଛନ୍ତି ଯୁବ ଇଞ୍ଜିନିୟର

କୋରାପୁଟ ସେମିଳିଗୁଡାର ସତ୍ୟନଗରରେ ରହୁଥିବା ରଶ୍ମୀତା ପାଢୀ । ପିଲାଟି ଦିନରୁ ଫୁଲ ପ୍ରତି ତାଙ୍କର ରହିଛି ଗଭୀର ଭଲପାଇବା । ଛୁଆ ବେଳୁ ଫୁଲ ଗଛ ଲଗାଇବା ପାଇଁ ତାଙ୍କୁ ଭାରି ଭଲ ଲାଗେ । ଏମିତିକି ସ୍କୁଲ ଓ କଲେଜରୁ ପାଠ ପଢା ସରିବା ପରେ ଘରେ ଆସି ସେମାନଙ୍କ ଯତ୍ନ ନିଅନ୍ତି । ତାଙ୍କ ସହ କଥା ହୁଅନ୍ତି । ଏହାରି ମଧ୍ୟରେ ସେ ଚାକିରି କଲେ । ଅଫିସ୍‌ରୁ ଫେରିବା ମାତ୍ରେ ଗଛ ଗୁଡ଼ିକର ଯତ୍ନ ବି ନିଅନ୍ତି । ଅଫିସ୍‌ ଯାଉଥିବା ବେଳେ କାଳେ ସେମାନଙ୍କୁ କୌଣସି ସମସ୍ୟା ହେବ ସେଇଥି ଲାଗି ତ ଫୁଲ ଗଛର ଦାୟିତ୍ୱ ନେବା ଲାଗି ଲୋକଟିଏ ବି ରଖିଲେ ।

ଲୋକ ରଖିଲେ ସତ କିନ୍ତୁ ମନ ମାନିଲାନି । ଶେଷରେ ନିଜ ଫୁଲ ସଉକ ପାଇଁ ଚାକିରି ଛାଡିଦେଲେ ରଶ୍ମିତା । ଜାଣି ଆଶ୍ଚର୍ଯ୍ୟ ହେବେ ନିଜ ଦୁଇ ମହଲା ଛାତରେ କେବଳ ଗଛ ହିଁ ଗଛ ଲଗାଇଛନ୍ତି । ଛାତ ଉପରେ ଗୋଲାପ,ମନ୍ଦାର,ଟଗର,ଅପରାଜିତା, କନିଅର, ଚମ୍ପାଠାରୁ ଆରମ୍ଭ କରି,ଜିନିଆ ,ଗେଣ୍ଡୁ,ଅଫିସ ଟାଇମ,ଡାଲିଆ, ସେବତୀ,ଲିଲି,ଆନ୍ଥୋରିୟମ୍,ପାମ୍,ସ୍ନେକ ପ୍ଲାଣ୍ଟ ଆଡେନିୟମ୍ ଓ ଆହୁରି ଅନେକ କିସମର ଫୁଲରେ ଭରପୁର ଛାତଟି ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । ରଶ୍ମିତାଙ୍କ ଏପରି ପ୍ରୟାସକୁ ସବୁଆଡ଼େ ଚର୍ଚ୍ଚା ବି କରାଯାଉଛି ।

ଖାଲି ଫୁଲ ଗଛ ନୁହେଁ ବରଂ ବିଭିନ୍ନ ପ୍ରକାର ଫଳ ଗଛ ବି ସେ ଲଗାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ ଗଛ ଗୁଡ଼ିକରେ ସେ କୌଣସି ରାସାୟନିକ ସାର ନଦେଇ ଜୈବିକ ସାର ଦିଅନ୍ତି । ତାହା ପୁଣି ଅନଲାଇନ୍‌ରେ ଅର୍ଡର କରି । ରଶ୍ମିତା କୁହନ୍ତି ଗଛ ହିଁ ତାଙ୍କର ବନ୍ଧୁ । ତେବେ ଆଜିକାଲି ମଣିଷ ଗଛ ଗୁଡ଼ିକୁ ହାଣିମାରି ନଷ୍ଟ କରୁଥିବା ବେଳେ ରଶ୍ମିତା ଗଛ ପାଇଁ ଚାକିରି ଛାଡ଼ିଥିବାକୁ ନେଇ ଏବେ ଭାରି ଚର୍ଚ୍ଚା ।

(କୋରାପୁଟରୁ ସୂର୍ଯ୍ୟ ପଣ୍ଡାଙ୍କ ରିପୋର୍ଟ)