• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷ କରିବା ପାଇଁ ଚାକିରି ଛାଡ଼ିଦେଲେ ଉଚ୍ଚ ଶିକ୍ଷିତ ଯୁବ ଆଇଟି ଇଞ୍ଜିନିୟର । ମାଲେସିଆରେ ୧୧ ବର୍ଷ ରହି ମୋଟା ଅଙ୍କର ଦରମା ପାଉଥିଲେ ସତ୍ୟ ପ୍ରବୀଣ । ହେଲେ ଚାକିରିରେ ତାଙ୍କର ମନ ଲାଗୁନଥିଲା । ଦେଶକୁ ଫେରି ନିଜ ମାଟିରେ କିଛି କରିବା ପାଇଁ ମନ ବଳାଇ ଥିଲେ । ଆଉ ତା’ପରେ ମାସିକ ୨ ଲକ୍ଷ ଟଙ୍କାର ଦରମା ଛାଡ଼ି ଗାଁକୁ ଫେରି ଆସିଲେ । ଏବେ ଆଧୁନିକ ପ୍ରଣାଳୀରେ ଜୈବ ସାର ପ୍ରୟୋଗ କରି ପନିପରିବା ଚାଷ କରି ନିଜେ ଅର୍ଥ ଉପାର୍ଜନ କରିବା ସହିତ ପ୍ରାୟ ୬୦ରୁ ଅଧିକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି ।

ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଝିଞ୍ଜିଲିବାଡି ଗାଁର ଯୁବ ଆଇଟି ଇଞ୍ଜିନିୟର ସତ୍ୟ ପ୍ରବୀନ । ତାଙ୍କ ବାପା ୩୦ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶରୁ ରାୟଗଡ଼ା ଚାଲି ଆସି ଚାଷ କରି ପରିବାର ପୋଷଣ କରୁଥିଲେ । ପୁଅ ସତ୍ୟ ପ୍ରବୀନ ଛୋଟ ବେଳୁ ରାୟଗଡ଼ାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ଭଲ ପଢ଼ୁଥିବାରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଏକ ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜରେ ପଢ଼ିଥିଲେ। ଭଲ ମାର୍କରେ ପାସ୍‌ ମଧ୍ୟ କରିଥିଲେ। ତା’ପରେ ଭଲ ଦରମାରେ ମାଲେସିଆରେ ନିଯୁକ୍ତି ପାଇଥିଲେ ।

ସେଠାରେ ସେ ସଫ୍ଟୱେୟାର୍‌ ଇଞ୍ଜିନିୟର ଭାବେ କାମ କରୁଥିଲେ । ମାସକୁ ଦୁଇ ଲକ୍ଷ ଟଙ୍କା ଦରମା ପାଉଥିଲେ ସତ୍ୟ । ସେଠାରେ ୧୧ ବର୍ଷ ଚାକିରି କରିବା ପରେ ମନସ୍ତ କଲେ ନିଜ ଭିଟାମାଟି ଫେରି ନିଜ ପାଇଁ ତଥା ନିଜ ଲୋକଙ୍କ ପାଇଁ କିଛି କିରବେ । ଏଣୁ ପୂର୍ବରୁ ବାପାଙ୍କ କୂଳବେଉସା କୃଷି କ୍ଷେତ୍ରକୁ ବାଛି ନେଇ ଆଧୁନିକ ପ୍ରଣାଳୀରେ ଜୈବିକ ସାର ପ୍ରୟୋଗ କରି ସୁନାର ଫସଲ ଅମଳ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଚାଷ ପାଇଁ ପେଷା ବଦଳାଇଲେ ଇଞ୍ଜିନିୟର; ଭଲ ଆୟ ଦେଉଛି କୁକୁଡ଼ା ଚାଷ

ଏବେ ଝିଞ୍ଜିଲିବାଡି ଗାଁର ୩୪ ଏକର କ୍ଷେତରେ ପନିପରିବା ଲଗାଇଛନ୍ତି ସତ୍ୟ ପ୍ରବୀନ । ତାଙ୍କ ଜମିରେ ପଲିଥିନ ବିଛାଇ ଛୋଟ ପାଇପ୍ ଯୋଗେ ପାଣି ମାଡ଼ୁଛି ଏଵଂ ସେଇ ପାଇପ୍ ଯୋଗେ ଗଛକୁ ସାର ଯୋଗାଯାଉଛି । ଏହାଦ୍ୱାରା ଅଳ୍ପ ପାଣିରେ ଫସଲ ଅମଳ ହୋଇପାରୁଛି । ଏହି ପଦ୍ଧତିକୁ ଗ୍ରିପ୍ ସିଷ୍ଟମ୍ ବୋଲି କୁହାଯାଉଛି । ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରାଯାଉଛି । ସେ ଟମାଟୋ, ବାଇଗଣ, କାକୁଡ଼ି, ଫୁଲ କୋବି, ବନ୍ଧା କୋବି ପରି ଅନ୍ୟାନ୍ୟ ଋତୁ କାଳୀନ ପନିପରିବା ଚାଷ କରୁଛନ୍ତି । ସତ୍ୟ ଚାଷ ଜମିରେ ନିଜେ କାମ କରିବା ସହିତ ୬୦ ଜଣ ଶ୍ରମିକଙ୍କୁ କାମରେ ଲଗାଇଛନ୍ତି । ତାଙ୍କ ଯୋଗୁ ୬୦ ଜଣ ରୋଜଗାରର ବାଟ ପାଇଛନ୍ତି ।

ଇଞ୍ଜିନିୟରରୁ ସଫଳ ଚାଷୀ ବନିଥିବା ସତ୍ୟ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । କିଛି ଦିନ ପୂର୍ବେ ରାୟଗଡ଼ା ଜିଲାପାଳ ସ୍ଵଦଦେବ ସିଂହ ପରିଦର୍ଶନରେ ଯାଇଥିଲେ ଏବଂ ଉଚ୍ଚ ପ୍ରଶଂସା କରିଥିଲେ ।

(ରିପୋର୍ଟ- ମାଉଡି ବାରିକ, ରାୟଗଡ଼ା)