କଠିନ ପରିଶ୍ରମ ଆଣିଦିଏ ସଫଳତା । କଠିନ ପରିଶ୍ରମ କରିବା ଦ୍ୱାରା ଦିନେ ନା ଦିନେ ସଫଳତା ମିଳିଥାଏ । ବେଳେ ବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡିଥାଏ । ଆଉ ଏହି ବାଧା ବିଘ୍ନକୁ ଗୋଡ଼ରେ ଆଡେଇ ୟୁପିଏସିରେ କୃତକାର୍ଯ୍ୟ ହୋଇଛନ୍ତି ଅନେକ ପରିଶ୍ରମୀ ଛାତ୍ରଛାତ୍ରୀ ।
କିଏ ଚାକିରି ଛାଡି ପାଠ ପଢିଛି ତ ଆଉ କିଏ ସାଙ୍ଗସାଥୀଙ୍କ ମେଳକୁ ତ୍ୟାଗ କରିଛି । କିଏ ନିଜ ଅଭିଭାବଙ୍କ ସ୍ବପ୍ନକୁ ପୂରଣ ପାଇଁ ଭୋକ ଉପାସରେ ରହି ପାଠ ପଢିଛି ତ ଆଉ କିଏ ନିଜକୁ ସମାଜ ଆଗରେ ପ୍ରମାଣିତ କରିବା ଲାଗି ରାତି ରାତି ଅନିଦ୍ରା ହୋଇଛି । ଦୃଢ ମନୋବଳ,ଆତ୍ମବିଶ୍ବାସ,ନିଷ୍ଠା, ସଂକଳ୍ପର ପ୍ରତିଫଳନ ଅନେକ ସମୟରେ ସଫଳତାରେ ଝଲସି ଉଠିଛି ।
Also Read
ନିଜ ଆବଶ୍ୟକତା, ପ୍ରେରଣାକୁ ନେଇ ଦୃଢମନା ହୋଇ ଲକ୍ଷ୍ୟପଥରେ ଆଗେଇ ଅନେକ ଆଶାୟୀ ପାଇଛନ୍ତି ସଫଳତା । କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସସିରେ କଠିନ ପରିଶ୍ରମ ସତ୍ତ୍ୱେ ପ୍ରଥମ ପ୍ରୟାସରେ ଅସଫଳ ହୋଇ ଦ୍ୱିତୀୟ ପ୍ରୟାସରେ କୃତକାର୍ଯ୍ୟ ହୋଇଥିବା ସେହିଭଳି ଜଣେ ଛାତ୍ରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ସମ୍ପର୍କରେ ଆସନ୍ତୁ ଜାଣିବା..
ଅଧିକ ପଢ଼ନ୍ତୁ: ବାରିକ୍ ସାର୍ଙ୍କ ଯବାନ ତିଆରି କାରଖାନା, ପାଦ ପଡ଼ିଲେ ଚାକିରି ଥୁଆ !
ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଅଂଶିକା ବର୍ମା ପ୍ରଥମ ପ୍ରୟାସରେ ବିଫଳତାର ସ୍ୱାଦ ଚାଖିବା ପରେ ମଧ୍ୟ ହାର ମାନି ନଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ମାତ୍ର ୨୪ ବର୍ଷ ବୟସରେ ଅଲ୍ ଇଣ୍ଡିଆ ରାଙ୍କ୍ (AIR)୧୩୬ ସହ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଏବେ ଉତ୍ତର ପ୍ରଦେଶରେ IPS ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।
ଅଂଶିକା ବର୍ମା କିଏ?
IPS ଅଧିକାରୀ ଅଂଶିକା ବର୍ମାଙ୍କ ଘର ଉତ୍ତର ପ୍ରଦେଶର ପ୍ରୟାଗରାଜ । ସେ ୧୯୯୮ ମସିହା ସେପ୍ଟେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ଗାଲଗୋଟିଆ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି କଲେଜରେ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ବି. ଟେକ୍ ଡିଗ୍ରୀ ହାସଲ କରିଥିଲେ । ସେ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କ ରାସ୍ତାରେ ଅନେକ ଚ୍ୟାଲେଞ୍ଜ ଆସିଥିଲେ ମଧ୍ୟ ସେ ପଛକୁ ନହଟି ପ୍ରୟାସ ଜାରି ରଖିଥିଲେ । ସେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସେ ପ୍ରଥମ ପ୍ରୟାସରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ ।
ଏହାପରେ ଦ୍ୱିତୀୟ ପ୍ରୟାସରେ ସେ UPSC ପରୀକ୍ଷାରେ ସଫଳତା ପାଇଥିଲେ । ଅଂଶିକା UPSC ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପରାମର୍ଶ ଦେଇ କହିଛନ୍ତି, ପରୀକ୍ଷାର୍ଥୀମାନେ ନିଜର ଶକ୍ତି ଏବଂ ଦୁର୍ବଳତାକୁ ଚିହ୍ନଟକରି ଏକ କଷ୍ଟୋମାଇଜ୍ଡ୍ ଉପାୟରେ ନିଜର ପ୍ରସ୍ତୁତି କରିବା ଉଚିତ । ଅଂଶିକା ବର୍ମା ବର୍ତ୍ତମାନ ଉତ୍ତର ପ୍ରଦେଶରେ ପୋଷ୍ଟିଂ ପାଇ କାର୍ଯ୍ୟରତ ଅଛନ୍ତି ।