/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739861396.jpg)
Groom returns dowry
ଯୌତୁକ ପାଇଁ ନବବଧୂକୁ ହତ୍ୟା, ଶାଶୁଘର ଲୋକଙ୍କ ଅମାନୁଷିକ ନିର୍ଯାତନାର ଅନେକ ଘଟଣା ଆପଣ ଶୁଣୁଥିବେ ଓ ଟିଭିରେ ଦେଖୁଥିବେ । ଯୌତୁକ ଜନିତ ମୃତ୍ୟୁ ଆମ ଦେଶରେ ଏକ ସାଧାରଣ ଘଟଣା । ହେଲେ ଯୌତୁକ ଲୋଭୀ ଅମଣିଷଙ୍କ ଭିତରେ ଏମିତି ବି ଅନେକ ଭଲ ଲୋକ ଅଛନ୍ତି, ଯିଏ ଏହି କୁସଂସ୍କାର ବିରୋଧରେ ସ୍ୱର ଉଠାଇ ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି । ସେମିତି ଜଣେ ଯୁବକ ହେଲେ ୩୦ ବର୍ଷୀୟ ପରମବୀର ରାଠୋର । ଏହି ଯୁବକ ଶ୍ୱଶୁର ଘରୁ ଯୌତୁକରେ ମିଳିଥିବା ସାଢେ ୫ ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଅକଥନୀୟ ନିର୍ଯାତନା; ଯୌତୁକ ପାଇଁ ସ୍ତ୍ରୀକୁ HIV ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ....
ପରମବୀର ରାଠୋର ଜଣେ ସିଭିଲ୍ ସର୍ଭିସ ଆଶାୟୀ । ଘର ରାଜସ୍ଥାନର ଜୈସାଲମିର । ଗତ ଫେବୃୟାରୀ ୧୪ରେ ନିକିତା ଭାଟିଙ୍କ ସହ ତାଙ୍କର ବିବାହ ଥିଲା । ଢୋଲ ନଗାଡା ବଜାଇ ଘୋଡା ଚଢି ବିବାହ ପାଇଁ ପହଞ୍ଚିଥିଲେ ପରମବୀର । ତିଳକ ସେରିମନି ପରେ କନ୍ୟାଘର ପକ୍ଷରୁ ତାଙ୍କୁ ଅନେକ ଗୁଡିଏ ଦାମୀ ଉପହାର ଦିଆଯାଇଥିଲା । ସେଗୁଡିକ ମଧ୍ୟରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଲାଲ୍ କପଡାରେ ଗୁଡାଇ ହୋଇଥିବା ଟଙ୍କା ଭର୍ତ୍ତି ଏକ ଥାଳି । ଏହି ଥାଳିରେ ୫ ଲକ୍ଷ ୫୧ ହଜାର ନଗଦ ଉପହାର ଭାବେ କନ୍ୟା ପକ୍ଷରୁ ବରକୁ ଦିଆଯାଇଥିଲା । ହେଲେ ଏହି ଟଙ୍କାକୁ ଫେରାଇ ଦେଇଥିଲେ ପରମବୀର ।
ଏନେଇ ପରମବୀର କହିଛନ୍ତି, ''ସେମାନେ (କନ୍ୟାଘର) ଯେତେବେଳେ ଟଙ୍କା ଦେଲେ ମୋତେ ଆଶ୍ଚର୍ଯ୍ୟ ଲାଗିଲା ଯେ ଏବେ ବି ସମାଜରେ ଯୌତୁକ ପ୍ରଥା ରହିଛି । ମୁଁ ସମସ୍ତଙ୍କ ସାମ୍ନାରେ ଏହି ଟଙ୍କା ନେବାକୁ ମନା କରିପାରିଲିନି । ତେଣୁ ଘରକୁ ସାଙ୍ଗରେ ନେଇ ଆସିଲି । ଘରେ ପହଞ୍ଚି ମୋ ବାପା ଓ ଅନ୍ୟ ପରିବାର ଲୋକଙ୍କୁ ସବୁତକ ଟଙ୍କା ଫେରାଇ ଦେବାକୁ କହିଲି । ପରିବାର ଲୋକେ ମଧ୍ୟ ବିନା ସଙ୍କୋଚରେ ଏଥିରେ ରାଜି ହୋଇଯାଇଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜଣେ ସିଭିଲ୍ ସର୍ଭିସ ଆଶାୟୀ । ମୋର ବି ଘରେ ଗୋଟିଏ ଭଉଣୀ ଅଛି । ଯଦି ଆମ ଭଳି ଶିକ୍ଷିତ ଲୋକ ଏସବୁ କୁପ୍ରଥା ବନ୍ଦ ନ କରିବେ ତାହେଲେ ସମାଜରେ କିପରି ପରିବର୍ତ୍ତନ ଆଣିବେ । ଆମ ସମସ୍ତଙ୍କୁ କୋଉଠି ନା କୋଉଠି ଏହାକୁ ଆରମ୍ଭ କରିବାକୁ ହେବ । ପରମବୀରଙ୍କ ଏଭଳି ମହତ୍ ପଦକ୍ଷେପ ଏବେ ସବୁଠି ପ୍ରଶଂସାର ପାତ୍ର ହୋଇଛି ।
ତାଙ୍କ ବାପା ଇଶ୍ୱର ସିଂହ କହିଛନ୍ତି, ଆଜିର ସମୟରେ ମହିଳାମାନେ ସବୁ କ୍ଷେତ୍ରରେ ନିଜ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି । ସେଥିପାଇଁ ଆମେ ଟଙ୍କା ନେବାକୁ ମନା କରିଥିଲୁ । କେବଳ ରୀତିନୀତି ହିସାବରେ ଏକ ଟଙ୍କା ଓ ଗୋଟିଏ ନଡିଆ ଗ୍ରହଣ କରିଥିଲୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)