/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682702368.jpg)
Devastated Family In Anandapur Suffer To Make Ends Need
ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ବାପା ଆଉ ପୁଅ । ସ୍ୱାମୀ ଓ ପୁଅକୁ ହରାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୃଦ୍ଧା । ସ୍ୱାମୀ-ପୁଅ ବଂଚିଥିବା ବେଳେ ମୂଲମଜୁରୀ ଲାଗି ପରିବାର ଚଳାଉଥିଲେ ହେଲେ ଏବେ ତ ସେମାନେ ଆଉ ନାହାନ୍ତି । ବରଂ ସେମାନେ ଯିବା ପରେ କଷ୍ଟ ଆହୁରି ବଢିଯାଇଛି । ଘରେ ବିଧବା ବୋହୂ ସହ ଦିବ୍ୟାଙ୍ଗ ଝିଅ ପୁଣି ତା' ସାଙ୍ଗରେ ଦୁଇ ନାତିନାତୁଣୀ । ଏମିତି ପରିସ୍ଥିତିରେ ଘର କେମିତି ଚଳିବ ସେନେଇ ଚିନ୍ତାରେ ପୂରା ପରିବାର ।
ଘର ଭାଙ୍ଗିଗଲାଣି, ଛଣ ଉଡ଼ିଗଲାଣି । ବର୍ଷାକୁ ଅଟକାଇବାକୁ ମଥାନ ଉପରେ ପାଲ ଢଙ୍କା ହୋଇଛି । ତା' ଅବସ୍ଥା ବି ଶୋଚନୀୟ । କେତେବେଳେ ଛିଡିଯିବ ତାହା କାହାକୁ ବି ଜଣାନାହିଁ । ପାଲ ଢଙ୍କା ହେବା ପରେ ବି ଜୋରରେ ବର୍ଷା ହେଲେ ଘରେ ପାଣି ପଡ଼େ । ଆଉ ହାଣ୍ଡି, କଡେଇ ରଖି ପାଣିକୁ ସିନା ଅଟକାଇ ଦିଅନ୍ତି ହେଲେ ନିଜର ଦୁଃଖ ଓ ଯନ୍ତ୍ରଣାକୁ କେମିତି ଲୁଚେଇବେ ସେନେଇ ଏମାନଙ୍କ ପାଖରେ କିଛି ଉପାୟ ନାହିଁ ।
ଅଧିକ ପଢ଼ନ୍ତୁ: ସୁଅ ମୁହଁରେ ସନ୍ତୋଷଙ୍କ ସଂସାର, ସାହାଯ୍ୟ ନମିଳିଲେ ଭାସିଯିବ ପୂରା ପରିବାର
ସୋମବାରୀ ମଲ୍ଲିକ । ଘର କେନ୍ଦୁଝର ଘଷିପୁରା ବ୍ଲକ୍ ଦରଡ଼ିପାଳ ପଂଚାୟତ ବରମାଳ ଗାଁରେ । ସ୍ୱାମୀ ପରିତ୍ୟକ୍ତ ଏଇ ବୃଦ୍ଧାଙ୍କ ଦୁଃଖ ଓ ଯନ୍ତ୍ରଣା ଶୁଣିଲେ ଆପଣଙ୍କ ଆଖିରୁ ବି ବୋହି ଆସିବ ଦୁଇଧାର ଲୁହ । ସ୍ୱାମୀ-ପୁଅ ଚାଲିଯିବା ପରେ ବଂଚିବା ୟାଙ୍କ ପାଖରେ ଯେମିତି ବଡ଼ କଷ୍ଟକର ହୋଇ ପଡ଼ିଛି । ଘରେ ବିଧବା ବୋହୂ ଥିବା ବେଳେ ଦିବ୍ୟାଙ୍ଗ ଝିଅର ବୋଝ ବି ତାଙ୍କ କାନ୍ଧ ଉପରେ । ଏ ବୟସରେ କେମିତି କଣ କରିବେ ସେନେଇ ଦିନରାତି ଚିନ୍ତା କରି କରି କଟୁଛି ଦିନ ।
ଦୁଃଖ ତାଙ୍କର ଏତିକିରେ ସରିନି । ବରଂ କଇଁଆ, ଆମ୍ବ ଖାଇ ସେମାନଙ୍କର କଟୁଛି ଦିନ । ୫ ପ୍ରାଣୀ କୁଟୁମ୍ବ ପାଇଁ ତରକାରୀ ଯେମିତି ସାତ ସପନ ପାଲଟିଛି । ସରକାରୀ ଭାବରେ ଯେଉଁ ୧୫ କିଲୋ ଚାଉଳ ମିଳୁଛି ସେତିକିରେ ମାସଟା ସାରା ଚଳିବାକୁ ପଡ଼ୁଛି । ତେଣୁ ତରକାରୀ ଖାଇବାର ପ୍ରଶ୍ନ ଉଠୁଛି କେଉଁଠୁ ?
ଖଣି ପାଇଁ ସାରା ଭାରତରେ କେନ୍ଦୁଝର ପ୍ରସିଦ୍ଧି ଲାଭ କରିଛି । ହେଲେ ସେହି ଜିଲ୍ଲାରେ ଆଜି ବି ଏମିତି ପରିବାର ଅଛି ଯାହାଙ୍କ ଲାଗି ତରକାରୀ ସାତସପନ । ତେବେ ସୋମବାରୀଙ୍କ ଦୁଃଖ ନେଇ ସରପଂଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିବା ପରେ ବି ସାହାଯ୍ୟର ହାତ ବଢାଇବାକୁ କେହି ଇଚ୍ଛା କରୁନାହାନ୍ତି । ତେଣୁ ତୁରନ୍ତ ଏହି ପରିବାରକୁ ସାହାଯ୍ୟ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ ।
(ଆନନ୍ଦପୁରରୁ ମୁନ୍ନା ସିଂଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)