• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଖଟ ଉପରେ ସ୍ୱାମୀ ଶୋଇଛି...ମୁହଁ ପୋଛି ଦେବା ସହିତ ସବୁ କାମ କରୁଛି ସ୍ତ୍ରୀ । ଉଷୁମ ପାଣିରେ ଗୋଡ, ଦେହ ହାତକୁ ବି ପୋଛି ଦେଉଛି । ପୋଛି ଦେଇ ସଫା କରିବା ପରେ ପାଣିରେ ବିସ୍କୁଟ ବୁଡ଼ାଇ ବୁଡ଼ାଇ ଖୁଆଇ ଦେଉଛି । ସ୍ତ୍ରୀ ହାତରୁ ଧୀରେ ଧୀରେ ବିସ୍କୁଟ ଖାଉଛି ସ୍ୱାମୀ । ଖଟ ଉପରେ ନିଜେ ଠିକ୍‌ରେ ବସିବି ପାରୁନାହାନ୍ତି । ସେଇଥି ଲାଗି ତ ପଛରେ ପୁଅ ଡେରି ହେଲେ ବିଛଣାରୁ ଉଠି ବସୁଛି ବାପା ।

ମାଟି ଖଳା, ପ୍ଲାଷ୍ଟିକ ଖଟିଆ ଉପରେ ଶୋଇଛନ୍ତି ସ୍ୱାମୀ । ଧରିଲେ ଉଠୁଛନ୍ତି, ଖୁଆଇ ଦେଲେ ଖାଉଛନ୍ତି । ରୋଗ ଯନ୍ତ୍ରଣାରେ ସେ ଏମିତି ଯୁଝି ହେଉଛନ୍ତି ଯେ ନିଜେ କଡ ଲେଉଟେଇବା ବି ତାଙ୍କ ପକ୍ଷରେ କଷ୍ଟ ହେଉଛି । ସ୍ୱାମୀଙ୍କ ଯନ୍ତ୍ରଣାକୁ ଦେଖି ଧୈର୍ଯ୍ୟ ଧରିପାରୁନାହିଁ ସ୍ତ୍ରୀ । ସେଇଥି ଲାଗି ତ ଦିନରାତି ୨୪ ଘଂଟା ନିଜର ଇହକାଳପରକାଳର ଦେବାତଙ୍କର କରୁଛି ସେବା ।

ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍‌ ଏହାପରେ ତାଙ୍କ ଜୀବନରେ ମାଡିଆସିଲା ଘୋର ଅନ୍ଧକାର । ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କରାଇଲେ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେଲେନି । ଡାକ୍ତର କହୁଛନ୍ତି, ଆହୁରି ଟଙ୍କା ଦରକାର । ଘରର ମେରୁଦଣ୍ଡ ରୋଗରେ ପଡିବା ପରେ ପରିବାର ଚଳିବା କଷ୍ଟ । ସେଇଠି ସନ୍ତୋଷଙ୍କ ଚିକିତ୍ସା ଲାଗି ଟଙ୍କା ଆସିବ କେଉଁଠୁ?

ସ୍ୱାମୀ ରୋଗରେ ପଡିବା ପରେ ଘରର ଚିତ୍ର ପୂରା ବଦଳିଯାଇଛି । ଦୁଇ ପିଲା କେମିତି ପାଠ ପଢିବେ ? ଘର କେମିତି ଚଳିବ ? ଏଇ ସବୁ ଚିନ୍ତାରେ ଦିନ କାଟୁଛନ୍ତି ସ୍ତ୍ରୀ ରେବତୀ । ଏମିତି ସ୍ଥିତିରେ ଆପଣ ବି ବୁଝିପାରୁଥିବେ କେତେ ଦୟନୀୟ ସ୍ଥିତିରେ ସେମାନେ ଚଳୁଛନ୍ତି । ଆଉ ଏହାରି ଭିତରେ ଦିକିଦିକି ଚୁଲି ଜଳେଇ ପିଲାଙ୍କ ମୁହଁରେ ଆହାର ଦେଉଛନ୍ତି ରେବତୀ ।

ସାହିପଡିଶା ଯାହା ଯେମିତି ସାହାଯ୍ୟ କରୁଛନ୍ତି ସେତିକିରେ ଏବେ ବଡ଼ କଷ୍ଟରେ ପରିବାର ଚଳୁଥିବା ବେଳେ ପ୍ରଶାସନର ସହାୟତା ଲୋଡିଛନ୍ତି ରେବତୀ । କାରଣ ସନ୍ତୋଷଙ୍କ ଚିକିତ୍ସା ଲାଗି ଏବେ ମାସକୁ ଦରକାର ୧୦ ହଜାର ଟଙ୍କା। ସେପଟେ ସରପଞ୍ଚ ଏ ଘଟଣା ସମ୍ପର୍କରେ ଅବଗତ ହେବା ପରେ କହିଛନ୍ତି, ଓଡିଶା ମୋ ପରିବାର ପକ୍ଷରୁ ତାଙ୍କର ଦାୟିତ୍ୱ ନିଆଯିବ । ପ୍ରତିମାସ ତାଙ୍କୁ ବେସରକାରୀ ଭାବରେ ୧୦୦୦ ଟଙ୍କାର ଦିଆଯିବର ବ୍ୟବସ୍ଥା ବି କରାଯାଇଛି । ଏହାସହ ଜିଲ୍ଲା ଅଧିକାରୀ ବି ପ୍ରତିଶ୍ରୁତି ଦେଇଛନ୍ତି ସନ୍ତୋଷଙ୍କୁ ସବୁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ...

ଦର୍ଶକବନ୍ଧୁ ଆପଣ ଅନେକ ସମୟରେ ଏମିତି ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଯଦି ଆପଣ ବି ସନ୍ତୋଷଙ୍କ ପରିବାରକୁ ସାହାଯ୍ୟର ହାତ ବଢାନ୍ତେ ତେବେ ତାଙ୍କର ଚିକିତ୍ସା ହେବା ସହିତ ପିଲାମାନେ ଭଲରେ ପାଠ ପଢିପାରନ୍ତେ....ଯଦି ସାହାଯ୍ୟ ପାଇଁ ଇଚ୍ଛା କରୁଛନ୍ତି ତେବେ ୬୩୭୦୬୭୭୭୫୬ ନମ୍ବରରେ ଯୋଗାଯୋଗ କରନ୍ତୁ ।

(ଭଦ୍ରକରୁ ପ୍ରାର୍ଥସାରଥୀ ନାୟକ)