• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୁଣ୍ଡରୁ ଛାତ ଉଡିଗଲାଣି, ଟାଇଲ ଖଣ୍ଡ ଖଣ୍ଡ ହୋଇଗଲାଣି । କେତେବେଳେ ଭୁଶୁଡି ପଡିବ ସେକଥା କାହାକୁ ଜଣାନାହିଁ । ଘରେ ରହିଲେ ବି ଦିନରେ ସୂରୁଜ ରାତିରେ ଚନ୍ଦ୍ର ସବୁ ଧୋବ ଫରଫର ହୋଇ ଦିଶୁଛି । ଖରା, କାକରରେ ତ କଷ୍ଟମଷ୍ଟେ ଜାକିଜୁକି ହୋଇ ରହିହେଉଛି ହେଲେ ବର୍ଷା ଦିନର କଷ୍ଟ କହିଲେ ଆଖିରୁ ଧାରଧାର ଲୁହ ବୋହି ଆସୁଛି ।

ଏମିତି ଘରକୁ ଦେଖିଲେ କେହି ଜଣେ ବି କହିବେନି ଏଇଠି ମଣିଷ ରହୁଛନ୍ତି । ଆପଣ ବିଶ୍ୱାସ ନକଲେ ବି ଏମିତି ଭଙ୍ଗାଦଦରା ଘରେ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେବ ରହୁଛନ୍ତି ପାଂଚପ୍ରାଣୀ କୁଟୁମ୍ବ । ଏମାନଙ୍କ କଷ୍ଟକୁ ବର୍ଣ୍ଣନା କରିବାକୁ ହେଲେ ଶବ୍ଦ ବି କମ୍‌ ପଡ଼ିବ । କାନ୍ଥ ଫାଟି ଆଁ କରିଛି ତ ଆଉ କୋଉ କାନ୍ଥରେ ପାଣି ବୋହି ବୋହି ନେଳି ଲାଗିଗଲାଣି । କିନ୍ତୁ ଘର ତିଆରି କରିବା ଲାଗି ଏମାନଙ୍କ ଅଣ୍ଟିରେ ଧନ ନାହିଁ ।

ଅଧିକ ପଢ଼ନ୍ତୁ: ୪ ଖଣ୍ଡ ବାଉଁଶ ,କିଛି ଛିଣ୍ଡା ଅଖାରେ ବିତୁଛି ଭଗବାନଙ୍କ ଜୀବନ

ଗଂଜାମ କବିସୂର୍ଯ୍ୟନଗର ବଡମହୁରୀ ଗାଁର ସୁକାନ୍ତି ବେହେରା । ସ୍ୱାମୀ ପର ଦୁଆରେ ମୂଲ ଲାଗିଲେ ପାଂଚପ୍ରାଣୀଙ୍କୁ ପେଟକୁ ଦାନାଯିବ । ସକାଳେ କାମକୁ ଗଲେ ସଂଧ୍ୟାରେ ଘରେ ଚୁଲି ଜଳିବ । ଏମିତି ସ୍ଥିତିରେ ଘର କରିବାକୁ ସେ ଟଙ୍କା ଆଣିବେ ବା କେଉଁଠୁ? ସେଇଥି ଲାଗି ତ ଏଇ ଘରେ ଜୀବନକୁ ବାଜିରେ ଲଗାଇ ୧୦ ବର୍ଷ ହେଲାଣି ରହୁଛନ୍ତି । ବର୍ଷାଦିନେ କାନ୍ଥ ନଷ୍ଟ ନହେବାକୁ ପାଲ ଘଉଡାଇ ଦେଉଛନ୍ତି କିନ୍ତୁ ସେ ପାଲ ବର୍ଷା ପାଣିକୁ ଅଟକାଇବାରେ ସମର୍ଥ ବି ନୁହେଁ ।

ଆଜିକା ସମୟରେ ଏମିତି ଭଙ୍ଗା ଘରେ ଦୁଇ ବଢିଲା ଝିଅ, ପୁଅ ବି ରହୁଛନ୍ତି କିନ୍ତୁ ଘରେ ବିଜୁଳି ନାହିଁ । ଘର ଖଣ୍ଡିଏ ପାଇଁ ପ୍ରଶାସନଠୁ ରାଜନେତା ସମସ୍ତଙ୍କ ପାଖକୁ ଦଉଡି ଦଉଡି ସୁକାନ୍ତିଙ୍କ ଗୋଡରୁ ଚପଲ ଘୋରି ହୋଇଯାଇଛି କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ । ଆଶ୍ଚର୍ଯ୍ୟର କଥା ହେଲା, ସୁକାନ୍ତିଙ୍କ ବାପା ବଳରାମ ଦିନେ ବହୁତ ଧନୀ ଥିଲେ । କିନ୍ତୁ ପରିସ୍ଥିତିରେ ପଡି ନିଜ ଘରକୁ ସାନ ଝିଅକୁ ଦେଲେ । କିନ୍ତୁ ସେ ଘରର ଅବସ୍ଥା ଏବେ ଭଗ୍ନଅବସ୍ଥାରେ ।

ସରକାରଙ୍କ ପକ୍ଷରୁ ମିଳୁଥିବା ଆବାସ ଯୋଜନା ପାଇଁ ବାରମ୍ବାର ଗୁହାରି କରିଛନ୍ତି ପୂରା ପରିବାର । ହେଲେ ଲାଭ କିଛି ହୋଇନି । ବରଂ ସରକାରୀ ସହାୟତାକୁ ଚାହିଁଚାହିଁ ଭଙ୍ଗା ଘରେ ସତେ ଯେମିତି ଗୋଟିଏ ବିପଦକୁ ଅନେଇ ବସିଛନ୍ତି ଏଇ ପରିବାର । ସୁକାନ୍ତୀଙ୍କ ଦୁଃଖ ଆମେ ବିଡିଓଙ୍କୁ ଜଣାଇବା ପରେ ସେ କହିଛନ୍ତି ସରକାରୀ ଯୋଜନାରେ ସୁକାନ୍ତିଙ୍କୁ କେମିତି ଘର ମିଳିବ ସେନେଇ ଆମେ ପଦକ୍ଷେପ ନେବୁ ।  ତେବେ ସମୟ କହିବ କେବେ ସୁକାନ୍ତିଙ୍କ ଦୁଃଖ ଶୁଣୁଛି ସରକାର ଆଉ କେବେ ମିଳୁଛି ଆବାସ ଯୋଜନା...।

(ରିପୋର୍ଟ- ମନୋଜ ମୁନୀ, ଆସିକା)