ଆପଣ ସତ୍ୟବାନ ଏବଂ ସାବିତ୍ରୀଙ୍କ କାହାଣୀ ନିହାତି ଶୁଣିଥିବେ । ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିଥିଲେ । ସେଥିପାଇଁ ପ୍ରତ୍ୟକ ସଧବା ନାରୀ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା ସହ ମଙ୍ଗଳମନାସୀ ସାବିତ୍ରୀ ବ୍ରତ ପାଳନ କରନ୍ତି । ଠିକ୍ ଏମିତି ଏକ ଘଟଣା ଘଟିଛି କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ।
କୂଅରେ ପଡ଼ିଯାଇଥିବା ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ଜୀବନକୁ ବିପଦରେ ପକାଇଲେ ପତ୍ନୀ । ନିଜ ଜୀବନ କଥା ଚିନ୍ତା ନକରି କୂଅ ଭିତରେ ପଡ଼ିଯାଇଥିବା ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ କୂଅ ଭିତରକୁ ପଶିଲେ ପତ୍ନୀ । ସ୍ୱାର୍ଥପର ଦୁନିଆରେ ଦିନ କେଇଟା ନବିତୁଣୁ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଫାଟ ଦେଖିବାକୁ ମିଳୁଛି । ଏମିତି କି କଥା ବିବାହ ବିଚ୍ଛେଦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚୁଛି । ଏଭଳି ସମୟରେ ଏହି ମହିଳାଙ୍କୁ କଳିଯୁଗର ସାବିତ୍ରୀ କହୁଛନ୍ତି ଲୋକେ ।
Also Read
କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ରହୁଥିବା ୬୪ ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଧିକାରୀ ରାମେସନ କୂଅରେ ପଡ଼ିଯାଇଥିଲେ ଏବଂ କୂଅରେ ଅଚେତ ହୋଇ ପଡ଼ି ରହିଥିଲେ । ଏହାପରେ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ୫୬ ବର୍ଷୀୟା ପିକେ ପଦ୍ମମ ୪୦ ଫୁଟ ଗଭୀର କୂଅକୁ ଡେଇଁ ପଡ଼ିଥିଲେ ।
ରାମେଶନ ତାଙ୍କ ଘର ଅଗଣାରେ ଥିବା କୂଅ ପାଖରେ ଲଙ୍କା ସଂଗ୍ରହ କରିବା ସମୟରେ କୂଅରେ ପଡ଼ିଯାଇଥିଲେ । ଏକ ଗଛର ଡାଳ ଭାଙ୍ଗିଯିବା ଫଳରେ ଏମିତି ଦୁର୍ଘଟଣା ଘଟିଥିଲା । କୂଅଟି ପ୍ରାୟ ୪୦ ଫୁଟ ଗଭୀର ଥିଲା ଏବଂ ତଳେ ପ୍ରାୟ ପାଞ୍ଚ ଫୁଟ ପାଣି ରହିଥିଲା । ଏହାପରେ ପ୍ରଥମେ ପଦ୍ମମ ଏକ ରଶି ବ୍ୟବହାର କରି କୂଅ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ହାତ ଖସିଯିବାରୁ ସେ କୂଅର ଚତୁର୍ଥ ରିଙ୍ଗ ପର୍ଯ୍ୟନ୍ତ ଖସି ପଡ଼ିଥିଲେ ।
ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ମୃତ୍ୟୁ ପରେ କଲମ ପ୍ରେମରେ ପଡ଼ିଛନ୍ତି ଅର୍ଜୁନ, ସାଉଁଟୁଛନ୍ତି ପୁରୁଣା ସ୍ମୃତି
ଏହାପରେ ମଧ୍ୟ କମ୍ ଆଲୋକ କାରଣରୁ ନିଜ ସ୍ୱାମୀଙ୍କୁ ଦେଖି ନପାରିବାରୁ ସେ ପାଣିକୁ ଡେଇଁ ପଡ଼ିଥିଲେ । ପିକେ ପଦ୍ମମ ଚେତାଶୂନ୍ୟ ହୋଇ ବୁଡି ଯାଉଥିବା ସ୍ୱାମୀଙ୍କୁ ଠିଆ କରିବାରେ ସଫଳ ହୋଇଥିଲେ । ସେମାନେ ଏକାଠି କୂଅର କାନ୍ଥରେ ଆଉଜି ହୋଇ ରହିବା ସହ ସାହାଯ୍ୟ ପାଇଁ ଅପେକ୍ଷା କରିଥିଲେ । ଏହାପରେ ଅଗ୍ନିଶମ ବାହିନୀ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ସାମାନ୍ୟ ଆହତ ଅବସ୍ଥାରେ ଡାକ୍ତରଖାନାକୁ ପଠାଯାଇଥିଲା । ସତେ ଯେମିତି ଯମ ପରାସ୍ତ ହୋଇଥିଲେ ଏବଂ ଜିତିଯାଇଥିଲେ କଳିଯୁଗର ସାବିତ୍ରୀ ।