• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଜୀବନରେ ଯେବେ ପ୍ରେମ ହୁଏ... ବୋଧହୁଏ ନିଜର କଲମ ମୁନରୁ ଏଇମିତି ଜନ୍ମନିଏ ସୁନ୍ଦର ସୁନ୍ଦର ବହି । ଶେଷ ସ୍ପର୍ଶ, ନାଲି ପାଟ ଓ ମିଛକଥା ଭଳି ଅନେକ କାହାଣୀ ଜୀବନ୍ତ ହୋଇଉଠନ୍ତି । ଆଉ ପୁରୁଣା କଥା ଗୁଡ଼ିକୁ ମନକୁ ଆଣି ମୁରୁକି ମୁରୁକି ହସାନ୍ତି । ଅନେକ ଅକୁହା କଥା ସାଇତି ହୋଇ ରହିଯାଏ ବହିର ପୃଷ୍ଠା ଗୁଡ଼ିକରେ । ଏହି ବହିଗୁଡ଼ିକୁ ଅନେକ କଥା କହିଯାଏ । ଫେରାଇ ଆଣେ ସେ ପୁରୁଣା ଦିନର ପୁରୁଣା ସ୍ମୃତିକୁ । ମନର ମାନସୀ ପାଖରେ ନଥିଲେ ତ କ’ଣ ହେଲା ତା’ର ଅନୁଭବ କରାଇଦିଏ । କାରଣ ଏ କାହାଣୀ ତ ସେ ଯିବା ପରେ ହିଁ ଆରମ୍ଭ ହୋଇଛି ।

୭୮ ବର୍ଷିୟ ଅର୍ଜୁନ ଚରଣ ପଣ୍ଡା । ୨୦୦୧ରେ ଧର୍ମପତ୍ନୀ ତୁଳସୀଲତାଙ୍କ ମୃତ୍ୟୁ ହେବା ପରେ ସେ ଏବେ ପଡ଼ିଛନ୍ତି ଲେଖିବା ପ୍ରେମରେ । ପତ୍ନୀଙ୍କ ସୃତିକୁ ଏହି ବହି ଭିତରେ ଖୋଜନ୍ତି । ବହି ଗୁଡ଼ିକ ଭିତରେ ତୁଳସୀଙ୍କୁ ମନେପକାଇ ତାଙ୍କୁ ଉପହାର ଦିଅନ୍ତି । ଅର୍ଜୁନଙ୍କ ହାତ ଲେଖା ୩୭ ଖଣ୍ଡ ବହି ସାରା ଓଡ଼ିଶାରେ ଜନାଦୃତ ପାଇସାରିଛି । ତାଙ୍କର ଉପନ୍ୟାସ ଗୁଡିକ ଭିତରୁ ମହୀୟସୀ କୈକେୟୀ, ତାରା ମହାଦେଇ ,ଗାନ୍ଧାରୀର ଅଭିଶାପ ଓ ଶକ୍ତି ରୂପେଣ ସଂସ୍ଥିତାକୁ ଲୋକମାନେ ବେଶ୍‌ ଭଲପାଇବା ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନ୍ଧଟିଆ ଗାଁରେ ପ୍ରଜ୍ଞା ପୁରୁଷ ତଥା ଲେଖକ ଅର୍ଜୁନ ଚରଣ ପଣ୍ଡାଙ୍କ ଘର । ଅର୍ଜୁନଙ୍କ ବାପା ସ୍ବର୍ଗତ ଭାବଗ୍ରାହୀ ପଣ୍ଡା ଜଣେ ପ୍ରତିଷ୍ଠିତ ପାଲା ଗାୟକ ଥିଲେ । ଛାତ୍ର ଜୀବନରୁ ଅର୍ଜୁନ ପାଲା ଗାୟକ ହିସାବରେ ଜିଲ୍ଲାରେ ବେଶ ନାଁ ମଧ୍ୟ କରିସାରିଛନ୍ତି । ଖାଲି ସେତିକି ନୁହେଁ ଅର୍ଜୁନ ପଣ୍ଡା ପୂର୍ବରୁ ଶିକ୍ଷକତା କରିବା ସହ ରେଳ ବିଭାଗର ଡାକ ସେବାରେ ବି କାମ କରିଛନ୍ତି ।

ଓଡ଼ିଆ ସାହିତ୍ୟ ଓ ଲୋକ କଳା ପାଇଁ ନିଜ ଜୀବନକୁ ଉତ୍ସାର୍ଗୀକୃତ କରିଥିବାରୁ କେବଳ ଧାମନଗର ନୁହେଁ ସାରା ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଲେଖକ ଅର୍ଜୁନ ପଣ୍ଡା ।

OTV is now on Whatsapp

Join and get latest news update delivered to you via whatsapp

Join Now