• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘର ଭାଙ୍ଗିଗଲାଣି, ଛପର ତଳକୁ ଖସିପଡ଼ିଲାଣି । ଦିନରେ ସୂର୍ଯ୍ୟ ଆଉ ରାତିରେ ଦିଶୁଛି ଚନ୍ଦ୍ର । ମାଟି କାନ୍ଥରୁ ଖଣ୍ଡ ଖଣ୍ଡ ମାଟି ବି ଖସିଗଲାଣି । ଏମିତି ଚିତ୍ର ଦେଖିବା ପରେ ଆପଣ ବି ଅନୁମାନ କରିପାରିବେ ସେମାନେ କେମିତି ଦୟନୀୟ ସ୍ଥିତିରେ ରହୁଛନ୍ତି । ହେଲେ ବଡ଼ ଦୁଃଖର କଥା ଆଜିଯାଏଁ ମିଳିଲାନି ଖଣ୍ଡେ ଘର କି ରାସନକାର୍ଡ଼ ।

ସ୍ୱାମୀ-ସ୍ତ୍ରୀ ଉଭୟେ ଦିବ୍ୟାଙ୍ଗ । ଠିକ୍‌ରେ ଚାଲିପାରନ୍ତିନି । ଯୁବା ବୟସରେ ବି ଚାଲିବାକୁ ଆଉ ଅଣ୍ଟାରେ ବଳ ନାହିଁ । ତଥାପି ବଂଚିବାର ରାହା ଖୋଜୁଛନ୍ତି ଦିବ୍ୟାଙ୍ଗ ସ୍ୱାମୀ-ସ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଚାଂୟତ ପୁଜାରୀ ସାହାଜବାହାଲ ଗାଁର ଚିତ୍ତରଂଜନ ପୁଟେଲ ଓ ସ୍ତ୍ରୀ ସାବିତ୍ରୀ ପୁଟେଲଙ୍କ ଯନ୍ତ୍ରଣା ଦେଖିଲେ ଆପଣଙ୍କ ଆଖିରେ ବି ଜକେଇ ଆସିବ ଲୁହ । ଚିତ୍ତରଂଜନଙ୍କ ପିଠିରେ ମାଂସ ପିଣ୍ଡୁଳା ବଢୁଥିବାରୁ ସେ ଠିକ୍‌ରେ ଚାଲିବି ପାରୁନାହାନ୍ତି । ହେଲେ ପରିବାରର ବୋଝ ମୁଣ୍ଡରେ ଥିବାରୁ ପର ଦୁଆରେ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ମୋ ସ୍ୱାମୀର ତ କାମ ହେଉନି, ତୁମ ବିଜୁ ସ୍ୱାସ୍ଥ୍ୟକାର୍ଡ଼ ମୁଁ କରିବି କଣ ?

ସାବିତ୍ରୀ ବି ଜଣେ ଦିବ୍ୟାଙ୍ଗ । ହେଲେ ସ୍ୱାମୀଙ୍କୁ ସାଥ୍‌ ଦେବାକୁ ଗୋଟିଏ ଟେଲରିଂ ଦୋକାନ କରିଛନ୍ତି । ସେତିକିରୁ ଯେତିକି ଯାହା ରୋଜଗାର ହେଲା ସେତିକିରେ ପରିବାର ଚଳାଉଛନ୍ତି । ଆଶ୍ଚର୍ଯ୍ୟକର କଥା ହେଲା, ସେମାନେ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ପରେ ବି ସରକାରୀ ଯୋଜନା ତାଙ୍କ ପାଇଁ ସାତସପନ ପାଲଟିଛି । ସରକାରୀ ସହାୟତା ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ବି ସେମାନଙ୍କ କଥାକୁ ସତେ ଯେମିତି କେହି କର୍ଣ୍ଣପାତ କରନାହାନ୍ତି । ସରକାରୀ ଯୋଜନା କହିଲେ ମାସକୁ ଯାହା ମିଳୁଛି ଗଣ୍ଡେ ଭତ୍ତା ।

୨୩ ବର୍ଷ ହେଲାଣି ରାଜ୍ୟରେ ସ୍ଥିର ସରକାରର ଚାଲିଛି ଶାସନ। ଶାସକ ଦଳ କହୁଛି ଆମ ସରକାର ଗରିବର । ହେଲେ ପ୍ରକୃତରେ ଗରିବ ଓ ଦିବ୍ୟାଙ୍ଗମାନେ ଏଇଠି କେତେ ଅବହେଳିତ ତାହା ଏହି ଘଟଣା ହିଁ ବୟାନ କରୁଛି । ସେପଟେ ଦିବ୍ୟାଙ୍ଗ ଦମ୍ପତିଙ୍କ ସମ୍ପର୍କରେ ବିଡ଼ିଓ ଅବଗତ ହେବା ପରେ ଖୁବଶୀଘ୍ର ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

  • Reported by:
  • Dilip Sahoo