/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683481439.jpg)
Bhadrak Sarapancha
ଗାଁକୁ ରାସ୍ତା ନଥିଲା, ଯିବା ଆସିବାରେ ଅସୁବିଧା ହେଉଥିଲା । ଏମିତିକି ଗାଁରେ ଯଦି କେହି ରୋଗୀ ମେଡିକାଲ ଯିବାକୁ ଅପେକ୍ଷା କରିଥିଲେ ବି ଗାଁ ଭିତରକୁ ପଶିପାରେନି ଆମ୍ବୁଲାନ୍ସ । ରାସ୍ତା ଖଣ୍ଡେ ଲାଗି ପ୍ରଶାସନ ପାଖରେ ଗୁହାରି କରିକରି ଥକି ପଡିଥିଲେ ଗାଁ ଲୋକେ, ହେଲେ ବି ରାସ୍ତା ହେଲାନି । କାହିଁକି ନା ସରକାରୀ ଜମି ନଥିବାରୁ ରାସ୍ତାର ବ୍ୟୟବରାଦ ହୋଇପାରୁନଥିଲା କି ରାସ୍ତା ନିର୍ମାଣ ହୋଇପାରୁନଥିଲା ।
ପଂଚାୟତ ଲୋକଙ୍କ ଭୋଟ୍ରେ ନେତା ହୋଇଥିଲେ, ସେଇଥି ଲାଗି ତ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ନିଜେ ଅଂଟା ଭିଡିଛନ୍ତି ସରପଂଚ । ନିଜ ପଦବୀକୁ ଖାତିର ନକରି, ବାବୁଠାଣି ନରଖି ସାଧାରଣ ଲୋକଙ୍କ ସହ ମିଶି ନିଜ ପଂଚାୟତର ରାସ୍ତା ନିଜେ ନିର୍ମାଣ କରୁଛନ୍ତି । ତାହା ପୁଣି ନିଜ ଦରମା ଟଙ୍କାରୁ । ଯାହାକୁ ନେଇ ପୂରା ଅଂଚଳରେ ଭାରି ଚର୍ଚ୍ଚା ।
ଅଧିକ ପଢ଼ନ୍ତୁ: ଏମିତି ସରପଞ୍ଚଙ୍କୁ ସଲାମ୍...ଗାଁ ଲୋକଙ୍କ ସହ ମିଶି ଖୋଳୁଛନ୍ତି ପୋଖରୀ
ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ୍ ରାଜେନ୍ଦ୍ରପୁର ପଂଚାୟତର ସରପଂଚ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ନେଇ ଏବେ ପୂରା ପଂଚାୟତରେ ଭାରି ଚର୍ଚ୍ଚା । କାରଣ ଅନେକ ଦିନ ହେଲାଣି ପଂଚାୟତରେ ଯେଉଁ ସମସ୍ୟା ଲାଗି ରହିଥିଲା ତାହାର ସମାଧାନ କରିବା ଲାଗି ନିଜେ ଅଂଟା ଭିଡିଛନ୍ତି ସରପଂଚ । ନିଜ ପଂଚାୟତ ଅଧୀନରେ ଥିବା ମଙ୍ଗଳା ଗାଁ, ତରେଇ ସାହି , ମଠସାହିର ରାସ୍ତା ନିର୍ମାଣ କରିଛନ୍ତି । ଏହି ୩ ଗୋଟି ସାହିରେ ପ୍ରାୟ ୭୦ରୁ ଅଧିକ ପରିବାର ବାସ କରନ୍ତି । ହେଲେ ନିତିଦିନିଆ ରାସ୍ତା ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଥିଲେ ଲୋକେ । ଆଉ ଲୋକଙ୍କ ସମସ୍ୟା ଦେଖିବା ପରେ ତାହାକୁ ସମାଧାନ କରିବା ଲାଗି ଚେଷ୍ଟା କରିଥିଲେ ସରପଞ୍ଚ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରତିଥର ନିର୍ବାଚନ ଆସିଲେ ରାସ୍ତା ଲାଗି ନେତାଏ ପ୍ରତିଶ୍ରୁତି ଦେଉଥିଲେ । ହେଲେ ରାସ୍ତା ହୋଇପାରୁନଥିଲା । ଏଥର ନିର୍ବାଚନରେ ବିଜୟ ହେବା ପରେ ରାସ୍ତା କରିବା ଲାଗି ଚେଷ୍ଟା କରିଥିଲେ ପୂର୍ଣ୍ଣଚନ୍ଦ୍ର । କିନ୍ତୁ କେହି ଜାଗା ନଦେବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ହେଲେ ହାର୍ ମାନିନଥିଲେ ସେ ବରଂ ଲୋକଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ନିର୍ମାଣ କରିଥିଲେ । ଆଉ ରାସ୍ତା ନିର୍ମାଣ ହେବା ପରେ ଏବେ ୩୦ ବର୍ଷ ସମସ୍ୟାର ସମାଧାନ ହୋଇଥିବା କହୁଛନ୍ତି ସ୍ଥାନୀୟ ଲୋକେ । ସତରେ ଏମିତି ସରପଂଚ ଥିଲେ ବିକାଶକୁ କେହି ବି ରୋକିପାରିବେ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)