• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଇ ଚାରି ଦିନ ନ ଖାଇଲେ ଚଳିବ । ଟିକେ ଦୁର୍ବଳ ଲାଗିପାରେ, କିନ୍ତୁ ବିଶେଷ ଅସୁବିଧା ହେବନି । ହେଲେ ଭାବନ୍ତୁ ତ ୪-୫ ଦିନ ଆଦୌ ନ ଶୋଇଲେ ଅବସ୍ଥା କ’ଣ ହେବ । ପୁରା ପାଗଳ ହୋଇଯିବ ମଣିଷ । ତେଣୁ ଖାଦ୍ୟଠାରୁ ବି ଅଧିକ ଜରୁରୀ ନିଦ୍ରା । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରାର ମହତ୍ତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ମାର୍ଚ୍ଚ ମାସର ତୃତୀୟ ଶୁକ୍ରବାରକୁ ବିଶ୍ୱ ନିଦ୍ରା ଦିବସ ଭାବେ ପାଳନ କରାଯାଉଛି । ଏ ବର୍ଷର ଥିମ୍ ରହିଛି ‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ’ ।

ରାତିର ଗାଢ଼ ନିଦ ହେଉଛି ସାରା ଦିନର ଶକ୍ତି । ଭଲ ନିଦ ହୋଇଛି ମାନେ ଦିନ ସାରା ଫୂର୍ତ୍ତି ଲାଗିବ । ଆଉ ରାତିରେ ଯଦି ମଣିଷ ଭଲରେ ଶୋଇ ନ ପାରିଲା, ତା ପର ଦିନ ପୁରା ବରବାଦ୍ । ହାଲିଆ ଲାଗିବ, କାମ କରିବାକୁ ଇଚ୍ଛା ହେବନି, ଚିଡ୍ ଚିଡ୍ ଲାଗିବ । ପୁରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ । ଆଉ ଯଦି ଲଗାତର ଭାବେ ଅନିଦ୍ରା ଲାଗି ରହେ, ତେବେ ସ୍ମୃତିଶକ୍ତି ହ୍ରାସ ହେବା ସହିତ ରକ୍ତଚାପ, ଡାଇବେଟିସ୍ ପରି ରୋଗ ମଧ୍ୟ ହୋଇପାରେ । ତେଣୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଶିଶୁ ଓ ବୟସ୍କ ଲୋକ ଅଧିକ ସମୟ ଶୋଇ ପାରିବେ ।

ରାତିରେ ବାରମ୍ବାର ନିଦ ଭାଙ୍ଗିବା, ସ୍ୱପ୍ନ ଆସିବା, ଦିନରେ ନିଦ ଲାଗିବା ନିଦ୍ରାହୀନତାର ଲକ୍ଷଣ ହୋଇପାରେ । ଭଲ ନିଦ ହେବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ । ସଫାସୁତୁରା ବିଛଣା ସହିତ ବେଡ୍ ରୁମରେ ଭଲ ଭେଣ୍ଟିଲେସନ, ଶରୀର ଅନୁକୂଳ ତାପମାତ୍ରା ରହିବା ଦରକାର । ଶୋଇବା ଆଗରୁ ଚା, କଫି, ମଦ ନ ପିଇବାକୁ କହିବା ସହିତ ରାତିରେ ଗରିଷ୍ଠ ଖାଦ୍ୟ ମଧ୍ୟ ନ ଖାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଶାରୀରିକ ପରିଶ୍ରମ ଓ ବ୍ୟାୟାମ କଲେ ଭଲ ନିଦ ହୁଏ । ପ୍ରତିଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଶୋଇବାକୁ ଓ ଉଠିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଡାକ୍ତର ।

ତା ସହିତ ମାନସିକ ଚାପ, ଉତ୍ତେଜନାରୁ ଦୂରେଇ ରହିବାକୁ କୁହାଯାଇଛି। ଆଉ ଏକ ବଡ଼ କଥା ହେଲା ଶୋଇବାର ଘଣ୍ଟେ ଦୁଇଘଣ୍ଟା ଆଗରୁ ମୋବାଇଲ, ଟିଭି, କମ୍ପ୍ୟୁଟର ବର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଆହାର, ନିଦ୍ରା ଓ ମୈଥୁନ । ଏସବୁ ହେଉଛି ଜୀବଜନ୍ତୁଙ୍କ ସହଜାତ ପ୍ରବୃତ୍ତି । ତେବେ ସେଥିରୁ ନିଦ୍ରା ହିଁ ହେଉଛି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ । ସୁସ୍ଥ ଶରୀର ପାଇଁ ଉପଯୁକ୍ତ ନିଦର ମହତ୍ତ୍ୱ ସଂପର୍କରେ ସଚେତନତା ପାଇଁ ୨୦୦୮ରେ ବିଶ୍ୱ ନିଦ୍ରା ଦିବସ ଅଭିଯାନ କରିଥିଲା ବିଶ୍ୱ ନିଦ୍ରା ଦିବସ କମିଟି । ଏହାର ଲକ୍ଷ୍ୟ ହେଉଛି ନିଦ୍ରାହୀନତା ସଂପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରିବା ।

କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, ଓଟିଭି