/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658415362.jpg)
Vibrio Cholerae
କାଶୀପୁର ପରେ ଉମରକୋଟର ଝରିଗାଁରେ ଝାଡାବାନ୍ତି ଆତଙ୍କ ଆଜି ଏଠାରେ ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଝରିଗାଁ ବ୍ଲକ୍ ଡୁମରପଦର ଗାଁର ପୁନେଇ ଭତ୍ରା ଦୁଇ ଦିନ ଧରି ଝାଡ଼ା ବାନ୍ତିରେ ଆକ୍ରାନ୍ତ ଥିଲେ । ଆଜି ପୁନେଇଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତେବେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।
ସେପଟେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ବି ଝାଡ଼ାବାନ୍ତି ଆତଙ୍କ । ଆଜି ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ମୃତକ ହଲେ ୪୦ ବର୍ଷୀୟ ଡମୁଣୀ ଜାନୀ । ତାଙ୍କୁ ପ୍ରଥମେ ଦଶମନ୍ତପୁର ମେଡିକାଲ ଓ ପରେ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଝାଡ଼ାବାନ୍ତି ବ୍ୟାପିବା ପରେ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ପହଞ୍ଚି ଅନ୍ୟ ଆକ୍ରାନ୍ତମାନଙ୍କୁ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି ।
ସେପଟେ କାଶୀପୁର ବ୍ଲକର ଝାଡ଼ାବାନ୍ତି ‘ଭିବ୍ରିଓ କଲେରା’ ବୋଲି ଚିହ୍ନଟ ହୋଇସାରିଛି । ଝାଡ଼ାବାନ୍ତିକୁ ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କରିସାରିଛନ୍ତି ରାୟଗଡ଼ା CDMO ଲାଲମୋହନ ରାଉତରାୟ । RMRC ଲାବୋରେଟାରୀକୁ ଆକ୍ରାନ୍ତଙ୍କ ସାମ୍ପଲ ପଠାଯାଇଥିଲା । ପରେ ଏହା ଜଣାପଡ଼ିଥିଲା ।
ତେବେ ଭିବ୍ରିଓ କଲେରାକୁ ମାରାତ୍ମକ ବୋଲି କହିଥିଲେ CDMO । ୨୦୦୭ରେ ଏହି ରୋଗ କାଶୀପୁରରେ ପ୍ରଥମେ ଚିହ୍ନଟ ହୋଇଥିଲା । ଦୂଷିତ ପାଣି ବ୍ୟବହାର ଦ୍ୱାରା ଏହି ରୋଗ ବ୍ୟାପିଥାଏ ବୋଲି ସେ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)