• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ କେଶକୁ ନେଇ ଅନେକ ସମସ୍ୟା ଦେଖାଗଲାଣି । କେଶ ଝଡ଼ିବା ହେଉ କି, ମାତ୍ର ଅଳ୍ପ ବୟସରେ କେଶ ଧଳା ହୋଇଯିବା ପରି ସମସ୍ୟା ଦେଖିବାକୁ ମିଳିଲାଣି । ସବୁଠାରୁ ବଡ଼ କଥା ହେଉଛି ଏବେ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ଅଳ୍ପ ବୟସରେ ସେମାନଙ୍କ କେଶ ଧଳା ହୋଇଯାଉଛି । ଜେନେଟିକ୍ ସମ୍ବନ୍ଧୀୟ କାରଣ ହେଉ କି ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବ ହେତୁ ଏପରି ହେଉଥିବା କୁହାଯାଉଛି । ହେଲେ ଏହା ପଛର ପ୍ରକୃତ କାରଣ କ’ଣ ରହିଛି । ଆସନ୍ତୁ ଜାଣିବା...

କୁହାଯାଏ ଯେତେବେଳେ ହେୟାର ଫୋଲିକଲ୍ସ ପିଗମେଣ୍ଟ କୋଷ ମାଧ୍ୟମରେ ଆବଶ୍ୟକୀୟ ପରିମାଣର ମେଲାନିନ ଉତ୍ପାଦନ କରେ ନାହିଁ, ସେତେବେଳେ କେଶର ରଙ୍ଗ ଧଳା ହୋଇଥାଏ । ଯେପରିକି ଚାପ ବା ଚିନ୍ତାଗ୍ରସ୍ତ ରହିବା, ହରମୋନାଲ ପରିବର୍ତ୍ତନ କିମ୍ବା ଭିଟିଲିଗୋ ନାମକ ଏକ ଚର୍ମ ରୋଗ ହେତୁ କେଶରେ ପରିବର୍ତ୍ତନ ଦେଖାଦେଇଥାଏ । ଜଣନ୍ତୁ ଏହାର ୪ ପ୍ରମୁଖ କାରଣ...

ଭିଟାମିନ୍‌ ଅଭାବ

କେଶକୁ ମଜଭୁତ ରଖିବାକୁ ହେଲେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଛି । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା କେଶର ରଙ୍ଗ କଳା ରହିଥାଏ । ଭିଟାମିନ୍ B12, ଆଇରନ୍‌ର ଅଭାବ ହେବା ଦ୍ୱାରା କେଶ ଦୁର୍ବଳ ହେବା ସହିତ ଧଳା ହୋଇଯାଇଥାଏ । ଏହି ପୋଷକ ତତ୍ତ୍ୱ ମେଲାନିନ ତିଆରି କରିବାରେ ଏବଂ କେଶ ଫୋଲିକଲଗୁଡ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ହରମୋନ୍‌ ପରିବର୍ତ୍ତନ

ଶରୀରରେ ହରମୋନାଲ ପରିବର୍ତ୍ତନ ହେବା ଯୋଗୁ କେଶର ରଙ୍ଗ ଉପରେ ପ୍ରଭାବ ପଡ଼ିଥାଏ । ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ସେମାନଙ୍କ ଗର୍ଭଧାରଣ ସମୟରେ କେଶରେ ଅନେକ ସମସ୍ୟା ଦେଖାଦେଇଥାଏ । ଯେପରିକି, କେଶ ଝଡ଼ିବା, ଛିଡ଼ିବା ଓ ଧଳା ମଧ୍ୟ ହୋଇଥାଏ । ମେଲାନୋସାଇଟ୍-ଉତ୍ତେଜକ ହରମୋନ୍ (MSH) ଏବଂ କର୍ଟିସୋଲ୍ ପରି ହରମୋନରେ ପରିବର୍ତ୍ତନ କାରଣରୁ କେଶର ରଙ୍ଗରେ ପରିବର୍ତ୍ତନ ଆସିଥାଏ ।

ଚାପଗ୍ରସ୍ତ ରହିବା

ଦୀର୍ଘ ଦିନଧରି ଚାପଗ୍ରସ୍ତ ରହିବା ଦ୍ୱାରା କେଶ ଉପରେ ପ୍ରଭାବ ପଡ଼ିଥାଏ । ଚାପରେ ରହିବା ଦ୍ୱାରା ଶରୀରରେ ଷ୍ଟ୍ରେସ୍ ହର୍ମୋନର ସିକ୍ରେସନ୍ ସୃଷ୍ଟି ହୋଇଥାଏ । ଯାହା କେଶର ରଙ୍ଗ ସହ ଶରୀରର ଅନେକ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ବହୁତ ଦିନ ଧରି ଚାପରେ ରହିବା ଦ୍ୱାରା ମେଲାନୋସାଇଟ୍ସର ହ୍ରାସ ହେବା ସହିତ କେଶ ଧଳା ହୋଇଯାଇଥାଏ ।

ଧୂମପାନ

ଧୂମପାନ କରିବା ଦ୍ୱାରା ବିଭନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଧୂମପାନ ଯୋଗୁ କେଶ ଧଳା ମଧ୍ୟ ହୋଇଥାଏ । ଏହା ଶରୀରରେ ବିଶେଷ ଭାବେ କ୍ଷତି ପହଞ୍ଚାଇଥାଏ ।