• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଟକ ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା। ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡରେ ଦୀର୍ଘ ଦିନ ଧରି ଲିଫ୍ଟ ଅଚଳ । ଏଥିପାଇଁ ନିଇତି ସିଡିରେ ବୁହା ହେଉଛନ୍ତି ରୋଗୀ। ଏମ୍ସ ପ୍ଲସ ହେବାକୁ ଯାଉଥିବା ଏସସିବି ମେଡିକାଲକୁ ନେଇ ଉଠିଛି ଅନେକ ପ୍ରଶ୍ନବାଚୀ।


ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗୁରୁତର ରୋଗୀ । ରୋଗୀଙ୍କୁ ଦୁଇ ଜଣ ଷ୍ଟ୍ରେଚରରେ ଧରି ସିଡ଼ି ଚଢ଼ୁଥିବା ବେଳେ ଆଉ ଜଣେ ଆଟେଣ୍ଡାଣ୍ଟ ରୋଗୀ ଦେହରେ ଲାଗିଥିବା ଅକ୍ସିଜେନ ସିଲିଣ୍ଡରକୁ ବୋହି ନେଉଛନ୍ତି । ଏ ହେଉଛି କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ, ଖୋଦ କଟକ ବଡ଼ ମେଡିକାଲର ଦୃଶ୍ୟ । ୪ ମହଲା ଉପରକୁ ଷ୍ଟ୍ରେଚର ସହାୟତାରେ କିପରି ସିଡି ବାଟେ ନିଆଯାଉଛି ଗୁରୁତର ରୋଗୀଙ୍କୁ। ଏସସିବି ମେଡିକାଲର ନ୍ୟୁ ମେଡିସିନ ୱାର୍ଡରେ ସପ୍ତାହରୁ ଅଧିକ ଦିନ ହେଲାଣି ଲିଫ୍ଟ ଅଚଳ । ଫଳରେ ରୋଗୀଙ୍କୁ ଏଭଳି ବିପଦଜନକ ଭାବେ ନିଆଯାଉଛି । ଆଇସିୟୁକୁ ଯାଉଥିବା ରୋଗୀଙ୍କୁ ମଧ୍ୟ ଏଭଳି ନିଆଯାଉଛି। ମେଡିକାଲକୁ ଆସିଥିବା ଜଣେ ମହିଳାଙ୍କ କହିବାନୁଯାୟୀ, ତାଙ୍କ ମାଆ ମେଡିକାଲରେ ଭର୍ତ୍ତି ହେବାକୁ ଥିବା ବେଳେ ଲିଫ୍ଟ ଅଚଳ ଯୋଗୁ ବାଧ୍ୟ ହୋଇ ସ୍ଥାନାନ୍ତର ପାଇଁ ଦଲାଲକୁ ଦେବାକୁ ପଡିଛି ୮ ଶହ ଟଙ୍କା।

ଏସସିବି ମେଡିକାଲରେ କେବଳ ମେଡିସିନ ୱାର୍ଡ ନୁହେଁ, କାଜୁଆଲିଟିରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣାରେ ଆହତ ହୋଇ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସିଡିରେ ନିଆଯାଉଛି । ହେଲେ ଡାକ୍ତର ଓ ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟ କିନ୍ତୁ ସବୁ ଠିକ୍‌ଠାକ୍। ତେବେ ଏଭଳି ଅବ୍ୟବସ୍ଥା କିଭଳି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦେଖାଯାଉନି ବୋଲି ସାଧାରଣରେ ଉଠିଛି ପ୍ରଶ୍ନ । ମେଡିକାଲ ପରିଚାଳନା ପାଇଁ ୪ ଜଣ ହସ୍ପିଟାଲ ମ୍ୟାନେଜରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି, ହେଲେ ଫଳ ଶୂନ। ସେପଟେ ଲିଫ୍ଟ ଦୁଇଟି ଯାକ ଅଚଳ ଘଟଣାକୁ ସ୍ୱୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।