• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁରୀ ଜିଲ୍ଲାରେ ମଣିଷଙ୍କୁ ବ୍ୟାପିଲାଣି କି ବାର୍ଡ ଫ୍ଲୁ ? ଖବର ସରବରାହ ସଂସ୍ଥା ANIକୁ ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏ ବୟାନକୁ ନେଇ ଭୟ ଖେଳିବା ପରେ ଆଜି ସ୍ପଷ୍ଟୀକରଣ ରଖିଛି ଜନସ୍ଥାସ୍ଥ୍ୟ ବିଭାଗ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଆକ୍ରାନ୍ତ ନୁହେଁ, ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି । ଯିଏ କି ପ୍ରାଣୀ ସଂପଦ ବିଭାଗର ବାର୍ଡ ଫ୍ଲୁ ଟିମରେ ଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କ ନମୁନାକୁ ପୁଣେ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିକୁ ପଠାଯାଇଛି। ତେଣୁ ରିପୋର୍ଟ ନ ଆସିବା ଯାଏଁ ତାଙ୍କୁ ଆକ୍ରାନ୍ତ କହି ହେବନି ।

ସ୍ବାସ୍ଥ୍ୟ ବିଭାଗର ଏ ସ୍ପଷ୍ଟୀକରଣ ପରେ ବି ଡର ବଢ଼ିଛି । ତା’ର କାରଣ ବାର୍ଡଫ୍ଲୁ ପ୍ରଭାବିତ ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ମାସକ ତଳୁ କୁକୁଡ଼ା ମଡ଼କ ପରେ ମଲା କୁକୁ଼ଡା ସବୁ ଏମିତି କେନାଲ ଓ ଜୋରରେ ଭାସୁଥିବାର ସ୍ଥିତି । ବଡ଼ କଥା ହେଉଛି ଗୋଟିଏ ପଟେ ବାର୍ଡ କଲିଂ ଚାଲିଥିଲା ବେଳେ ମଙ୍ଗଳପୁର ନିକଟ ପୋଷୋଲୋ ମାଇନର କେନାଲରେ ଶହ ଶହ ମଲାକୁକୁଡ଼ା ଭାସୁଥିବାର ଉଦବେଗଜନକ ଚିତ୍ର ଆଜି ଦେଖିବାକୁ ମିଳିଛି ।

ସେପଟେ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହେବା ପରେ ବି ଏଭଳିଆ ବେପରୱା ସ୍ଥିତି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି । ଏହା ଭିତରେ ଏ ରୋଗ ଯେ ଅନ୍ୟମାନଙ୍କୁ ବ୍ୟାପିନି, ସେ ସନ୍ଦେହରୁ ମୁକୁଳିପାରୁନାହାନ୍ତି ଲୋକେ । ଏମିତିକି କୁକୁ଼ଡ଼ା ମରା ଅଭିଯାନରେ ଥିବା ଜଣେ RRT ସଦସ୍ୟଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯିବାରୁ ଅନ୍ୟମାନେ ବି ଚିନ୍ତାରେ ।

ଏପଟେ ପିପିଲି ଓ ସତ୍ୟବାଦୀରେ ଦେଖା ଦେଇଥିବା ବାର୍ଡ ଫ୍ଲୁ ଯେମିତି ଜିଲ୍ଲାର ଅନ୍ୟ ଅଞ୍ଚଳକୁ ନ ବ୍ୟାପେ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଓ ପ୍ରାଣୀ ସଂପଦ ବିଭାଗ ସଜାଗ ଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ପ୍ରଭାବିତ ଅଞ୍ଚଳରେ କିଛି ଦିନ ପାଇଁ ଚିକେନ ନ ଖାଇବା ଏବଂ ସଂକ୍ରମିତ ଅଂଚଳରେ ତଣ୍ଟି ଦରଜ, ଥଣ୍ଡା, କାଶ ଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି। ପିପିଲିରେ ଆଇସୋଲେସନ ୱାର୍ଡର ବ୍ୟବସ୍ଥା ହୋଇଥିବା ଉଭୟ ସିଡିଏମଓ ଓ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏପଟେ ବିଧାନସଭାରେ ବି ଉଠିଛି ବାର୍ଡ ଫ୍ଲୁ ସଂକ୍ରମଣ ପ୍ରସଙ୍ଗ । ମଣିଷ ଦେହରେ ବାର୍ଡ ଫ୍ଲୁ ସଂକ୍ରମଣ କଥା ଉଠାଇ ସ୍ବାସ୍ଥ୍ୟ ବିଭାଗ କି କି ପଦକ୍ଷେପ ନେଇଛି ସେନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଅପରପକ୍ଷେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩୦ ହଜାର କୁକୁଡ଼ାଙ୍କୁ ମରାଯାଇଥିବା ଏବଂ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବାର ଯୋଜନା ଥିବା ନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now