• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ବିଶ୍ୱ କର୍କଟ ସଚେତନତା ଦିବସ । ପୁରା ବିଶ୍ୱରେ ପ୍ରତିବର୍ଷ ୮୨ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି । ଏହା ମଧ୍ୟରେ ପାଖାପାଖି ୪୦ ଲକ୍ଷ ଲୋକ ଅଳ୍ପ ବୟସରେ ଅର୍ଥାତ୍, ୩୦ ରୁ ୪୦ ବର୍ଷ ମଧ୍ୟରେ ପ୍ରାଣ ହରାଇ ଥାଆନ୍ତି ।

ଭାରତରେ ପ୍ରତିବର୍ଷ ନଭେମ୍ବର ସାତ ତାରିଖରେ ପାଳିତ ହୁଏ ଜାତୀୟ କର୍କଟ ସଚେତନତା ଦିବସ । କର୍କଟ ପ୍ରତିରୋଧ ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ସମ୍ପର୍କରେ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦେଶରେ କର୍କଟ ଚିକିତ୍ସାର ସୁବିଧା ପ୍ରଦାନ ପାଇଁ ୧୯୭୫ରେ ଜାତୀୟ କର୍କଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା ।

କର୍କଟ ରୋଗ ଅନେକ ପ୍ରକାର । ଶରୀରର ବିଭିନ୍ନ ସ୍ଥାନରେ ଏହି ରୋଗ ହୋଇ ଥାଏ । ପୁରୁଷମାନେ ସାଧାରଣତଃ ପ୍ରୋଷ୍ଟେଟ୍ କ୍ୟାନସର, ଫୁସଫୁସ କ୍ୟାନସର, ବୃହଦାନ୍ତ୍ର କ୍ୟାନସର, ପାକସ୍ଥଳୀ କ୍ୟାନସର, ଯକୃତ କ୍ୟାନସରରେ ଆକ୍ରାନ୍ତ ହୋଇ ଥାଆନ୍ତି ।

ଅଧିକ ପଢ଼ନ୍ତୁ: ଲୋକଙ୍କ ସେବା କରୁଥିବା ଯଦୁନାଥ ଦିନେ କର୍କଟରେ ପିଡୀତ ହୋଇଥିଲେ; ଆଜି ସୁସ୍ଥ

ଅନ୍ୟପଟେ ମହିଳାମାନେ ପିତ୍ତକୋଷରେ କ୍ୟାନସର, ସ୍ତନ କ୍ୟାନସର, ଫୁସଫୁସ କ୍ୟାନସର, ଗର୍ଭାଶୟ କ୍ୟାନସର, ଥାଇରଏଡ କ୍ୟାନସର, ଜନନେନ୍ଦ୍ରିୟ କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି । ପିଲାମାନେ ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହେବା ନଜିର ରହିଛି । ପିଲାଙ୍କ କ୍ଷେତ୍ରରେ ରକ୍ତ କର୍କଟ, ମସ୍ତିଷ୍କ ଟ୍ୟୁମର ଓ ଲିମ୍ଫେମା ଦେଖା ଦେଇଥାଏ । କେବଳ ସଚେତନତା ବୃଦ୍ଧି ଦ୍ବାରା ହିଁ ଏହି ରୋଗ କବଳରୁ ମୁକ୍ତି ମିଳି ପାରିବ ।

୨୦୧୪ ସେପ୍ଟେମ୍ବରରେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଦ୍ବାରା ପ୍ରଥମ କରି ଜାତୀୟ କର୍କଟ ସଚେତନତା ଦିବସର ଆରମ୍ଭ ହୋଇଥିଲା । ପରେ ପରେ ଗୋଟେ କମିଟି ଗଠନ କରାଯାଇଥିଲା ଏବଂ ନଭେମ୍ବର ୭ କୁ ଜାତୀୟ କର୍କଟ ସଚେତନତା ଦିବସ ପାଳନ ପାଇଁ ମନୋନୀତ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ କର୍କଟର ଚିହ୍ନଟ ହୋଇ ପାରିଲେ, ଏହାର ଚିକିତ୍ସା ସମ୍ଭବପର ହୋଇଥାଏ । 

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, କର୍କଟ ଏପରି ଏକ ରୋଗ, ଯାହା ଶରୀରର ଯେକୌଣସି ଅଙ୍ଗ କିମ୍ବା ଟିସୁରେ ହୋଇପାରେ । ଫଳରେ ଶରୀରର କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବଢ଼ି ଥାଏ ।