• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗରିବ ରୋଗୀଙ୍କ ପାଇଁ ସରକାରଙ୍କ କାହିଁରେ କେତେ ଯୋଜନା । ମେଡିକାଲରୁ ମୃତଦେହ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଥିଲେ । ହେଲେ କଟକ ସହରରେ ଏହି ଯୋଜନା ଏବେ କୋମା ଅବସ୍ଥାରେ । ଶବ ବୋହିବା ପାଇଁ ଆସିଥିବା ମହାପ୍ରୟାଣ ଗାଡ଼ି, ମେଡିକାଲ ପଛପଟେ ପରିତ୍ୟକ୍ତ ସ୍ଥାନରେ ପଡ଼ିପଡ଼ି ଖତ ଖାଉଛି ।

ମାତ୍ର କିଛି କିଲୋମିଟର ଗଡିବା ପରେ ଦୀର୍ଘବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ପଡ଼ି କଳଙ୍କି ଲାଗି ଗଲାଣି ଏହି ଗାଡ଼ି । ଆଉ ଏ ଦୁଇଟି ସ୍ବର୍ଗରଥ ଗାଡ଼ି କଟକ ମହାନଗର ନିଗମ ଅଫିସ୍ ନିକଟରେ ଅଚଳ ହୋଇ ପଡ଼ିରହିଛି । ଯେଉଁ ଗାଡ଼ି ଶବ ବୋହିବା କଥା ସେହି ଗାଡ଼ି ସବୁ ନିଜେ ଶବ ପାଲଟି ଯାଇଛନ୍ତି । ଆଉ ସେପଟେ ଆତ୍ମୀୟଙ୍କ ମୃତଦେହ ନେବା ପାଇଁ ସମ୍ପର୍କୀୟଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଲୁଟୁଛନ୍ତି ବେସରକାରୀ ଆମ୍ବୁଲାନ୍ସ ।

୨୦୧୬ରେ ସରକାର କଟକ ସହରକୁ ୫ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦେଇଥିଲେ । ରେଡ଼କ୍ରସ ଅଧିନରେ ଏସସିବି ମେଡିକାଲରେ ଦୁଇଟି, ଶିଶୁଭବନ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନକୁ ଓ ସିଟି ହସ୍ପିଟାଲକୁ ଗୋଟିଏ ଲେଖାଏଁ ମହାପ୍ରୟାଣ ଗାଡ଼ି ଆସିଥିଲା । ତେବେ କ୍ୟାନ୍ସର ହସ୍ପିଟାଲ ଓ ବଡ଼ ମେଡ଼ିକାଲକୁ ଛାଡିଦେଲେ ଅନ୍ୟ ଦୁଇଟି ଗାଡ଼ି ପ୍ରଥମରୁ ହିଁ ବନ୍ଦ ହୋଇ ଯାଇଥିଲା ।

ଏବେ ବଡ଼ ମେଡ଼ିକାଲ ଓ କ୍ୟାନ୍ସର ହସ୍ପିଟାଲର ୩ଟି ଗାଡ଼ି ଦୀର୍ଘ ଆଠ ମାସ ହେଲା ଖରାପ୍ ହୋଇ ଗ୍ୟାରେଜରେ ପଡ଼ି ରହିଛି । ଏଣୁ ସାଧାରଣ ଲୋକେ ଏହି ସୁବିଧାର ଫାଇଦା ଉଠାଇ ପାରୁନାହାନ୍ତି । ସେପଟେ ତିନୋଟି ମହାପ୍ରୟାଣ ଗାଡ଼ି କିଣିବା ପ୍ରକ୍ରିୟା ଶେଷ ହୋଇ ଯାଇଛି, ଆସନ୍ତା ସପ୍ତାହରେ ମହାପ୍ରୟାଣ ଗାଡ଼ି ସ୍ବାଭାବିକ ଭାବରେ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କଟକ ଜିଲ୍ଲାପାଳ ।