ଅନେକ କହି ପାରନ୍ତି କେଶ ଏବଂ ନଖ ଶରୀରର ଏକ ଅଦରକାରୀ ଅଂଶ । କିନ୍ତୁ ସୌନ୍ଦର୍ଯ୍ୟ ପାଇଁ ଏମାନଙ୍କର ଆବଶ୍ୟକତାକୁ ଏଡାଇ ଦେଇ ହେବନି । ନିଜ ଶରୀରର ଗଢଣ ଅନୁସାରେ ଯେତିକି ଆବଶ୍ୟକ ସେତିକି ନଖ ଓ କେଶ ରହିଲେ ଏହା ସୌନ୍ଦର୍ଯ୍ୟର ପ୍ରତୀକ ହୋଇଥାଏ । ଅନ୍ୟପକ୍ଷେ ଅଯତ୍ନବର୍ଦ୍ଧିତ କେଶ ନଖ ରୂପକୁ ବିରୂପ କରିଦିଏ । ଅନେକ ବ୍ୟକ୍ତିଙ୍କଠାରେ ଏହି ନଖ ଏବଂ କେଶ ଖୁବ ଦ୍ରୁତ ଗତିରେ ବଢୁଥିବାବେଳେ ଅନେକଙ୍କ ଠାରେ ମନ୍ଥର ଗତିରେ ବଢୁଥାଏ । ହେଲେ ଏ ଚୁଟି ଓ ନଖ ଏମିତି ଅଯାଚିତ ଭାବେ ବଢେ କାହିଁକି ? ଏହା ପଛରେ କ’ଣ ରହିଛି ବୈଜ୍ଞାନିକ ଯୁକ୍ତି ?
ଅଧିକ ପଢ଼ନ୍ତୁ: Hair Care Tips: ବନ୍ଦ ହୋଇଯିବ କେଶ ଉପୁଡ଼ିବା ଓ ପାଚିବା, ଗାଏବ୍ ହୋଇଯିବ ରୁପି
କେତେ ବେଗରେ ବଢିଥାଏ କେଶ ଓ ନଖ
Also Read
ସାଧାରଣତଃ ଜଣେ ମଣିଷର ଚୁଟି ଗୋଟିଏ ମାସରେ ଗୋଟିଏ ସେଣ୍ଟିମିଟର ବଢିଥାଏ । ସେହିପରି ହାତ ଆଙ୍ଗୁଠିର ନଖ ମାତ୍ର ୩ ମିଲିମିଟର ବଢିଥାଏ । ଉଭୟ କେଶ ଏବଂ ଚୁଟି କେରାଟିନରେ ତିଆରି ହୋଇଥାଏ ଏବଂ ଉଭୟ ଶରୀର ଭିତରେ ଥିବା ମାଟ୍ରିକ୍ସ ସେଲରୁ ତିଆରି ହୋଇଥାନ୍ତି । ହେଲେ ଏମାନଙ୍କର ସେଲ ଫର୍ମେସନ ପଦ୍ଧତି ଭିନ୍ନ ହୋଇଥାଏ । ନଖର କୋଷିକା ଚମଡା ଭିତରେ ଥିବା ନଖର ମୂଳରୁ ତିଆରି ହୋଇଥାଏ ଏବଂ ବିଭାଜିତ ହୋଇଥାଏ । ଫଳରେ ପୁରୁଣା କୋଷିକା ଆଗକୁ ବାହାରି ଯାଇଥାଏ । ଯଦ୍ୱାରା ନଖ ବଢିଥାଏ ।
ସେହିପରି କେଶ ମଧ୍ୟ ମେଟ୍ରିକ୍ସ କୋଷିକାରୁ ତିଆରି ହୋଇଥାଏ । ହେଲେ ଏହା ତ୍ୱଚାର ଉପର ଭାଗରେ ବଢିଥାଏ । ଏହି ଅଂଶ କେଶର ମୂଳ ସହ ଜଡିତ ଥାଏ ଯାହାକୁ ଫୋଲିକିଲ କହିଥାନ୍ତି । ଫୋଲିକିଲ ସହ ନର୍ଭ, ମସଲ୍ସ ଏବଂ ବ୍ଲଡ ଭେସେଲ ଯୋଡି ହୋଇ ରହିଥାଏ । ଏହି ଅଂଶକୁ ହେୟାର ପପିଲା କହିଥାନ୍ତି । ଏହି ପପିଲା କେଶବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ ।
କାହିଁକି କେଶ ବଢେ ଓ ଛିଡ଼େ
କିନ୍ତୁ ନଖ ପରି କେଶ ନିୟମିତ ଭାବେ ବୃଦ୍ଧି ପାଇ ନ ଥାଏ । କେଶ ୪ଟି ପର୍ଯ୍ୟାୟ ଦେଇ ଗତି କରିଥାଏ । ଗୋଟିକରେ କେଶ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଗୋଟିଏ ପର୍ଯ୍ୟାୟରେ ଧୀରେ ବଢିଥାଏ । ତୃତୀୟରେ ଆଦୌ ବଢି ନ ଥାଏ । ଚତୁର୍ଥରେ କେଶ କେବଳ ଝଡ଼ିଥାଏ । କେଶର ଏହି ବଢିବା-ଛିଡିବା ଚକ୍ର ଜୀବନରେ ୧୦ରୁ ୩୦ ଥର ହୋଇଥାଏ । ତେବେ ସବୁ କେଶ ଏକାଥରକେ ବଢି ନ ଥାଏ ବା ଛିଡି ନ ଥାଏ । ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଇ କେଶ ବଢିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତିର ମୁଣ୍ଡରେ ଏକ ଲକ୍ଷ କେଶ ଥାଏ । ପ୍ରତିଦିନ ୧୦୦ରୁ ୧୫୦ କେଶ ଝଡିଥାଏ । ଏମିତି କେଶ ଝଡିବା ଏକ ସାଧାରଣ ପ୍ରକ୍ରିୟା ।
କେଶ ବୃଦ୍ଧି ପଛର କାରଣ
ନଖ ଏବଂ କେଶର ବୃଦ୍ଧି ହାର ପଛର ବଡ କାରଣ ହେଉଛି ଜେନେଟିକ୍ସ । ଏହି କାରଣରୁ ଗୋଟିଏ ପରିବାରରେ ଚୁଟି ବଢିବାର ହାର ପ୍ରାୟତଃ ସମାନ ରହିଥାଏ । ଏହାବ୍ୟତୀତ ଅନ୍ୟ କାରଣ ବି ରହିଛି । କେଶ ଝଡ଼ିବା ଓ ବଢିବା ବୟସ ଉପରେ ନିର୍ଭର କରିଥାଏ । ହରମୋନରେ ପରିବର୍ତ୍ତନ ମଧ୍ୟ ଏହାର ଅନ୍ୟ ଏକ କାରଣ । ତେବେ ଜଣେ ସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ କେଶ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ ।
କେଶ ବୃଦ୍ଧି ପଛରେ ପୋଷଣର ଭୂମିକା
ଏହାବ୍ୟତୀତ ପୋଷଣ ମଧ୍ୟ କେଶ ବୃଦ୍ଧିର ଅନ୍ୟ ଏକ କାରଣ ଅଟେ । କେଶ ପାଇଁ ପାଣି, ଫ୍ୟାଟ୍ସ ଏବଂ କେତେକ ମିନେରାଲ୍ସର ଆବଶ୍ୟକତା ରହିଛି । ଏସବୁ କେଶର କ୍ଷୟବୃଦ୍ଧି ଉପରେ ପ୍ରଭାବ ପକାଇଥାଏ । ଯେମିତି ଆଇରନ, ଜିଙ୍କର ଅଭାବ କେଶକୁ ଦୁର୍ବଳ କରିଦିଏ । ଏହାର ଅଭାବରେ ଅଧିକ ମାତ୍ରାରେ କେଶ ଝଡିଥାଏ ମଧ୍ୟ । ଏହାର ଅଭାବ ନଖ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ନଖ ଶିଘ୍ର ଭାଙ୍ଗି ଯାଇଥାଏ । ଏହି ସବୁ କାରଣରୁ ଭିନ୍ନ ଭିନ୍ନ ଲୋକଙ୍କ କେଶ ଏବଂ ନଖ ବୃଦ୍ଧିର କାରଣ ଅଲଗା ଅଲଗା ହୋଇଥାଏ ।
ଅନେକ ଲୋକଙ୍କର ଧାରଣା ଥାଏ ଯେ, ମୃତ୍ୟୁ ପରେ କେଶ ଓ ନଖ ବଢି ଯାଏ । କିନ୍ତୁ ଏମିତି ଧାରଣା ଭୁଲ । ଆମକୁ ସେମିତି ଲାଗିଥିଲେ ମଧ୍ୟ ପ୍ରକୃତରେ କିଛି ଘଟି ନ ଥାଏ । ମୃତ୍ୟୁ ପରେ ଆମ ଶରୀରର ଜଳୀୟ ଅଂଶ କ୍ରମଶଃ ଶେଷ ହୋଇ ଯାଇଥାଏ ଯଦ୍ୱାରା ତ୍ୱଚା ସଙ୍କୁଚିତ ହୋଇ ଯାଇଥାଏ । ଯାହା ଫଳରେ ନଖ ଓ କେଶ ସାମାନ୍ୟ ଲମ୍ବା ହେଲା ପରି ଲାଗିଥାଏ । କିନ୍ତୁ ପ୍ରକୃତରେ ସେମିତି କିଛି ହୋଇ ନ ଥାଏ ।