• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଏବେ ସିନା ହାତନଖ ରଙ୍ଗେଇବା ପାଇଁ ନେଲ୍‌ପଲିସ୍, ମୁହଁ ରଙ୍ଗେଇବା ପାଇଁ ହଳଦୀରଙ୍ଗ କ୍ରିମ୍, କେଶ ରଙ୍ଗେଇବା ପାଇଁ ହେୟାର କଲର, ହେୟାର ଅଏଲ, ଓଠ ରଙ୍ଗେଇବା ପାଇଁ କୃତ୍ରିମ ଲିପଷ୍ଟିକ ବାହାରିଲାଣି, କିନ୍ତୁ ଏଥିପୂର୍ବରୁ ମଣିଷ ତ ପୁଣି ନିଜର ବ୍ୟବହାର୍ଯ୍ୟ ପ୍ରସାଧନ ସାମଗ୍ରୀ ପାଇଁ ଏଇ ବୃକ୍ଷଲତା ଉପରେ ନିର୍ଭର କରୁଥିଲା। ପ୍ରାକୃତିକ ଶରୀର ପାଇଁ ସେଇ ପ୍ରାକୃତିକ ପ୍ରସାଧନ ସାମଗ୍ରୀ ଯେତେ ଉପାଦେୟ, ଏ କୃତ୍ରିମ ସାମଗ୍ରୀ କ’ଣ ତା’ର ପାସଙ୍ଗରେ ପଡ଼ିବ‌? ତା’ ସମ୍ମୁଖରେ ସେ ତୁଚ୍ଛାତିତୁଚ୍ଛ ଅଟେ।

ମଞ୍ଜୁଆତି ରଙ୍ଗ ପରି ହାତ ପାପୁଲିକି ସୁରକ୍ଷିତ ରଙ୍ଗଟିଏ କିଏ ଦେଇପାରିବ‌? ସେ ମଲ୍ଲୀ ଫୁଲ, ଗୋଲାପ ଫୁଲ, ରଜନୀଗନ୍ଧା ଫୁଲ, ଗଙ୍ଗଶିଉଳୀ ଫୁଲ ହେଉ କି ମଧୁମାଳତୀ ଫୁଲ ହେଉ। କାକର ଭିଜା ସଜ ଟକମକ୍ ଫୁଲ କେତୋଟି ତୋଳି ଆଣି ହାତ ପାପୁଲିରେ ଚକଟି ଦେଇ ମୁହଁରେ ଟିକିଏ ଲଗାଇ ଦେଲେ, ମୁହଁ ମହମହ ହୋଇ ମହକି ଉଠୁଥିଲା। ତ୍ୱଚା ଯେମିତି ମୁଲାୟମ ରହୁଥୁଲା, ଉଜ୍ଜ୍ଵଳ ଦିଶୁଥିଲା ବଟା ହଳଦୀ ସାଥ୍‌ରେ ବଟା ଚନ୍ଦନ ଟିକିଏ, ବେସନ ଟିକିଏ, ଗୋଲାପ ଫୁଲର ପାଖୁଡା କେତୋଟି, ଗୋଲାପ ଜଳ ଟିକିଏ କି ମହୁ ଟିକିଏ, ଦହି ଟିକିଏ କି କାଗଜିଲେମ୍ବୁ ଟିକିଏ ମିଶାଇ ଦେଲେ—ସେ ଯେମିତିକା କ୍ରିମ୍ ହେବ ଏବଂ ତ୍ୱଚାକୁ ସତେଜ ରଖୁବ, ତା’ର ସ୍ଥାନ କେଉଁ କ୍ରିମ୍ ପୂରଣ କରିପାରିବ? ଦିନ ଆସୁଛି କାହାର ମୂଲ୍ୟ କେତେ, ତାହା ସମୟ ନିରୂପଣ କରିବ‌?

ଏଇ ପ୍ରସାଧନ ସାମଗ୍ରୀ ଭିତରୁ ଗୋଟିଏ ଗଛ ହେଉଛି ‘ମଞ୍ଜୁଆତି’, ଯାହାକୁ ହିନ୍ଦୀରେ ‘ମେହେନ୍ଦି’ବୋଲି କୁହାଯାଏ। ଝିଅ ଭୁଆସୁଣୀ, ଓଷେଇତୁଣୀଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ଯାଏ ଯାହାକୁ ସମସ୍ତେ ଚିହ୍ନନ୍ତି—ଏ କେଡ଼େ ଉପକାରୀ ପ୍ରସାଧନ ସାମଗ୍ରୀ, ତାହା କଳ୍ପନା କରି ହେବନି। ଆଜିକାଲି ଖାଦ୍ୟରେ ପୋଷକତତ୍ତ୍ଵର ଅଭାବ ଯୋଗୁ- ନଖ, କେଶରେ ନାନା ସମସ୍ୟା ଦେଖାଯାଉଛି। କଣନଖା, ପଗାଙ୍ଗୁଳି, ବୁଢା ଆଙ୍ଗୁଳି ନଖଛିଡ଼ିବା, ବିକୃତ ହେବା, ପାଣି ଖାଇ ଯନ୍ତ୍ରଣା ହେବା—ସେମିତି କେଶ ଉପୁଡିବା, କେଶରେ ରୂପି ହେବା ଅକାଳରେ କେଶ ପାଚିବା ଏମିତି ନଖ, କେଶର କେତେ ସମସ୍ୟା।

Know the Hair Care Tips ମଞ୍ଜୁଆତି’କୁ ହିନ୍ଦୀରେ ‘ମେହେନ୍ଦି’ବୋଲି କୁହାଯାଏ

କେତେଜଣ ଆଧୁନିକ ଚିକିତ୍ସାବିଜ୍ଞାନୀ ଛାତିରେ ହାତ ଦେଇ କହିପାରିବେ, ନଖ ଓ କେଶର ସମସ୍ୟାକୁ ସେମାନେ ଦୂର କରି ପାରିଛନ୍ତି? ଆଜିକାଲି ନଖ ଓ ଚୁଳର ପ୍ରସାଧନ ପାଇଁ ଯେଉଁ କୃତ୍ରିମ ସାମଗ୍ରୀ ସବୁ ବ୍ୟବହାର କରାଯାଉଛି, ତା’ର ବିଷକ୍ରିୟାରେ ସାରା ଶରୀର ଜର୍ଜରିତ। ହେୟାର ଡ୍ରାଇର ପ୍ରଭାବରେ କାହାର ମୁଣ୍ଡରେ ଘା' ହେଲାଣି ତ, କାହାର ମୁଣ୍ଡ ଭୀଷଣ ବ୍ୟଥା କଲାଣି—ଏମିତି ଅସଂଖ୍ୟ ରୋଗୀ ଦେଖିବାକୁ ମିଳୁଛନ୍ତି। ଆମ ପୂର୍ବପୁରୁଷ କ'ଣ ଏଡ଼େ ବୋକା ଥିଲେ ଯେ, ନଖରଞ୍ଜକ, କେଶରଞ୍ଜକ ନାଆଁ ଦେଇ ସେମାନେ ସେଥିପାଇଁ ନିରାପଦ ମଞ୍ଜୁଆତିକୁ ନିରୂପଣ କରିଥିଲେ।

ମଞ୍ଜୁଆତିରେ ନଖ ପଚେଇବା ଓ କେଶ ରଙ୍ଗେଇବା ଦ୍ଵାରା ଏକକାଳୀନ ଦୁଇଟି କାମ ହେଉଥିଲା— ସେଥିରୁ ମିଳୁଥିଲା ଉଭୟ ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ। ଉପରେ ବର୍ଣ୍ଣିତ ନଖର ସମସ୍ତ ରୋଗକୁ ବୀଜାଣୁ ପ୍ରତିରୋଧକ ମଞ୍ଜୁଆତି ଯେମିତି ସହଜରେ ଦୂର କରିଥାଏ— ସେମିତି କେଶକୁ ଘନକଳା କରି ସୁରକ୍ଷିତ ରଖେ। ଏମିତି ମଞ୍ଜୁଆତି କେବଳ ପ୍ରସାଧନ ସାମଗ୍ରୀ ବୋଲି ଯେ ସମସ୍ତଙ୍କର ଏତେ ପ୍ରିୟ ସେ କଥା ନୁହେଁ— ଏ ଗଛର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ ମଧ୍ୟ ରହିଛି। ଯେଉଁ ଗୁଣ ତାକୁ ପ୍ରିୟରୁ ପ୍ରିୟତମରେ ପରିଣତ କରିଛି।

ପରିଚୟ:

ଏହା ଏକ ମଧ୍ୟମ ଧରଣର ଗଛ। ପତ୍ରଗୁଡ଼ିକ କାଣ୍ଡର ଗଣ୍ଠିରୁ ବାହାରିଥାଏ। ସମ୍ମୁଖା ସମୁଖୀ ହୋଇ ଉଭୟ ଦିଗକୁ ସଜେଇ ହୋଇ ରହିଥାନ୍ତି। ଗଛର ଅଗ୍ରଭାଗରେ ପେନ୍ଥି ପେନ୍ଥି ଶ୍ୱେତ, ଗୋଲାପି ରଙ୍ଗର ଫୁଲ ବେଶ୍ ସୁଗନ୍ଧିତ। ଫଳଗୁଡ଼ିକ ଗୋଲାକାର, ଭିତରେ ଅସଂଖ୍ୟ ମଂଜି। ଓଡ଼ିଆରେ ଏହି ଗଛକୁ ‘ମଞ୍ଜୁଆତି’ କୁହାଯାଉଥିବା ବେଳେ ହିନ୍ଦୀରେ ‘ମେହନ୍ଦୀ’, ତେଲୁଗୁରେ ‘ମୋରିଣ୍ଟଚେଟ୍ଟୁ’, ସଂସ୍କୃତରେ ‘ମଞ୍ଜିଷ୍ଠା’, ‘ନଖରଞ୍ଜନୀ’, ‘କେଶରଞ୍ଜନୀ’ ଆଦି କୁହାଯାଏ। ଏହାର ବୈଷୟିକ ନାମ ହେଲା- Lawsoria Alba.

Know the Hair Care Tips ଏହା ଏକ ମଧ୍ୟମ ଧରଣର ଗଛ

ସଂକ୍ଷେପରେ ମଂଜୁଆତିର ଔଷଧୀୟ ଗୁଣ

ଏହା ମଧୁର, ଚିକ୍ତ, କଷାୟ ରସ, ଗୁରୁ, ଉଷ୍ଣବୀର୍ଯ୍ୟ କେଶରଞ୍ଜକ, ନଖବ୍ୟାଧି ବିନାଶକ, ସ୍ୱରବଦ୍ଧକ ଓ ବର୍ଣ୍ଣକାରକ। ବିଷଦୋଷ, ଶ୍ଳେଷ୍ଳ, ଶୋଥ, ଯୋନିରୋଗ, ନେତ୍ର ଓ କର୍ଣ୍ଣରୋଗ ରକ୍ତାତିସାର, କୁଷ୍ଠ, ରକ୍ତଦୃଷ୍ଟି, ବିଷର୍ପ, ବ୍ରଣ, ଚର୍ମରୋଗ ଏବଂ ମେହ ଆଦି ରୋଗରେ ମଂଜୁଆତିକି ପ୍ରୟୋଗ କରାଯାଏ।

ଏହି ଗଛର ପତ୍ରରେ ବୀଜାଣୁ ପ୍ରତିରୋଧକ ଶକ୍ତି ରହିଛି ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ସେଥିପାଇଁ ଆୟୁର୍ବେଦାଚାର୍ଯ୍ୟମାନେ ଏହା ବିଷଦୋଷ ନାଶକ ବୋଲି ଲେଖୁଛନ୍ତି। ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର ଲେଖିଛନ୍ତି, ଏହାର ଚେର କାମଳ ରୋଗର ମହୌଷଧି। ମଞ୍ଜୁଆତି ଚେର ପ୍ରୟୋଗ କରି ଅସଂଖ୍ୟ ରୋଗୀକୁ ସେ ରୋଗମୁକ୍ତ କରିଛନ୍ତି।

(ଲେଖକ- ରଘୁନାଥ ରାଉତ)

OTV is now on Whatsapp

Join and get latest news update delivered to you via whatsapp

Join Now