• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

H3N2 ଇନ୍‌ଫ୍ଲୁଏନ୍‌ଜା ନେଇ କେନ୍ଦ୍ର ସତର୍କ କରାଇବା ପରେ CDMOମାନଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । H3N2 ସହ କୋଭିଡ୍ ସ୍ଥିତି ଉପରେ ନଜର ରଖିବା ସହ ସର୍ଭେଲାନ୍ସ, ଟେଷ୍ଟିଂ ବୃଦ୍ଧି, ଫିଭର କ୍ଲିନିକ୍ ଚାଲୁ ରଖିବାକୁ ଏଥିରେ କୁହାଯାଇଛି ।

ଏଥିସହିତ ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

H3N2 ଇନ୍‌ଫ୍ଲୁଏନ୍‌ଜା ନେଇ କେନ୍ଦ୍ର ଆଡଭାଇଜରି ଜାରି କରିବା ପରେ ତତ୍ପର ରାଜ୍ୟ

ସରକାର। ଇନ୍‌ଫ୍ଲୁଏନ୍‌ଜା ଜନିତ ରୋଗ ILI ଓ ଗୁରୁତର ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ- SARI ସର୍ଭେଲାନ୍ସ ବଢ଼ାଇବା ସହ କୋଭିଡ୍ ଟେଷ୍ଟିଂ ସୁବିଧା ଏବଂ ଫିଭର କ୍ଲିନିକ୍ ଚାଲୁ ରଖିବାକୁ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।

ଚିଠିରେ କୁହାଯାଇଛି, କୋଭିଡ୍ ମାମଲା ବୃଦ୍ଧି ଉପରେ ନଜର ରଖ । ଟେଷ୍ଟ-ଟ୍ରାକ୍-ଟ୍ରିଟ୍-ଟିକାକରଣ ସହ କୋଭିଡ୍ ଅନୁକୂଳ ନିୟମ ଅନୁପାଳନ ଭଳି ୫ ସୂତ୍ରୀ ରଣନୀତି ଆପଣାଅ । ଏମିତିକି ଲକ୍ଷଣଯୁକ୍ତ ଚିକିତ୍ସାରେ ସଫଳ ନହୋଇ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଥିବା ମାମଲାରେ କୋଭିଡ୍ ନେଗେଟିଭ ନମୁନାକୁ H1N1, H3N2 ଓ ଆଡେନୋଭାଇରସ୍ ଭଳି ପାଥୋଜେନ୍ ପରୀକ୍ଷା ଲାଗି RMRCକୁ ପଠାଅ ।

ଖାଲି ସେତିକି ନୁହେଁ, ଇନ୍‌ଫ୍ଲୁଏନ୍‌ଜା-Aର ଟେଷ୍ଟିଂ ଉଦ୍ଦେଶ୍ୟରେ ସିଡିଏମ୍ଓମାନେ RTPCR ଟେଷ୍ଟ୍ କିଟ୍ କିଣିବାକୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ କୋଭିଡ୍ ଅନୁରୂପ ନିୟମ ଅନୁପାଳନ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନିୟମିତ ବ୍ୟବଧାନରେ ଔଷଧ, ଅକ୍ସିଜେନ ଓ ଆଇସିୟୁ ସ୍ଥିତିର ଅନୁଧ୍ୟାନ ପାଇଁ କୁହାଯାଇଛି ।

H3N2କୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏପଟେ ଉପରମୁହାଁ କୋଭିଡ୍ ସଂକ୍ରମଣ । ଗତ
୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୨୪ ନୂଆ କୋଭିଡ୍ ପଜିଟିଭ କେସ୍ । ଯାହାକି ବିଗତ ୧୧୩ ଦିନ ମଧ୍ୟରେ ସର୍ବାଧିକ । ଏହାପୂର୍ବରୁ ଗତ ନଭେମ୍ବର ମାସରେ ଦେଶରେ ଦୈନିକ ସଂକ୍ରମଣ ୫୦୦ ଟପିଥିଲା ।

ଏଥିସହ ଦେଶରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସହ ୩ ହଜାର ୬୧୮ରେ ପହଞ୍ଚିଛି । ଯେହେତୁ ଏବେ H3N2 ବ୍ୟାପିବା ସହ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି, ଲୋକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା ଭଳି କୋଭିଡ୍ ଅନୁରୂପ ନିୟମ ପାଳନକୁ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଗୋଟିଏ ପଟେ ଦେଶରେ H3N2 କେସ୍ ବଢ଼ୁଥିବା ବେଳେ ପୁଣିଥରେ ମୁଣ୍ଡ ଟେକିଲାଣି କୋଭିଡ୍ ଭାଇରସ୍ । ଏବେଠୁ ସତର୍କ ନହେଲେ ଆଗକୁ ଏହା ବଡ଼ ଚ୍ୟାଲେଞ୍ଜ ଆଣିବ ବୋଲି ମତ ଦେଲେଣି ବିଶେଷଜ୍ଞ ।

କଟକରୁ ପ୍ରଭାତ ବିଷୋୟୀ, ଭୁବନେଶ୍ୱରରୁ ହରିହର ଚାନ୍ଦ ଓ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି