• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ । ଏଥିପାଇଁ ମାର୍ଗଦର୍ଶିକା ଜାରି କରି ଲୋକମାନଙ୍କୁ ସଚେତନ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଛୋଟ ପିଲା ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତି ରହିଛି ଅଧିକ ସଂକ୍ରମଣର ବିପଦ ।

ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ । ବିଭିନ୍ନ ଜିଲ୍ଲାରୁ ଆସୁଛି ଶହ ଶହ ଆଖିଧରା କେସ୍ । ଆଖିଧରା ଏକ ସ୍ପର୍ଶଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି, ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ । ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ । ଆଖି ଧରିଲେ, ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ । ଏପଟେ ଜନସ୍ୱାସ୍ଥ୍ୟ ବିଭାଗ କହିଛି, ଆଖିଧରା ରୋଗର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।

କିଭଳି ଜାଣିବେ ଆପଣ ଆଖିଧରା ରୋଗରେ ପଡ଼ିଛନ୍ତି ? କେଉଁମାନଙ୍କ ପ୍ରତି ଅଧିକ ବିପଦ ରହିଛି ? ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ ବା ପିଙ୍କ ଆଇ ବୋଲି କୁହାଯାଏ । ଏହି ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖୁଞ୍ଚି ହୁଏ । ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ । ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ । ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ । କିନ୍ତୁ ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ ।

ସଚେତନତା ଅଭାବରୁ ଛୋଟ ପିଲା ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରାଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ । ଚକ୍ଷୁରୋଗ ବିଶେଷଜ୍ଞ କହିଛନ୍ତି, ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପି ନ ଥାଏ ଓ ଏହା କେବଳ ଏକ ଅନ୍ଧବିଶ୍ବାସ ।

 

  • Reported by:
  • KAPILENDRA PRADHAN