Advertisment

ଗୁମର ଖୋଲିଲେ ବସ୍ତି ବାସିନ୍ଦା; କହିଲେ, ଦୀର୍ଘଦିନରୁ ପାଇପରେ ଆସୁଥିଲା ଦୂଷିତ ଓ ଦୁର୍ଗନ୍ଧ ପାଣି

ଲୋକଙ୍କ ଅଭିଯୋଗ ଶୁଣିଲେ ମନରେ ପ୍ରଶ୍ନ ଆସୁଛି, ପାଇପ ଜଳ ନାଁରେ ଏମାନଙ୍କ ବିଶ୍ୱାସରେ ବିଷ ଦେଇନାହାନ୍ତି ତ ସରକାର ? ଯେଉଁ ଜଳକୁ ବିଶୁଦ୍ଧ କୁହାଯାଉଛି, ତାହା ହିଁ ବେମାରୀ ଡାକୁନି ତ?

author-image
Santosh Kumar Sahoo
undefined

cholera in Rourkela

କାହିଁକି ଅଚାନକ କଲେରା ଗଡ଼ ପାଲଟିଗଲା ରାଉରକେଲା ? ସାମ୍ନାକୁ ଆସିଲା ବସ୍ତି ବାସିନ୍ଦାଙ୍କ ସାଂଘାତିକ ଅଭିଯୋଗ । ମାସ ମାସ ଧରି ଏଠି ପାଇପରେ ଆସୁଥିଲା ଗୋଳିଆ ପାଣି। ବିଶୁଦ୍ଧ ଜଳ ନାଁରେ ଯେଉଁ ପାଣି ଆସୁଥିଲା, ତାହା ପିଇବା ତ ଦୂରର କଥା ଶୁଙ୍ଘିବା ଯୋଗ୍ୟ ବି ନଥିଲା । ସାବୁନ ଫେଣ ଭଳି ଭାସୁଥିଲା, ତଳେ କାଦୁଅ ବସିଯାଉଥିଲା। ଦୁର୍ଗନ୍ଧ କଥା ତ ନକହିବା ଭଲ । ହଇଜା ବ୍ୟାପିଥିବା ବିଭିନ୍ନ ୱାର୍ଡ ବୁଲି ଜଳର ନମୁନା ଯାଞ୍ଚ କରୁଛନ୍ତି ଭୁବନେଶ୍ୱରରୁ ଯାଇଥିବା ବିଶେଷଜ୍ଞ ଟିମ୍ । ଦେଖୁଛନ୍ତି ପାଣିରେ କୌଣସି ସଂକ୍ରମଣ ଅଛି କି ନାହିଁ । କିନ୍ତୁ ଲୋକଙ୍କ କହିବା କଥା, ମାସ ମାସ ଧରି ଦୂଷିତ ପାଣି ଆସିବା ପରେ, ଏଇ ୩-୪ ଦିନ ହେବ ଭଲ ପାଣି ଆସୁଛି। ତେଣୁ ଏବେ ନମୁନା ଯାଞ୍ଚ କଲେ ସତ ପଦାକୁ ଆସିବ କୁଆଡ଼ୁ। ଅଭିଯୋଗ ହୋଇଛି ଯେ, ପୂର୍ବରୁ ବସ୍ତିର ବହୁ ପିଲା ଜଣ୍ଡିସରେ ବି ପଡ଼ିଥିଲେ, ଯାହାକି ମୁଖ୍ୟତଃ ଏକ ଜଳବାହିତ ରୋଗ । ରାଉରକେଲାର ୪୦ଟି ଯାକ ୱାର୍ଡ, ୫୦ରୁ ଅଧିକ ବସ୍ତି ଓ କଲୋନୀ, ସବୁଠି କାଳେ ସମାନ ଚିତ୍ର। ବନ୍ଧମୁଣ୍ଡା ଉତ୍ତମ ବସ୍ତି, ତିଳକା ନଗର ଓ ପ୍ଲାଣ୍ଟ ସାଇଡ୍ ସାରଳା ବସ୍ତିରେ ଏବେ ବି ପାନୀୟ ଯୋଗ୍ୟ ପାଣି ଆସୁ ନ ଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଲୋକଙ୍କ ଅଭିଯୋଗ ଶୁଣିଲେ ମନରେ ପ୍ରଶ୍ନ ଆସୁଛି, ପାଇପ ଜଳ ନାଁରେ ଏମାନଙ୍କ ବିଶ୍ୱାସରେ ବିଷ ଦେଇନାହାନ୍ତି ତ ସରକାର ? ଯେଉଁ ଜଳକୁ ବିଶୁଦ୍ଧ କୁହାଯାଉଛି, ତାହା ହିଁ ବେମାରୀ ଡାକୁନି ତ? ସେପଟେ ରାଉରକେଲାରେ ହଇଜା ମୃତ୍ୟୁ ଯେ, ମୃତକଙ୍କ ପରିବାର ପାଇଁ କିଭଳି ଅଦିନିଆ ଦୁର୍ବିପାକ ଆଣିଛି, ତାର ଗୋଟିକ ପରେ ଗୋଟିଏ କରୁଣ ଚିତ୍ର ସାମ୍ନାକୁ ଆସୁଛି। କୁଆଁରମୁଣ୍ଡା ବ୍ଲକ୍ ଜଳଙ୍ଗବିରା ଏର୍ଟୋଲି ବସ୍ତିର ହଜାରୀ ଟପ୍ପୋ ଭାବିଥିଲେ ପୁଅକୁ ଇଞ୍ଜିନିୟର କରିପାରିଲେ, ତାଙ୍କର ସବୁ ଦୁଃଖ-ଦାରିଦ୍ର୍ୟ ଦୂରେଇ ଯିବ। ରାଉରକେଲା ବାଲୁଘାଟ ଅଞ୍ଚଳରେ ତାଙ୍କ ସହ ରହି ଇଞ୍ଜିନିୟରିଂ ପଢ଼ୁଥିଲେ ୨୪ ବର୍ଷୀୟ ପୁଅ ସୁବୋଧ। କିନ୍ତୁ କିଏ ବା ଜାଣିଥିଲା, ବାପା ଆଖି ଆଗରେ ଭେଣ୍ଡିଆ ପୁଅକୁ ଛଡ଼ାଇ ନେବ ବିଧାତା । ଗତ ଗୁରୁବାର ସୁବୋଧ ଝାଡ଼ାବାନ୍ତି ହୋଇ IGHରେ ପ୍ରାଣ ହରାଇବା ପରେ, ପାଣି ଫୋଟକା ଭଳି ମିଳେଇ ଯାଇଛି ହଜାରୀଙ୍କ ହଜାରେ ସ୍ୱପ୍ନ।

ବେସରକାରୀ ଭାବେ ରାଉରକେଲାରେ ହଇଜା ମୃତ୍ୟୁ ସଂଖ୍ୟା ୧୫ ବୋଲି କୁହାଯାଉଛି। ତେବେ RMC କମିଶନର କହିଛନ୍ତି, ସ୍ଥିତି ନିୟନ୍ତ୍ରଣାଧୀନ ଅଛି । RMRC ଟିମ୍ ସାମ୍ପଲ ସଂଗ୍ରହ କରି ଭୁବନେଶ୍ୱର ଫେରିଛନ୍ତି ଏବଂ SCB ଟିମ୍ ଏବେ ବି ଅଛନ୍ତି। ପାଣି ସହ ଖାଦ୍ୟ ନମୁନା ବି ପରୀକ୍ଷା ପାଇଁ ପଠାଯାଇଛି । ଖୁବଶୀଘ୍ର ରିପୋର୍ଟ ଆସିବ ଏବଂ ଦିନେ ଦୁଇଦିନ ଭିତରେ ସ୍ୱାଭାବିକ ଅବସ୍ଥା ଫେରିଆସିବ।

Advertisment
Odisha Rourkela Vibrio Cholerae
Advertisment
Advertisment