Advertisment

କେକ୍‌ରେ ବିଷ! ପରୀକ୍ଷଣରୁ ମିଳିଲା କ୍ୟାନସର ସୃଷ୍ଟିକାରୀ ପଦାର୍ଥ

କେକ୍ ଆପଣଙ୍କ ଶରୀରର ଅନେକ କ୍ଷତି ଘଟାଇ ପାରେ। ଏହା ଖାଇବା ଦ୍ୱାରା ଆପଣ କର୍କଟ ରୋଗ ବା କ୍ୟାନସରର ଶିକାର ହୋଇପାରନ୍ତି। ନିକଟରେ ବେକେରୀ କେକ୍‌ ଉପରେ ହୋଇଥିବା ଏକ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି।

author-image
Sonali Ojha
Cancer-causing agents found in 12 cake varieties in Bengaluru: Report

Cancer-causing agents found in 12 cake varieties in Bengaluru: Report

କେକ୍ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଜନ୍ମଦିନ ହେଉ ଅଥବା ଅନ୍ୟ ଉତ୍ସବ ଲୋକେ କେକ୍ କାଟି ସେଲିବ୍ରେସନ୍ କରୁଛନ୍ତି। ମାତ୍ର ଏହି କେକ୍ ଆପଣଙ୍କ ଶରୀରର ଅନେକ କ୍ଷତି ଘଟାଇ ପାରେ। ଏହା ଖାଇବା ଦ୍ୱାରା ଆପଣ କର୍କଟ ରୋଗ ବା କ୍ୟାନସରର ଶିକାର ହୋଇପାରନ୍ତି। ନିକଟରେ ବେକେରୀ କେକ୍‌ ଉପରେ ହୋଇଥିବା ଏକ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି। କେକ୍‌ରେ କ୍ୟାନସର ସୃଷ୍ଟିକାରୀ ପାର୍ଟିକିଲ ବା କଣିକା ଥିବା ଉପାଦାନ ମିଳିଛି। ଯାହାପରେ ଲୋକଙ୍କୁ ସଚେତନ କରିଛି କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ବିଭାଗ।

Advertisment

ରେଡ୍ ଭେଲଭେଟ ଏବଂ ବ୍ଲାକ୍ ଫରେଷ୍ଟ ଭଳି କେକ୍‌କୁ ସୁନ୍ଦର କରିବା ପାଇଁ କୃତ୍ରିମ ରଙ୍ଗ ଦିଆଯାଇ ତିଆରି ହୋଇଥାଏ। ନିକଟରେ ଏହି କେକ୍‌କୁ ନେଇ ପରୀକ୍ଷା କରାଯାଇଥିଲା। ଏଥିରୁ ୧୨ଟି ଅଲଗା ଅଲଗା କର୍କଟ ସୃଷ୍ଟି କରୁଥିବା ପଦାର୍ଥ ମିଳିଛି। ଯେଉଁଥିରେ ଆଲୁରା ରେଡ୍, ସନ୍‌ସେଟ୍‌ ୟେଲୋ ଏଫସିଏଫ୍, ପୋନ୍ସୋ ୪ ଆର, ଟାର୍ଟ୍ରାଜାଇନ୍ ଏବଂ କାର୍ମୋଇସିନ୍ ପରି କୃତ୍ରିମ ରଙ୍ଗର ଥିବା ଜଣାପଡିଛି।

ରୋଡାମାଇନ୍-ବି ପରି ଖାଦ୍ୟ ରଙ୍ଗ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତିକାରକ ପ୍ରଭାବ ପକାଇଥିବାର ଦେଖିବାକୁ ମିଳିଛି। ଏନେଇ ପୂର୍ବରୁ ରିସର୍ଚ କରାଯାଇଛି। କେକ୍ ନମୁନା ପରୀକ୍ଷା ସମୟରେ ଏହା କିଛି କେକ୍‌ରେ ମଧ୍ୟ ମିଳିଥିଲା ​​। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ରୋଡାମାଇନ୍-ବି ପୋଷାକ ରଙ୍ଗ କରିବା ପାଇଁ ବ୍ୟବହୃତ ହୁଏ। ଏହାକୁ ଖାଦ୍ୟ ରଙ୍ଗ ଭାବରେ ବ୍ୟବହାର କରାଯାଉଛି। ଏହି ରଂଗ ମିଶା ଖାଦ୍ୟ ଖାଇବା ଦ୍ୱାରା ଅନେକ ଗୁରୁତର ରୋଗ ହୋଇପାରେ।

Advertisment

ସେହିଭଳି, କେକ୍‌ରେ ମିଶାଯାଉଥିବା ପୋନ୍ସୋ ୪ ଆର ପିଲାମାନଙ୍କ ହାଇପରାକ୍ଟିଭିଟି ବଢାଇବା ଏବଂ ଶରୀରରେ ଅକ୍ସିଡେଟିଭ୍ ଚାପ ସୃଷ୍ଟି କରିଥାଏ। ଏନେଇ ବ୍ରିଟେନର ଫୁଡ୍ ଷ୍ଟାଣ୍ଡାର୍ଡ ଏଜେନ୍ସି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟ ସାମଗ୍ରୀ ନେଇ ସମସ୍ତେ ସଚେତନ ହେବା ଉଚିତ୍ । ଏହା କେବଳ କର୍କଟ ରୋଗର ଆଶଙ୍କା ବଢାଇବ ତାହା ନୁହେଁ ବରଂ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଖାଦ୍ୟ ପଦାର୍ଥରେ କୃତ୍ରିମ ରଙ୍ଗର ବ୍ୟବହାର ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ମଧ୍ୟ ଚେତାବନୀ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ କର୍ଣ୍ଣାଟକ ସରକାର ଏକ ବଡ ନିଷ୍ପତ୍ତି ନେଇ କଟନ କ୍ୟାଣ୍ଡିରେ ବ୍ୟବହୃତ ଖାଦ୍ୟ ରଙ୍ଗ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କଟନ କାଣ୍ଡି ଏବଂ କୋବି ମଞ୍ଚୁରିଆନରେ ରୋଡାମାଇନ୍-ବି ବ୍ୟବହାରକୁ ବିପଜ୍ଜନକ ବୋଲି ଦର୍ଶାଇ ଏହାକୁ ବ୍ୟାନ କରିଥିଲେ। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ଏହି କ୍ଷତିକାରକ ପଦାର୍ଥ ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Special Cake
Advertisment
Advertisment