• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରୋଗର ଯନ୍ତ୍ରଣାରୁ ବଳି ଯାଉଛି ବ୍ୟବସ୍ଥାର ମାଡ଼ । ଶୀତ କାକରରେ ରାତି କାଟି ଚିକିତ୍ସା କରାଇବାର ଯେଉଁ କଷ୍ଟ ବୟାନ କରିବା ଅସମ୍ଭବ । ଭୁବନେଶ୍ୱର ଏମ୍‌ସ ସାମ୍ନାରେ ପ୍ରତିଦିନ ରାତି ଅଧରେ ଲାଗେ ଲମ୍ବା ଲାଇନ୍ । କିଏ ନିଜ ସମ୍ପର୍କୀୟଙ୍କୁ ଧରି ଆସନ୍ତି, ଆଉ କିଏ ନିଜେ ରୋଗୀ ରାତି ସାରା ଲାଇନ୍ ଲଗାଏ । ନିଜ ପାଳି ପାଇଁ ରାତି ସାରା ଏମ୍‌ସ ବାରଣ୍ଡାରେ ଜଗି ରୁହନ୍ତି ।

ଖୋର୍ଦ୍ଧା ଗୋଳବାଇରୁ ଆସିଥିବା ଜଣେ ମହିଳା ଦୁଃସାଧ୍ୟ କର୍କଟ ରୋଗରେ ପୀଡ଼ିତ । ସକାଳୁ ଡାକ୍ତରଙ୍କୁ ଦେଖାଇବେ, ଔଷଧ ନେବେ । ତେଣୁ ରାତିରେ ଆସି ଟିକେଟ୍ ପାଇଁ ଲାଇନ୍ ଲଗାଇଛନ୍ତି । ଅଳ୍ପ ସଂଖ୍ୟକ ରୋଗୀଙ୍କୁ ଟିକେଟ୍ ମିଳୁଥିବାରୁ ଦିନକ ପୂର୍ବରୁ ଏମ୍‌ସରେ ପହଞ୍ଚିଛନ୍ତି । ଆଉ ରାତି ସାରା ଥଣ୍ଡା କାକରରେ ଧାଡ଼ି ଲଗାଇ ବସିଛନ୍ତି । ତାଙ୍କ ଭଳି ଅନେକ ଏମିତି ରାତିରେ ଏମ୍‌ସ ବାହାରେ ଅପେକ୍ଷା କରନ୍ତି । ଭାଗ୍ୟରେ ଥିଲେ ଟିକେଟ୍ ମିଳେ ନଚେତ୍ ସେମିତି ଫେରି ଯିବାକୁ ପଡ଼େ । 

କେବଳ ଏହି ଜଣେ ନୁହଁନ୍ତି ରାଜ୍ୟ ଓ ରାଜ୍ୟ ବାହାରରୁ ଅନେକ ରୋଗୀ ପ୍ରତିଦିନ ଭୁବନେଶ୍ୱର ଏମ୍‌ସକୁ ଆସନ୍ତି । ଉନ୍ନତମାନର ଚିକିତ୍ସା ମିଳୁଥିବାରୁ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ୁଛି । ହେଲେ ଅଳ୍ପ ସଂଖ୍ୟକଙ୍କୁ ଟିକେଟ୍ ମିଳୁଥିବାରୁ ଲୋକେ ଏମିତି ରାତିରେ ଅପେକ୍ଷା କରିବାକୁ ପଡ଼ୁଛି । ଟିକେଟ୍ ପାଇଁ ଲୋକଙ୍କ ଏହି ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଭୁବନେଶ୍ୱର ଏମ୍‌ସ ପରିସରରେ ରାତି କାଟିବା ପାଇଁ ବ୍ୟବସ୍ଥା ହୋଇଛି । ଯେଉଁ ରୋଗୀମାନେ ବହୂ ଦୂର ଦୂରାନ୍ତରରୁ ଆସନ୍ତି ସେମାନଙ୍କ ପାଇଁ ବିଶ୍ରାମସ୍ଥଳି ହୋଇଛି । ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଅନ୍ୟପଟେ ଏମ୍‌ସ କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ବି ରୋଗୀଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହେଉଥିବା କହିଛନ୍ତି ।