• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ବଲପୁରରେ ବଢିଚାଲିଛି ଜଣ୍ଡିସ ସଂକ୍ରମିତଙ୍କ ସଂଖ୍ୟା। ଆଜି ଏ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ବିଶେଷ କରି ସହରର କୁମ୍ଭାରପଡା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସଂକ୍ରମଣ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। କେଉଁଭଳି ସଂକ୍ରମଣକୁ ରୋକାଯାଇପାରିବ ସେ ବାବଦରେ ସଚେତନ କରୁଛନ୍ତି। 

ରକ୍ତ ନମୁନା ବି ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ଜଣ୍ଡିସ ସ୍ଥିତି ଅନୁଧ୍ୟାନ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରରୁ ରାପିଡ୍ ରେସପନ୍ସ ଟିମର ୨ ଜଣିଆ ପ୍ରତିନିଧି ମଣ୍ଡଳୀ ସମ୍ବଲପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତାକାଲି ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ଏପଟେ ଜୋରସୋରରେ ଚାଲିଛି ପାଣି ପାଇପ୍ ମରାମତି କାମ ।

ଜିଲ୍ଲାପାଳ କହିଛନ୍ତି, ଛୋଟ ପିଲାମାନେ ଆଇସକ୍ରିମ ଚୁସକି ଖାଇବା କାରଣରୁ ଜଣ୍ଡସ ବ୍ୟାପିଥିବା ପ୍ରଥମିକ ସ୍ତରରୁ ଜଣାପଡ଼ିଛି । ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଜିଲ୍ଲାପାଳ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି । କହିଛନ୍ତି କିଭଲି ଲୋକଙ୍କ ପାଖରେ ଭଲ ପାଣି ପହଞ୍ଚିବ ସେଥିପାଇଁ ସମ୍ବଲପୁର ମୁନସିପାଲଟିକୁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ ଏହି ଖବର: ଘାରିଛି ଡିପଥେରିଆ ଚିନ୍ତା; ନୂଆ ମାମଲା ନାହିଁ, ଟିକାକରଣ ଜାରି

ସେପଟେ ନିୟନ୍ତ୍ରଣରେ ରହିଛି ଡିପ୍‌ଥେରିଆ । ୧୦ ଦିନ ହେଲା ଡିପଥେରିଆର ନୂଆ ମାମଲା ଆଉ ସାମ୍ନାକୁ ଆସିନି । ସମସ୍ତଙ୍କୁ ଟିକାକରଣ କରାଯାଉଛି । ଘରକୁ ଘର ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟ ସୀମାରେ ଡିପଥେରିଆ ସ୍ଥିତି ସମୀକ୍ଷା ପରେ ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ରୋଗ ପ୍ରତିରୋଧକ ଶକ୍ତି କମିଲେ ଏଭଳି ରୋଗ ମାଡ଼େ । ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି । ସେହିପରି ଅପହଞ୍ଚ ଥିବା ଗାଁକୁ ରାସ୍ତା ସଂଯୋଗ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୁହାଯାଇଛି । ସେହିପରି ଜାପାନିଜ୍ ଏନ୍ ସେଫାଲାଇଟିସ୍ ଓ ଜଣ୍ଡିସ୍ ମୁକାବିଲାର ବି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ଅନୁଗୁଳ, ରାୟଗଡା ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଅନୁଗୁଳରେ ଦୁଇ ଶିଶୁଙ୍କ ମୃତ୍ୟୁ କାରଣ ଜାପାନିଜ ଏନସେଫାଲାଇଟିସ ବୋଲି ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ସମ୍ବଲପୁରରେ ପ୍ରତ୍ୟେକ ଘରେ ସ୍ୱଚ୍ଛ ପାନୀୟ ଜଳ ପହଂଚିବା ନେଇ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ ଏହି ଖବର: ଡିପଥେରିଆ ରୋଗ କଣ ? କେମିତି ହୋଇଥାଏ ସଂକ୍ରମଣ ? ଜାଣନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now