• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରଠୁ ଯନ୍ତ୍ରଣା ଭୋଗୁଛନ୍ତି ବୟସ୍କ ରୋଗୀ । ନା ଆଖିକୁ ଭଲ ଦେଖାଯାଉଛି ନା ପୀଡ଼ା କମୁଛି । ଶେଷରେ ପୁଣି ଥରେ ଦୌଡ଼ିବାକୁ ପଡ଼ିଛି ଡାକ୍ତରଖାନାକୁ । ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁରରୁ । ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳର ଏକ ଘରୋଇ ନର୍ସିଂ ହୋମରେ ୧୩ ଜଣ ବୟସ୍କ ମହିଳା ଓ ପୁରୁଷ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଇଥିଲେ । ତା’ପରଠୁ ଘରକୁ ଯିବା ପରେ କ’ଣ ହେଲା କେଜାଣି, ଆଖିରେ ସଂକ୍ରମଣ ହୋଇଥିଲା ଏବଂ ଦୃଷ୍ଟିଶକ୍ତି ଆସି ନ ଥିଲା ।

ଏହାପରେ ସଂପୃକ୍ତ ରୋଗୀଙ୍କ ମଧ୍ୟରୁ କିଛି ରୋଗୀ ବୁର୍ଲା ଭିମସାରରେ ଚିକିତ୍ସିତ ହୋଇ ଡିସଚାର୍ଜ ହୋଇଥିବାବେଳେ ବଳକା ୨ ଜଣଙ୍କ ଚିକିତ୍ସା ଜାରି ରହିଛି । ଡିସଚାର୍ଜ ହୋଇଥିବା ରୋଗୀଙ୍କୁ ସପ୍ତାହେ ପରେ ପୁଣି ଥରେ ଆସିବାକୁ ପରାମର୍ଶ ଦେଇଛନ୍ତି ଭୀମସାରର ଚକ୍ଷୁ ବିଭାଗ ଡାକ୍ତର।

ଗତ ୨୦ ତାରିଖରେ ଅନୁଗୁଳ, ବଅଁରପାଳ ଓ ଆଠମଲ୍ଲିକ ଅଞ୍ଚଳର ୧୩ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏକ ଘରୋଇ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ । ଅସ୍ତ୍ରୋପଚାରର ୨୪ ଘଣ୍ଟା ପରେ ଆଖିରେ ଯନ୍ତ୍ରଣା ସହ ମୁଣ୍ଡବ୍ୟଥା ଆଦି ହୋଇଥିବା ରୋଗୀ ଅଭିଯୋଗ କରିଥିଲେ ।

ଅପରପକ୍ଷେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଉପସ୍ଥିତିରେ ସଂପୃକ୍ତ କ୍ଲିନିକକୁ ସିଲ୍ କରାଯାଇଛି । ଏହାସହ CDMOଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ କହିଛନ୍ତି ଅନୁଗୁଳ ଜିଲ୍ଲାପାଳ। ରିପୋର୍ଟ ଆସିବା ପରେ ଯଦି କାହାର ଅବହେଳା ଥିବ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

ସେପଟେ CDMO କହିଛନ୍ତି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ । ତେବେ ଘଟଣା ନେଇ ସଂପୃକ୍ତ ନର୍ସିଂ ହୋମ୍ କର୍ତ୍ତୃପକ୍ଷ କିମ୍ବା ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now