• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଆଜିକାଲି ପ୍ରାୟ ୪୦ ବର୍ଷ ପାରିହେଲା ପରେ ସମସ୍ତଙ୍କର ଅଳ୍ପ ବହୁତେ ଆଣ୍ଠୁଗଣ୍ଠି ଦରଜ ବାହାରିବା ସାଧାରଣ ହୋଇଗଲାଣି । ଯେବେ କି ସେତେବେଳେ ଲୋକମାନେ ଖୁବ୍ ବେଶୀ ବୟସ ଯାଏଁ ନିଜ କାମ ନିଜେ କରି ବହୁ ବାଟ ପାଦରେ ଚାଲି ଯାଉଥିଲେ ଓ ସୁସ୍ଥ ମଧ୍ୟ ରହୁଥିଲେ । ତେବେ ବର୍ତ୍ତମାନ ଏତେ ଭଲ ଖାଦ୍ୟ ଓ ଚିକିତ୍ସା ଥିଲେ ସୁଧା ଆମେ କାହିଁକି ଏତେ ଜଲଦି ଦୁର୍ବଳ ହୋଇପଡ଼ୁଛେ, କିଛି ଭାବିଛନ୍ତି । ଏମିତିକି ଅଳ୍ପ ବୟସର ଯୁବକ ଯୁବତୀ ମଧ୍ୟ ଏପରି ଗଣ୍ଠି ଦରଜ ସମ୍ୱନ୍ଧୀୟ ରୋଗରେ ପୀଡ଼ିତ । ତେବେ ଆଜି ଏହି ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ଉପରେ ନଜର ପକାଇବା । କିପରି ଆମ ଖାଦ୍ୟପେୟକୁ ସଜାଡ଼ି ଦେଲେ ଆମେ ଗଣ୍ଠିବାତ ବା ସାଧାରଣ ଗଣ୍ଠିଦରଜରୁ ଦୂରରେ ରହିପାରିବା। 

ଅଧିକ ପଢ଼ନ୍ତୁ: ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ ମେଥି, ଅନ୍ୟ ଉପକାରକିତା ସମ୍ପର୍କରେ ଜାଣନ୍ତୁ 

ଆସନ୍ତୁ ପ୍ରଥମେ ଜାଣିବା ଏହି ଆର୍ଥାଇଟିସ୍ କଣ ଓ କେମିତି ହୁଏ । ଏହା ହେଉଛି ଏକ ପ୍ରକାର ଅବସ୍ଥା ଯେଉଁଥିରେ ଆମ ଶରୀରର ଜଏଣ୍ଟ ବା ଗଣ୍ଠି ସ୍ଥାନ ଫୁଲିଯାଏ ଓ ଘୋଳାବିନ୍ଧା ହୁଏ । ଆର୍ଥ୍ରାଇଟିସ୍ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । ଅଷ୍ଟିଓ ଆର୍ଥ୍ରାଇଟିସ୍ ଯ।ହା ଗଣ୍ଠିଗୁଡ଼ିକର ଅତ୍ୟଧିକ ବ୍ୟବହାର ଯୋଗୁଁ ହୋଇଥାଏ ଏବଂ ରିଉମାଟଏଡ୍ ଆର୍ଥ୍ରାଇଟିସ୍‌ ଯାହା ଏକ ଅଟୋଇମ୍ୟୁନୋ ଡିସଅର୍ଡ଼ର ଓ ଏଥିରେ ଆପଣଙ୍କ ପ୍ରତିରୋଧକ ଶକ୍ତି ଆପଣଙ୍କ ଗଣ୍ଠିଜାଗାକୁ ଆକ୍ରମଣ କରେ । ଆର୍ଥ୍ରାଇଟିସ୍ ଏକ ସାଧାରଣ ଶବ୍ଦ ହୋଇଥିଲେ ହିଁ ୧୫୦ ପ୍ରକାର ଗୁଣ ରଖିଥାଏ । ମୁଖ୍ୟତଃ ଏହା ଆମ ଅସ୍ଥି, ମାଂଶପେଶୀ ଓ ଗଣ୍ଠିସ୍ଥାନକୁ ପ୍ରଭାବିତ କରିଥାଏ ।

ଯଦିଓ ଏହି ରୋଗ ପାଇଁ ନିର୍ଦ୍ଧିଷ୍ଟ ଭାବେ କୌଣସି ରାମବାଣ ଖାଦ୍ୟ ନାହିଁ, ତେବେ କେତେକ ଖାଦ୍ୟ ରହିଛି ଯାହା ଖାଇବା ଦ୍ୱାରା ଆମେ ଦରଜ ଓ ମାଂଶପେଶୀ ଜ୍ୱଳନରୁ ଆଶ୍ୱସ୍ତି ପାଇପାରିବା । ଆମେ ନିୟମିତ ଖାଦ୍ୟରେ ଉପଯୋଗୀ ସ୍ନେହସାର ଯେପରି କିଅଲିଭ୍ ତେଲ, ବିଭିନ୍ନ ପ୍ରକାର ନଟସ୍ (ୱାଲନଟ୍, ଆଲମଣ୍ଡ୍ ଇତ୍ୟାଦି), ଡାଲି ଓ ପନିପରିବା ନେବା ଓ ତାସହ ପ୍ରଚୁର ପରିମାଣର ପାଣି ପିଇବା । ଏହା ଆମ ଶରୀରରକୁ ଆବଶକୀୟ ଶକ୍ତି ଯୋଗାଇ ଆମ ଅଙ୍ଗଗୁଡ଼ିକର କାର୍ଯ୍ୟକାରିତା ସହଜ କରିଥାଏ । ଏହା ବ୍ୟତୀତ ଓଜନ ବୃଦ୍ଧି ମଧ୍ୟ ଆର୍ଥ୍ରାଇଟିସ୍‌ର କାରଣ ହୋଇଥାଏ । ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବାକୁ ମଧ୍ୟ ଆମ ଖାଦ୍ୟପେୟର ଧ୍ୟାନ ରଖିବାକୁ ହେବ । ନିମ୍ନରେ ଦେଖିବା ୧୦ଟି ଖାଦ୍ୟ ଯାହା ଆମ ଗଣ୍ଠିଜନିତ ଦରଜକୁ କମାଇ ଆରାମ ଦେଇଥାଏ ।

୧. ଉପଯୋଗୀ ସ୍ନେହସାର ଯୁକ୍ତ ମାଛ

କିଛି ମାଛ ଯେପରି ସାଲମୋନ୍, ଟୁନା ଆଦିରେ ଓମେଗା- 3 ଫ୍ୟାଟି ଏସିଡ୍ ଭରପୂର ଥାଏ ଯାହା କି ଶରୀରରେ ଇନଫ୍ଲେମେସନ୍ ବା ପ୍ରଦାହ କମ୍ କରିବାର କ୍ଷମତା ରଖେ । ସପ୍ତାହକୁ ଅତି କମ୍‌ରେ ଦୁଇଥର ଏହି ମାଛଗୁଡ଼ିକୁ ଖାଦ୍ୟରେ ମିଶାଇଲେ ଆମର ଶରୀରର ଭିଚାମିନ୍ ଡି ସ୍ତର ଠିକ୍ ରହିବା ସହ ଅସ୍ଥି ସୁସ୍ଥ ରହିବ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଓ ରିଉମାଟଏଡ୍ ଆର୍ଥ୍ରାଇଟିସ୍‌ରୁ ମଧ୍ୟ ଆଶ୍ୱସ୍ତି ମିଳିବ ।

୨. ରସୁଣ 

ଅଧ୍ୟୟନରୁ ଜଣାଯାଇଛି ଯେ ରସୁଣ, ପିଆଜ ଆଦି ପ୍ରଜାତିର ଖାଦ୍ୟ ଦ୍ୱାରା ଅଷ୍ଟିଓ ଆର୍ଥ୍ରାଇଟିସ୍ କମ୍ ଦେଖାଯାଏ । ଏଥିରେ ଥିବା ଡାୟାଲେଲ୍ ଡାଇସଲଫଆଇନ୍ ଯୋଗୁଁ ଏହା ଗଣ୍ଠିଗୁଡ଼ିକରେ ଥିବା କାର୍ଟିଲେଜ୍ ସୁସ୍ଥ ରୁହେ ଯାହା ଆମକୁ ଅସ୍ଥି ଜନିତ ରୋଗରୁ ଦୁରେଇ ରଖେ । ରସୁଣର ପ୍ରଦାହ କମ୍ କରିବା ଗୁଣ ମଧ୍ୟ ରହିଛି ଯାହା ଏହାକୁ ଏକ ଗଣ୍ଠିଜନିତ ରୋଗ ପାଇଁ ଉପକାରୀ ଖାଦ୍ୟ ରୂପେ ପରିଚିତ କରେ ।

୩. ବ୍ରୋକଲି

ଏହା ଭିଟାମିନ୍ K ଓ C ଓ କ୍ୟାଲସିୟମ୍‌ରେ ଭରପୂର । ଯାହା ଖାଇଲେ ଶରୀରକୁ ଅସ୍ଥିଜନିତ ରୋଗ ବା ଗଣ୍ଠିଜନିତ ରୋଗର ପ୍ରଦାହରୁ ମୁକ୍ତି ମିଳେ । ଏଥିରେ ଥିବା ସଲଫୋରାଫେନ୍ ନାମକ ପଦାର୍ଥ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ପାଇଁ କାର୍ଯ୍ୟ କରେ ।

୪. ନଟସ୍ ବା ମଞ୍ଜି 

ବିଭିନ୍ନ ପ୍ରକାର ମଞ୍ଜିଜାତୀୟ ଖାଦ୍ୟ ଯେପରି ୱାଲନଟ୍ ଓ ଆଲମଣ୍ଡ୍ ମ୍ୟାଗନେସିୟମ୍, କ୍ୟାଲସିୟମ୍, ଜିଙ୍କ୍ ଆଦି ମିନେରାଲସ୍ ସହ ଉପଯୋଗୀ ସ୍ନେହସାର, ଯେପରି ଫ୍ୟାଟି ଏସିଡ୍ ଓ ଭିଟାମିନ୍ Eରେ ପୂର୍ଣ୍ଣ ଥାଏ ଯାହା ସୁସ୍ଥ ଅସ୍ଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏଥିରେ ଥିବା ଆଲଫଆ ଲିନୋଲିନିକ୍ ଏସିଡ୍ ଆମର ଇମ୍ୟୁନ୍ ସିଷ୍ଟମ୍ ବା ପ୍ରତିରୋଧକ ଶକ୍ତିକୁ ବଢ଼ାଏ । ଏହା ଓଜନ କମାଇବା ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ । 

୫. ବିନସ୍ ବା ରାଜମା

ଆମେ ସାଧାରଣ ଭାବେ କହୁଥିବା ଶିମ୍ୱ ମଞ୍ଜି ବା ବରଗୁଡ଼ି ଯାହାକୁ ରାଜମା ମଧ୍ୟ କୁହନ୍ତି, ପ୍ରୋଟିନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଏହା ସହିତ ମ୍ୟାଗନେସିୟମ୍, ପୋଟାସିୟମ୍, ଫୋଲିକ୍ ଏସିଡ୍ ମଧ୍ୟ ଏଥିରେ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ନିୟନ୍ତ୍ରଣରେ ରଖେ ଓ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ପାଇଁ ଫଳପ୍ରଦ ହୋଇଥାଏ ।

୬. ଚେରି ଜାତୀୟ କୋଳି

ଚେରି ଜାତୀୟ କୋଳିରେ ଆନ୍ଥୋସିଆନିନ୍ ନାମକ ଏକ ପଦାର୍ଥ ଥାଏ ଯାହା ଗାଉଟ୍, ଗଣ୍ଠିବାତ ଓ ପ୍ରଦାହ ପାଇଁ ଖୁବ୍ ଉପଯୋଗୀ । ଜାମୁକୋଳି, ଷ୍ଟ୍ରବେରୀ, କଳା ଅଙ୍ଗୁର ଆଦି ବାଇଗଣୀ ବା ଗାଢ଼ ଗୋଲାପି ରଙ୍ଗର କୋଳି ଆଦି ଏହି ବର୍ଗରେ ଆସନ୍ତି । ଅଙ୍ଗୁରରେ ରେସଭରେଟ୍ରୋଲ ନାମକ ଏକ ପଦାର୍ଥ ଥାଏ ଯାହା ଆମ ଅସ୍ଥି ମଜ୍ଜାକୁ ଶକ୍ତ କରିଥାଏ ଓ ଅସ୍ଥି ରସକୁ ବହଳ କରିଥାଏ ଯାହା ଦ୍ୱାରା ଆମକୁ କୌଣସି ପ୍ରକାର ଗଣ୍ଠି ଦରଜ ହୁଏ ନାହିଁ ।

୭. ଗ୍ରୀନ୍ ଟି

ଏହା ପଲିଫିନଲ୍ ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଯାହା ପ୍ରଦାହକୁ କମେଇଥାଏ ଓ କାର୍ଟିଲେଜ୍ କ୍ଷୟ ହେବାରୁ ରକ୍ଷାକରେ । ଏଣୁ ଏହା ରିଉମାଟଏଡ୍ ଆର୍ଥାଇଟିସ୍ ରୋଗୀମାନଙ୍କ ପାଇଁ ବହୁତ ଉପକାରୀ ।

୮. ଅଲିଭ୍ ତେଲ

ଆଜିକାଲି ସବୁ ମାର୍କଟରେ ଅଲିଭ୍ ତେଲ ସହଜରେ ମିଳିପାରୁଛି । ସାଧାରଣ ଖାଇବା ତେଲ ତୁଳନାରେ ଏହା ମହଙ୍ଗା ହୋଇଥିଲେ ମଧ୍ୟ ଏହା ଗଣ୍ଠିଜନିତ ରୋଗ ପାଇଁ ଉପକାରୀ ହୋଇଥାଏ । ଅଲିଭ୍ ତେଲରେ ଭିଟାମିନ୍ E ଥିବା ଯୋଗୁ ଏହା ଗଣ୍ଠି ଫୁଲିବା ଓ କାର୍ଟିଲେଜ୍ କ୍ଷୟ କମ୍ କରିଥାଏ । ଏଣୁ ନିୟମିତ ଅଳ୍ପ ପରିମାଣର ହେଉ ପଛେ ଆର୍ଥ୍ରାଇଟିସ୍ ରୋଗୀ ଏହା ଖାଦ୍ୟରେ ମିଶାଇବା ଜରୁରୀ ।

୯. ଶସ୍ୟଜାତୀୟ ଖାଦ୍ୟ

ଓଟସ୍, ଦଲିଆ ଆଦି ଶସ୍ୟଜାତୀୟ ଖାଦ୍ୟ ଖାଇଲେ ରକ୍ତରେ ସି-ରିଆକ୍ଟିଭ୍ ପ୍ରୋଟିନ୍ (C- Reactive Protein- CRP) କମ୍ ହୋଇଥାଏ । ଏହି ପ୍ରୋଟିନ୍ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ଓ ହୃଦ୍‌ରୋଗ ପାଇଁ କାରକ ହୋଇଥାଏ । ଏଣୁ ଜଳଖିଆରେ ଓଟସ୍, ଦଲିଆ ଆଦି ହୋଲ ଗ୍ରେନ୍ ମିଶାଇବା ଆବଶ୍ୟକ । 

୧୦. ପାଳଙ୍ଗ ଶାଗ

ଆମେ ନିୟମିତ ଖାଦ୍ୟରେ ସବୁଜ ପନିପରିବା ସହ ଶାଗ ଖାଇବା ତ ଜରୁରୀ । ହେଲେ ପାଳଙ୍ଗ ଶାଗରେ କ୍ୟାମ୍ଫେରୋଲ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ବହୁ ମାତ୍ରାରେ ଥାଏ ଯାହା ଗଣ୍ଠିଜାଗାର ପ୍ରଦାହ କମ୍ କରିବାରେ ଉପକାରୀ ହୋଇଥାଏ । ଏଣୁ ବିଶେଷ ଭାବରେ ଅଷ୍ଟିଓ ଆର୍ଥ୍ରାଇଟିସ୍ ଥିବା ବ୍ୟକ୍ତି ଏହାକୁ ନେବା ଜରୁରୀ ।

ତେବେ ଆର୍ଥାଇଟିସ୍‌ର ଲକ୍ଷଣଗୁଡ଼ିକୁ କମ୍ କରିବାରେ ଆମ ଖାଦ୍ୟାଭ୍ୟାସର କଣ ଗୁରୁତ୍ୱ ରହିଛି ତାହା ଆପଣ ଜାଣିପାରିଥିବେ । ଏଣୁ ଏସବୁ ସହିତ କିଛି ନିୟମିତ ବ୍ୟାୟାମ ମଧ୍ୟ ଉପକାରୀ ହୋଇଥାଏ । ଖାଦ୍ୟରେ ନିୟମିତ କମ୍ ଫ୍ୟାଟ୍‌ର କ୍ଷୀର ନେବା ସହ ପାଣି ପିଇବା ଠିକ୍ ରଖିଲେ ଆମେ ଗଣ୍ଠିଜନିତ ରୋଗଠୁ ଦୂରରେ ରହିବା ।