ଆପଣ ଛତୁରେ ତିଆରି ବିଭିନ୍ନ ରେସିପି ଖାଇଥିବେ । ଯେମିତିକି ଛତୁ ତରକାରୀ,ଚିଲ୍ଲି ଛତୁ ଇତ୍ୟାଦି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଓ ନିଆରା ଶୈଳୀରେ ଛତୁର ଏହି ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ବାମ୍ଫ ଦହି ଛତୁ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
‘ବାମ୍ଫ ଦହି ଛତୁ’ ବନେଇବା ପାଇଁ ସାମଗ୍ରୀ:
ପାଳ ଛତୁ,କଟା ପିଆଜ,ବେସର(ଜୀରା,ସୋରିଷ,ଅଦା,ରସୁଣ ବଟା),କଞ୍ଚା ଲଙ୍କା,ଲୁଣ,ରିଫାଇନ୍ ତେଲ,ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ ,କଟାନ ଧନିଆ ପତ୍ର,ବସା ଦହି ଓ ଆମ୍ବୁଲ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ପାଳ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଟ କରି କାଟନ୍ତୁ ।
- ଏହାପରେ କଟା ଛତୁକୁ ପାଣିରେ ହଳଦୀ ପକାଇ ଭିଜାଇ ରଖନ୍ତୁ ।
- ଛତୁ ପାଣିରୁ ଚିପୁଡି ଏକ ପ୍ଲେଟ୍ରେ ରଖନ୍ତୁ ।
- ଏହାପରେ କଡେଇରେ ତେଲ ଗରମ କରନ୍ତୁ ।
- ତେଲ ଗରମ ହୋଇଗଲା ପରେ କଟା ପିଆଜକୁ ପକାନ୍ତୁ ।
- ପିଆଜ ଅଳ୍ପ ଭାଜି ହୋଇ ଲାଲ୍ ହୋଇ ଆସିଲେ ସେଥିରେ ଛତୁକୁ ପକାଇ କଡେଇରେ ଭାଜନ୍ତୁ ।
- ଛତୁ ଅଳ୍ପ ଭାଜି ହେବା ପରେ ସେଥିରେ ଲୁଣ ପକାଇ ଭଲଭାବେ ଭାଜି ଦିଅନ୍ତୁ ।
- ଏହାପରେ ଛତୁ ଭଜାରେ ବସା ଦହି,ଲୁଣ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ସୋରିଷ,ଜୀରା,ଅଦାରସୁଣ ବଟା ଓ ଆମ୍ବୁଲ ପକାଇଭଲ ଭାବେ ଗୋଳାଇ ଦିଅନ୍ତୁ ।
- ଏହାପରେ ମସଲାଗୋଳା ଛତୁକୁ ଏକ ଟିଫିନରେ ରଖି ଇଟିଲି ଛାଞ୍ଚରେ ରଖି ବାମ୍ଫ ଦିଅନ୍ତୁ ।
- ଏହାକୁ ୧୦ରୁ ୧୨ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
- ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ
- ଥଣ୍ଡା ହୋଇଗଲା ପରେ ଟିଫିନଟିକୁ ବାହାରକୁ କାଢି ଏକ ପ୍ଲେଟ୍ରେ ରଖନ୍ତୁ ।
- ଏହାପରେ ସେଥିରେ କଟା କଞ୍ଚା ଲଙ୍କ ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବାମ୍ଫ ଦହି ଛତୁ’ । ଏହି ରେସିପିଟିକୁ ଗରମ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଛତୁର ଏହି ଦେଶୀ ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।