ଆପଣ ସଂଧ୍ୟା ଜଳଖିଆ ପାଇଁ କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି । ତାହେଲେ ଆଜି ହିଁ ଘରେ ବନାନ୍ତୁ ଗରମାଗରମ ଖାସ୍ତା 'ଆଳୁ କଟୋଡ଼ି' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
Also Read
ଆବଶ୍ୟକ ସାମଗ୍ରୀ:
ମଇଦା, ସିଝା ଆଳୁ, ଲୁଣ, ଜୁଆଣି, ତେଲ, ଅଦା ବଟା, ବେକିଂ ପାଉଡର, ଗ୍ରୀନ୍ ମଟର୍, ଧଣିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଆମ୍ଚୁର୍ ପାଉଡର୍ ଓ ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ:
- ମଇଦାକୁ ଏକ ପାତ୍ରରେ କାଢ଼ି ସେଥିରେ କିଛି ତେଲ, ଲୁଣ, ଜୁଆଣି ଓ ବେକିଂ ପାଉଡର୍ ମିଶାଇ ଗୋଳାଇ ଦିଅନ୍ତୁ।
- ଏହାପରେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ମଇଦାକୁ ଭଲ ଭାବେ ଦଳନ୍ତୁ ।
- ମଇଦା ଦଳି ସାରିବା ପରେ କିଛି ସମୟ ଏହାକୁ ଘୋଡ଼ାଇ ରଖିଦିଅନ୍ତୁ ।
- ଏବେ ସିଝା ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ।
- ଏହା ପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ।
- ତେଲ ଗରମ ହୋଇଗଲେ, ସେଥିରେ ଅଦା ବଟା ଓ କଟା କଞ୍ଚା ଲଙ୍କା ପକାଇ ହାଲ୍କା ଭାଜିଦିଅନ୍ତୁ ।
- ଏହାପରେ ସେଥିରେ ଗ୍ରୀନ୍ ମଟର ପକାନ୍ତୁ ଏବଂ ଏହି ମସଲାକୁ ଘୋଡ଼ାଇ ଦେଇ ଦୁଇମିନିଟ୍ ଯାଏ ହାଲକା ଆଞ୍ଚରେ ଛାଡ଼ି ଦିଅନ୍ତୁ ।
- ୨ ମିନିଟ୍ ପରେ ମଟର ସିଝି ଯାଇଥିଲେ, ସେଥିରେ ପୂର୍ବରୁ ଚକଟା ହୋଇ ରହିଥିବା ସିଝା ଆଳୁ ପକାଇ ଦିଅନ୍ତୁ।
- ଏବେ ଏଥିରେ ଧଣିଆ ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଆମ୍ଚୁର୍ ପାଉଡର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
- ଏହାପରେ ଆଳୁକୁ କିଛି ସମୟ ଯାଏ ଭଲଭାବେ କଷନ୍ତୁ।
- ଆଳୁ କଷା ସରିବା ଏହା ଉପରେ କଟା ଧଣିଆ ପତ୍ର ପକାନ୍ତୁ।
- ଏବେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।
- ଏହାପରେ ପୂର୍ବରୁ ଦଳା ହୋଇ ରହିଥିବା ମଇଦାକୁ ଛୋଟ ଛୋଟ ଗୋଳା କରିଦିଅନ୍ତୁ ।
- ଗୋଟିଏ ମଇଦା ଗୋଳାକୁ ନେଇ ପୂରି ଆକାରର ବେଲନ୍ତୁ।
- ଏହାପରେ ଏହା ଭିତରେ କଷା ଯାଇଥିବା ଆଳୁର ପୂର ଦେଇ ଏହାକୁ ବନ୍ଦ କରିଦିଅନ୍ତୁ।
- ଏହି ଭଳି ପ୍ରତ୍ୟେକ ମଇଦା ଗୋଳା ଭିତରେ ପୂର ଭର୍ତ୍ତି କରି ଗୋଲ ଗୋଲ କରି ରଖନ୍ତୁ।
- ଏହାପରେ ଏକ କଡ଼େଇରେ ତେଲ ଗରମ କରି ଗୋଟି ଗୋଟିଏ କରି କଚୋଡ଼ିକୁ ସୁନେଲି ରଙ୍ଗ ହେବା ଯାଏ ଛାଣନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା, 'ଟଚପଟା ଆଳୁ କଚୋଡ଼ି' । ଏହି ରେସିପିଟିକୁ ଆପଣ ସସ୍ କିମ୍ବା ପୋଦିନା ଚଟଣୀ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।