ସାଧାରଣତଃ ନିରାମିଷରେ ପନିରରେ ତିଆରି ରେସିପି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଆମେ ପନିରରେ ବିଭିନ୍ନ ପ୍ରକାରର ରେସିପି ତିଆରି କରିଥାଉ । ଆଜି ଆମେ ପନିରରେ ଏକ ନୂଆ ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ‘ପନିର କୁଲ୍ଚା’। ଏହି ରେସିପିଟି ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
‘ପନିର କୁଲ୍ଚା’ ବନେଇବା ପାଇଁ ସାମଗ୍ରୀ:
ମଇଦାରେ ତିଆରି ପ୍ଲେନ୍ କୁଲ୍ଚା, ଗ୍ରେଟେଡ୍ ପନିର ,ଘିଅ,ସୋରିଷ ତେଲ, କଟା କ୍ୟାପ୍ସିକମ୍, କଟା ପିଆଜ,କଟା କଞ୍ଚା ଲଙ୍କା, ଛୋଟ ଛୋଟ କଟା ହୋଇଥିବା ଟମାଟୋ,ଚାଟ୍ ମସଲା,ଆମଚୁର ପାଉଡର, ଗୋଲମରିଚ ଗୁଣ୍ଡ,ଜିରା,ଟମାଟୋ ସସ୍, ପୁଦିନା ଓ ଧନିଆ ଚଟଣୀ,ସ୍ୱାଦନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ ।
- ତେଲ ଗରମ ହୋଇଗଲା ପରେ ଏଥିରେ ସୋରିଷ ପକାଇ ଫୁଟାନ୍ତୁ ।
- ଏହାପରେ ସେଥିରେ କଟା କ୍ୟାପ୍ସିକମ୍,କଟା ପିଆଜ, ଟମାଟୋ, କଟା କଞ୍ଚା ଲଙ୍କା, କଟା ଅଦା ଓ ଲୁଣ ପକାଇ ଅଳ୍ପ ସମୟ ଭାଜନ୍ତୁ ।
- ଏହାପରେ ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
- ଏହାପରେ ଘୋଡ଼ଣୀ ଦେଇ ସବୁ ପରିବାକୁ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ ।
- ପରିବା ହାଲ୍କା ସିଝିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ଓ ଏହିସବୁ ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।
- ଥଣ୍ଡା ହେବା ପରେ ଏହି ମିଶ୍ରଣରେ ଗ୍ରେଟେଡ୍ ପନୀର, ଚାଟ୍ ମସଲା, ଟମାଟୋ ସସ୍, ଆମଚୁର ପାଉଡର, ଧନିଆ ପତ୍ର ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
- ଏହାପରେ ପ୍ଲେନ୍ କୁଲ୍ଚାର ଗୋଟିଏ ପଟରେ ପନୀର ମିଶ୍ରଣକୁ ପୂର ଭାବେ ଦେଇ ଚାରି ଆଡ଼କୁ ଖେଳାଇ ଦଅନ୍ତୁ ଓ ଏହା ଉପରେ ଆଉ ଏକ କୁଲ୍ଚା ରଖନ୍ତୁ ।
- ଏହାପରେ କୁଲ୍ଚାର ୨ ପାର୍ଶ୍ୱରେ ହାଲୁକା ଘିଅ ଲଗାଇ ଦିଅନ୍ତୁ ।
- କୁଲ୍ଚାର ୨ ପଟ ଅଳ୍ପ ଲାଲ୍ ହେବା ପର୍ଯ୍ୟନ୍ତ ଏହାକୁ ସେକନ୍ତୁ ।
- ଏହାପରେ ଚୁଲିକୁ ବନ୍ଦ କରି କୁଲ୍ଚାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।
- କୁଲ୍ଚାକୁ ୪ ଫାଳ କରି କାଟି ସେଥିରେ ଧନିଆ ଓ ପୁଦିନା ଚଟଣୀ ପକାଇ ଟମାଟୋ ସସ୍ ପକାଇ ପରଷନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପନୀର କୁଲ୍ଚା’ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।