• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ।

  • ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ ।

  • ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । 

ପୁରୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । 

କେତେବେଳେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହେବେ ଜଗତ ଠାକୁର । ସେଇ ଅପେକ୍ଷା । ପରମ୍ପରା ମୁତାବକ ଆଜି ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ପୂଜାପଣ୍ଡା ସେବାୟତମାନେ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ବିଜେ କରାଇଥିଲେ । ଏହା ପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା ତିନି ରଥ । ଡାହୁକଙ୍କ ବୋଲି, ଘଣ୍ଟୁଆଙ୍କ ଘଣ୍ଟ ଧ୍ୱନିରେ ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଭିଡ଼ି ଆଣିଥିଲେ ସେବାୟତ । ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ପ୍ରସ୍ତୁତି ଆଗକୁ ବଢୁଥିଲା ତ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏପଟେ ଭକ୍ତଶୂନ୍ୟ ଘୋଷଯାତ୍ରା ପାଇଁ ବି ସଂପୂର୍ଣ୍ଣ ପ୍ରସ୍ତୁତ ପୋଲିସ୍ ପ୍ରଶାସନ । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ । ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ । ଏପରିକି ବଡ଼ଦାଣ୍ଡ କଡ଼ରେ ଥିବା ଘର ଛାତ ଉପରୁ ବି ଦର୍ଶନକୁ ବାରଣ କରାଯାଇଛି । ଅପରପକ୍ଷେ ପୋଲିସ୍ ଡିଜି ଆଜି ପୁରୀ ଯାଇ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପି ଓ ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଗତଥର ଭଳି ଏଥର ବି ସେବାୟତ ଟାଣିବେ ତିନି ରଥ । ଏଥିପାଇଁ ପ୍ରତି ରଥ ପିଛା ୫ ଶହ ଲେଖାଏଁ ସେବାୟତ ରହିବେ । ଖୋଦ୍ ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ରହୁଥିବା ବେଳେ ଏସ୍‌ପି ତାଳଧ୍ୱଜ ଓ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିବେ । ରଥଯାତ୍ରାର ନୀତିକାନ୍ତି ଉପରେ ବିଳମ୍ବିତ ରାତିରେ ସେନାପଟା ଲାଗି ସରିବା ପରେ ଭୋର ସାଢ଼େ ୪ଟାରେ ହେବ ମଙ୍ଗଳ ଆଳତୀ । ସକାଳ ୮ଟାରେ ରଥ ପ୍ରତିଷ୍ଠା ପରେ ସାଢ଼େ ୮ଟାରେ ଆରମ୍ଭ ହେବ ପହଣ୍ଡି । ସାଢ଼େ ୧୧ଟାରେ ପହଣ୍ଡି ସରିବା ପରେ ୧୨ଟା ୪୫ରୁ ୨ଟା ଭିତରେ ଛେରା ପହଁରା ଓ ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥ ଟଣା ।