Advertisment

Radha Ashtami:ରାଧା ଜନ୍ମର ଅଲୌକିକ କାହାଣୀ, ଚନ୍ଦ୍ରସେଣାଙ୍କୁ କାହିଁକି ବିବାହ କଲେ ରାଧା

ରାଧା ହେଉଛନ୍ତି ସ୍ଵୟଂ ଲକ୍ଷ୍ମୀ ସ୍ୱରୂପା କିନ୍ତୁ ସେ ନାରୟଣଙ୍କୁ ବିବାହ ନକରି ଚନ୍ଦ୍ରସେଣାଙ୍କୁ ବିବାହ କଲେ କାହିଁକି? ତାର କାରଣ କିଛି ଏହିପରି – ତ୍ରେତୟା ଯୁଗରେ ଦିନେ ମାତା ସୀତା ବନବାସ ସମୟରେ ରାମ, ଲକ୍ଷ୍ମଣ, ହନୁମାନ ତଥା ଅନ୍ୟ ବାନର ଓ ମୁନିଋଷି ମାନଙ୍କୁ ଖାଦ୍ୟ ପରଷୁଥିଲେ। ଏହି ସମୟରେ ....

author-image
Sarojini Sankhua
RADHA ASTAMI

RADHA ASTAMI

ରାଧା ହେଉଛନ୍ତି ପ୍ରେମ ଓ ଭକ୍ତିର ପ୍ରତୀକ। ସେ କୃଷ୍ଣଙ୍କର ଆଦି ଶକ୍ତି ଓ ଦିବ୍ୟସଙ୍ଗିନୀ। ରାଧା ହେଉଛନ୍ତି ଭକ୍ତିର ସର୍ବୋଚ୍ଚ ରୂପ।ରାଧାଙ୍କର ପ୍ରେମ ଓ ଭକ୍ତି ମାନବାତ୍ମାର ପରମାତ୍ମା ସହିତ ମିଳନର ପ୍ରତୀକ।
କୁହାଯାଏ ରାଧାଙ୍କଠାରୁ ସବୁରି ସୃଷ୍ଟି ହୋଇଛି। ଜଳସ୍ଥଳ, ଆକାଶ, ପବନ, ନିଆଁ, ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର ଆଦି ସବୁ ଦେବତା ତଥା ମାନବ ଓ ପଞ୍ଚଭୂତ ରାଧାଙ୍କଠାରୁ ହିଁ ଉତ୍ପତ୍ତି ହୋଇଛି। ରାଧା ନିତ୍ୟଶ୍ୱରୀ, ରାସମଣ୍ଡଳର ଅଧିକାରିଣୀ। ରାଧାଙ୍କ ବିନା କୃଷ୍ଣ ଅଧୁରା। ରାଧା ଓ କୃଷ୍ଣ ଏକ ଓ ଅଭିନ୍ନ। ରାଧା ହେଉଛନ୍ତି ଆଯୋନୀସମ୍ଭୂତା। କିନ୍ତୁ ତାଙ୍କର ଆବିର୍ଭାବ ଦିବସ ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀକୁ ରାଧାଜନ୍ମୋତ୍ସବ ବା ରାଧାଷ୍ଟମୀ ଭାବେ ପାଳନ କରାଯାଏ। ବୈଷ୍ଣବ ସମ୍ପ୍ରଦାୟ, ବିଶେଷତଃ ଗୌଡୀୟ ବୈଷ୍ଣବମାନେ ଏହି ପର୍ବକୁ ବହୁ ଭକ୍ତି ଓ ଉତ୍ସାହରେ ପାଳନ କରନ୍ତି।

Advertisment

ରାଧାଙ୍କ ଜନ୍ମ କଥା 

ପୁରାଣ କଥା ଅନୁସାରେ ରାଧା ଥିଲେ ଆଯୋନିସମ୍ଭୂତା । ସେଦିନ ଥାଏ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି, ରାଜା ବୃଷଭାନୁ ସୈନ୍ୟ ସାମନ୍ତଙ୍କ ସହିତ ମୃଗୟାରେ ବନକୁ ଯାଉଥିଲେ। ବାଟରେ କାଳିନ୍ଦୀ ହ୍ରଦ ନିକଟରେ ପଦ୍ମଫୁଲର ବାସ୍ନା ଚହଟି ଯାଉଥିଲା। ପଦ୍ମଫୁଲର ବାସ୍ନାରେ ବୃଷାଭାନୁ ଆକର୍ଷିତ ହୋଇ ହ୍ରଦ ନିକଟକୁ ଗଲେ। ଭାବିଲେ କିଛି ପଦ୍ମଫୁଲ ଆଣି ରାଣୀ କୀର୍ତ୍ତିଦାଙ୍କୁ ଦେବେ, ରାଣୀ ହେଉଛନ୍ତି ମା ଲକ୍ଷ୍ମୀଙ୍କ ଭକ୍ତ, ସେ ଏହି ପଦ୍ମଫୁଲ ଦେଇ ଲକ୍ଷ୍ମୀଙ୍କ ପୂଜା କରିବେ। ବୃଷାଭାନୁ ହ୍ରଦ ନିକଟକୁ ଯାଇ ଦେଖିଲେ ଯେ ନୀଳ ପଦ୍ମ ଫୁଲ ଉପରେ  ଏକ ଶିଶୁ ନିଶ୍ଚିନ୍ତରେ ଶୋଇଚି। ସତେ ଯେପରି ଗୋଟିଏ ହୀରାର କଣ୍ଢେଇ। ଶିଶୁର ଦେହରୁ ଉଜ୍ଜ୍ବଳ ନୀଳଜ୍ୟୋତି ପ୍ରକାଶ ପାଉଛି। ସେ ଶିଶୁର ରୂପଲାବଣ୍ୟ ପୂର୍ଣ୍ଣିମାର ଜହ୍ନଠୁ ବି ଆହୁରି ସୁନ୍ଦର। ରାଜା ବୃଷଭାନୁ ସେପର୍ଯ୍ୟନ୍ତ ନିଃସନ୍ତାନ ଥିଲେ। ଏ କନ୍ୟାକୁ ପାଇ ରାଜା ଦରିଦ୍ର କୋଟିନିଧି ପାଇବା ପରି ଅନୁଭବ କଲେ ।ସେ ସେହି ଶିଶୁକୁ ଆଣି ନିଜର କନ୍ୟା ରୂପେ ଲାଳନପାଳନ କଲେ। ରାଣୀ ଶିଶୁକନ୍ୟାକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ। ପଦ୍ମବନରୁ ପାଇଥିବାରୁ କନ୍ୟାର ନାମ ରାଧିକା ଦେଲେ। ସେହିପରି ବିଭିନ୍ନ ଲୋକ ବିଭିନ୍ନ ନାଁ ଦେଲେ ଯେମିତି ବୃଷଭାନୁ ଦେଲେ ରସବତୀ, ମା କୀର୍ତ୍ତିଦା ଦେଲେ ବିନୋଦିନୀ, ଯୋଗମାୟାଙ୍କ ଅବତାର ପୂର୍ଣ୍ଣମାସୀ ଦେଲେ ଶ୍ରୀମତୀ, ବୃନ୍ଦାବନର ଗୋପୀ ଦେଲେ ବୃନ୍ଦାବନେଶ୍ୱରୀ। ରାଜା ୠଷି ଦୂର୍ବସାଙ୍କୁ ଡକାଇ କନ୍ୟାର ଜାତକ ତିଆରି କରାଇଲେ ।

ରାଧାଙ୍କର କୃଷ୍ଣଙ୍କୁ ଅପେକ୍ଷା 

ରାଣୀ ଶିଶୁକନ୍ୟାକୁ ଉତ୍ତମରୂପେ ସ୍ନାନ କରାଇ ରତ୍ନଦୋଳିରେ ଝୁଲାଇଲେ। ମାତ୍ର କନ୍ୟା ଆଦୌ ଆଖି ଫିଟାଇ ଚାହିଁଲା ନାହିଁ। କିଛି ଖାଦ୍ୟପାନୀୟ ଗ୍ରହଣ କଲାନି। କେବଳ ନିଶ୍ଚିନ୍ତ ହୋଇ ଶୋଇ ରହିଲା। ଏହା ଦେଖି ରାଜା ରାଣୀ ବହୁତ ଦୁଃଖୀ ହେଲେ ଓ ବିଭିନ୍ନ ଉପଚାର କରାଇଲେ। ସେଦିନ ରାଜା ଦୁଃଖୀଦରିଦ୍ର , ବ୍ରାହ୍ମଣଙ୍କୁ ଡକାଇ ବହୁତ ଧନ ଦାନ କଲେ। ପ୍ରଜାମାନେ ପ୍ରତି ଘରେ ସୁବର୍ଣ୍ଣ କଳସ ବସାଇ ବ୍ରତ ପାଳନ କଲେ। ଏହିପରି ଭାବେ କିଛିଦିନ ବିତିଗଲା। କିନ୍ତୁ କନ୍ୟାର ନିଦ ଭାଙ୍ଗିଲା ନାହିଁ। ଦିନେ ଦେବର୍ଷି ନାରଦଙ୍କୁ ଦେଖି ରାଜା ବୃଷଭାନୁ ଆରମ୍ଭରୁ ସବୁକଥା କହି ନିଜର ଦୁଃଖ ଜଣାଇଲେ। ରାଜାଙ୍କ କଥା ଶୁଣି ନାରଦ ଆଶ୍ଵାସନା ଦେଇ କହିଲେ ତୁମେ ଅତ୍ୟନ୍ତ ଭାଗ୍ୟବାନ ରାଜା। ସ୍ଵୟଂ ଲକ୍ଷ୍ମୀ ତୁମ ଘରେ ସନ୍ତାନ ରୂପରେ ଅଛନ୍ତି। ଏବେ ସେ ପରଂବ୍ରହ୍ମଙ୍କୁ ଲୟ ରଖି ଶୋଇଛନ୍ତି । ଯେବେ ନାରାୟଣ ଜନ୍ମନେବେ ସେତେବେଳେ ତାଙ୍କର ଆଖି ଫିଟିବ।

Advertisment

ରାଧାଙ୍କ ପାଖରେ କୃଷ୍ଣଜନ୍ମ ସମ୍ବାଦ 

ରାଜାଙ୍କୁ ନାରଦ ସାନ୍ତ୍ଵନା ଦେଇସାରିବା ପରେ କହିଲେ ଶିଶୁକନ୍ୟା ଯେଉଁଠାରେ ଶୋଇଛି ମୋତେ ସେଠାକୁ ନେଇଯାଅ ଏବଂ ମୁଁ ଥିବା ପର୍ଯ୍ୟନ୍ତ ସେଠାକୁ କେହି ଆସିବ ନାହିଁ। ଏପରି କହି ଦେବର୍ଷି ଶିଶୁକନ୍ୟା ନିକଟକୁ ଗଲେ। କନ୍ୟାକୁ ବିନମ୍ର ପ୍ରଣାମ କରି କହିଲେ ମା ଏପରି ଅନ୍ନ ଜଳ ନଛୁଇଁ ଶୋଇରହି କେଉଁ ମାୟା ଲଗେଇଛ। ତୁମ ପାଇଁ ରାଜା ରାଣୀ ଦୁହେଁ ବହୁତ ଦୁଃଖ ପାଇଲେଣି। ଏପରି ଆଉ ଶୋଇରୁହ ନାହିଁ ,କ୍ଷୀର ଖାଇ ଶିଶୁସୁଲଭ ଭାବ ତ୍ୟାଗ କର । ତୁମେ ଯାହା ପାଇଁ ଏପରି ଶୋଇରହିଚ ସେ ଆଉ ଅଳ୍ପ ଦିନ ମଧ୍ୟରେ କଂସକୁ ବିନାଶ କରିବା ପାଇଁ ମଥୁରାପୁରରେ ଦେବକୀ ଗର୍ଭରେ ରହିଲେଣି। ଆଉ କିଛି ଦିନ ପରେ ଏହି ଗୋପପୁରରେ ବଢ଼ିବେ। ତୁମକୁ ଛାଡ଼ି ପ୍ରଭୁ କଣ ରହିପାରିବେ! ଏହା ଶୁଣି ରାଧା ନାରଦଙ୍କୁ କହିଲେ ମୋ ସ୍ବାମୀ ଯଦି ମର୍ତ୍ତ୍ୟରେ ପହଞ୍ଚିଲେଣି  ତେବେ ଯାଅ ଦେବର୍ଷି ମୋ ପିତାମାତାଙ୍କୁ କୁହ ମୋତେ ଖାଇବାକୁ ଦେବେ । ଭୋକରେ ମୋ ଦେହ ଅବଶ ହେଇଗଲାଣି। ଏହା  ଜାଣିବା ପରେ ରାଜାରାଣୀ ଅପୂର୍ବ ଖାଦ୍ୟ ସବୁ ତିଆରି କରି ରାଧାଙ୍କ ନିକଟକୁ ନେଲେ। ରାଧା ନିଜ ପିତାମାତାଙ୍କୁ ଦେଖି ଦୋଳିରୁ ଉଠିଆସି ମାତାଙ୍କୁ କୁଣ୍ଢାଇ ଧରି ଖୁସିରେ ବହୁତ କଥା କହିଲେ ଏବଂ ଛୋଟ ଶିଶୁକନ୍ୟାରୁ ଯୁବତୀ ରୂପ ଧାରଣ କଲେ।

ରାଧାଙ୍କର ବିବାହ 

ରାଧା ଯୁବତୀ ରୂପ ଧାରଣ କରିବା ପରେ ରାଜା ତାଙ୍କର ବିବାହ ନିମନ୍ତେ ବରପାତ୍ର ଖୋଜିବାରେ ଲାଗିଲେ। ଗୋପପୁରରେ ଚନ୍ଦ୍ରସେଣା ନାମରେ ନୃପତି କୁଳର ଯୁବକ ଥିଲେ। ତାଙ୍କର ଧନଧାନ୍ୟ, ଗୁହାଳଭର୍ତ୍ତି ଗାଈ ଆଦି ଦେଖି ବୃଷଭାନୁ ତାଙ୍କ ସହିତ ରାଧାଙ୍କ ବିବାହ କରାଇଲେ। ସେ ଚନ୍ଦ୍ରସେଣା ଯଶୋଦାଙ୍କର ଲେଖାଯୋଖାର ଭାଇ ଓ କୃଷ୍ଣଙ୍କର ହିସାବରେ ମାମୁଁ ହୁଅନ୍ତି। ସେଥିପାଇଁ ରାଧାଙ୍କୁ କୃଷ୍ଣଙ୍କର ମାଇଁ ଭାବରେ ଅନେକ କାହାଣୀରେ କୁହାଯାଇଛି।

ଚନ୍ଦ୍ରସେଣା କିଏ 

ରାଧା ହେଉଛନ୍ତି ସ୍ଵୟଂ ଲକ୍ଷ୍ମୀ ସ୍ୱରୂପା କିନ୍ତୁ ସେ ନାରୟଣଙ୍କୁ ବିବାହ ନକରି ଚନ୍ଦ୍ରସେଣାଙ୍କୁ ବିବାହ କଲେ କାହିଁକି? ତାର କାରଣ କିଛି ଏହିପରି – ତ୍ରେତୟା ଯୁଗରେ ଦିନେ ମାତା ସୀତା ବନବାସ ସମୟରେ ରାମ, ଲକ୍ଷ୍ମଣ, ହନୁମାନ ତଥା ଅନ୍ୟ ବାନର ଓ ମୁନିଋଷି ମାନଙ୍କୁ ଖାଦ୍ୟ ପରଷୁଥିଲେ। ଏହି ସମୟରେ ଭକ୍ତ ହନୁମାନ ସୀତାଙ୍କ ପାଦକୁ ଚାହିଁ ମନରେ ଭାବିଲେ ଯେ ଏପରି ଏକ ନାରୀ ଯଦି ମୋର ଘରଣୀ ଭାବରେ ଥାଆନ୍ତା ତେବେ ସେ ମୋତେ ମଧ୍ୟ ସବୁବେଳେ ଖାଦ୍ୟ ପରଷି ଦିଅନ୍ତା। କେତେ ସୁଖରେ ଦିନ ବିତୁଥାନ୍ତା।ହନୁମାନଙ୍କ ମନକଥା ଜାଣି ସୀତା ତାଙ୍କୁ ସ୍ନେହରେ ଚାହିଁ କହିଲେ ବାବୁ ହନୁମାନ ତୁ ଯାହା ଚିନ୍ତା କରୁଚୁ ତାହା ଏ ଯୁଗରେ ପୂରଣ ହୋଇପାରିବ ନାହିଁ କିନ୍ତୁ ଦ୍ଵାପର ଯୁଗରେ ହୋଇପାରିବ। ସେଠାରେ ମୁଁ ରାଧା ନାମରେ ଥିବି, ତୁ ଚନ୍ଦ୍ରସେଣା ହୋଇ ଗୋପାଳ କୁଳରେ ଜନ୍ମ ହେବୁ। କିନ୍ତୁ ତୋର ପୁରୁଷତ୍ଵ ରହିବ ନାହିଁ। ତୁ କେବଳ ମୋତେ ଜଗିରହିଥିବୁ, ପ୍ରଭୁ ଆସିଲେ ଛାଡ଼ିଦେବୁ। ଏହି କାରଣରୁ ରାଧାଙ୍କର ବିବାହ ଚନ୍ଦ୍ରସେଣାଙ୍କ ସହ ହୋଇଥିଲା ଏବଂ ରାଧାଙ୍କର ପ୍ରକୃତ ମିଳନ କୃଷ୍ଣଙ୍କ ସହ ହୋଇଥିଲା।

ଅନ୍ୟ ମତରେ ରଧାଙ୍କର ଆବିର୍ଭାବ 

ଅନ୍ୟ ମତ ଅନୁସାରେ, ବୃଷଭାନୁ ରାବେଳୀ (ବର୍ଷାନା)ରୁ ଆସି ବୃନ୍ଦାବନରେ ରହିବାପରେ, ଏକ ଯଜ୍ଞ କରୁଥିଲେ। ସେହି ଯଜ୍ଞକୁଣ୍ଡ ନିକଟରୁ ତାଙ୍କୁ ରାଧା ପ୍ରାପ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ, ସମସ୍ତ ଦେବଦେବୀ ଏକାଠି ହୋଇ ବୃନ୍ଦାବନେଶ୍ୱରୀ ଭାବରେ କୃଷ୍ଣବଲ୍ଲଭା ରାଧାଙ୍କର ମହାଭିଷେକ କରାଇଥିଲେ। ସେହି ଅଭିଷେକରେ ସାବିତ୍ରୀ ପଦ୍ମମାଳ, ସଚ୍ଚି ସ୍ୱର୍ଣ୍ଣସିଂହାସନ, କୁବେରପତ୍ନୀ ମନୋରମା ରତ୍ନ ଅଳଂକାର, ବରୁଣ ପତ୍ନୀ ଗୌରୀ ଛତ୍ର, ପବନପତ୍ନୀ ନବା ନୂପୁର ଆଦି ଉପହାର ପ୍ରଦାନ କରି ତାଙ୍କୁ ଅଳଙ୍କୃତ କରିଥିଲେ। ଅଷ୍ଟସଖୀ ଲଳିତା, ବିଶାଖା, ଚିତ୍ରା, ରଙ୍ଗଦେବୀ, ତୁଙ୍ଗବିଦ୍ୟା, ଚମ୍ପକଲତା, ଇନ୍ଦୁଲେଖା ଓ ସୁଦେବୀ ତାଙ୍କର ସେବା କରିଥିଲେ।

ବ୍ରତ ପାଳନର କାହାଣୀ –

ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ପ୍ରଚଳିତ । ଏହି ବ୍ରତରେ ରାଧାଙ୍କ ଜନ୍ମବୃତ୍ତାନ୍ତ ବ୍ୟତୀତ ଅନ୍ୟ ଏକ ବ୍ରତକଥା ପଠିତ ହୁଏ । କାହାଣୀଟି ଏପରି ସତ୍ୟଯୁଗରେ ଗୋଟିଏ ବାରଙ୍ଗନା ଥିଲା । ତା’ନାମ ଲୀଳାବତୀ । ସେ ଥରେ ନିଜ ନଗରରୁ ଅନ୍ୟ ଏକ ନଗରକୁ ଯାଉଥିଲା , ବାଟରେ ଗୋଟିଏ ମନ୍ଦିର ଦେଖିଲା । ସେଠାରେ କେତେଜଣ ବୈଷ୍ଣବ ସନ୍ନ୍ୟାସୀ ରାଧାଷ୍ଟମୀ ବ୍ରତ କରୁଥିଲେ । ଧୂପ, ଦୀପ, ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଳଙ୍କାର ପିନ୍ଧାଇ ଶ୍ରୀ ରାଧାଙ୍କ ମୂର୍ତ୍ତିକୁ ପୂଜା କରୁଥିଲେ । ତା’ର ମନରେ ପରିବର୍ତ୍ତନ ଆସିଲା । ସେ ଏହି ବ୍ରତ କରିବ ବୋଲି ସଂକଳ୍ପ କଲା । ସଂକଳ୍ପ କରବାକ୍ଷଣି ତା’ର ସମସ୍ତ ପାପ ଦୂର ହୋଇଗଲା । ସେ ମୃତ୍ୟୁପରେ ବୈକୁଣ୍ଠକୁ ଗଲା।

ରାଧା ଅଷ୍ଟମୀ ବ୍ରତ ବିଧି 

‘ରାଧା’ ହେଉଛନ୍ତି ସଂସାରର ସମସ୍ତ ଦୁଃଖହରଣକାରୀ। ଏଥିପାଇଁ ରାଧାଙ୍କର ଆବିର୍ଭାବ ଦିନଟିକୁ ସମସ୍ତେ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି। ପ୍ରାତଃକାଳରୁ ବ୍ରତଚାରିଣୀମାନେ ଶଯ୍ୟାତ୍ୟାଗ କରି ନଦୀ ବା ପୋଖରୀରେ ଗାଧୋଇ ସାରି ଆସି ଏକ ସୁସଜ୍ଜିତ ପିଣ୍ଡି ତଳେ ମଣ୍ଡଳକାଟି ନୂଆ ଲୁଗାରେ ସଜାଇ ଏକ କଳସ ବସାଇଥାନ୍ତି। ରାଧାଙ୍କ ମୂର୍ତ୍ତିକୁ ପଞ୍ଚାମୃତରେ ସ୍ନାନକରାଇ, ନୂତନ ବସ୍ତ୍ର ପିନ୍ଧାଇ ଆସନରେ ବସାନ୍ତି। ବ୍ରାହ୍ମଣ ଆସି ଷୋଡ଼ଶ ଉପଚାରରେ ପୂଜାବିଧି ସଂପନ୍ନ କରି, ବିଭିନ୍ନ ପ୍ରକାରର ଫଳ, ମିଷ୍ଟାନ୍ନ ଆଦି ନୈବେଦ୍ୟ ଅର୍ପଣ କରିଥାନ୍ତି। ଏହାପରେ ବ୍ରତକଥା ଶୁଣାହୁଏ। ବ୍ରତଚାରୀମାନେ ସାରାଦିନ ଉପବାସ କରନ୍ତି ଏବଂ ସଂଧ୍ୟା ସମୟରେ ପୂଜା ସଂପନ୍ନ କରି ଥରେ ମାତ୍ର ଭୋଜନ କରନ୍ତି। ପରଦିନ ସଧବା ନାରୀମାନେ ବ୍ରାହ୍ମଣ ଭୋଜନ କରାଇ, ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ବ୍ରତ ଉଦ୍‌ଯାପନ କରିଥାନ୍ତି।

ଓଡ଼ିଶାରେ ମଧ୍ୟ ଏହି ଦିନଟିକୁ ମହାସମାରୋହରେ ପାଳନ କରାଯାଏ। ବିଶେଷକରି ପୁରୀର ବଡ଼ ଓଡ଼ିଆମଠ ଓ ସାତଲହଡ଼ି ମଠରେ ଏହିଦିନ ବିଶେଷ ଉତ୍ସବ ହୁଏ। କାରଣ ଏହି ଦିନଟି ‘ଶ୍ରୀମଦ୍ ଭାଗବତ’ର ରଚୟିତା ଜଗନ୍ନାଥ ଦାସଙ୍କର ଜନ୍ମଦିବସ।

ଯେଉଁଠି ରାଧା ସେଇଠି କୃଷ୍ଣ, ଯେଉଁଠି କୃଷ୍ଣ ସେଇଠି ରାଧା। ରାଧା ଓ କୃଷ୍ଣ କେବେ ଅଲଗା ଅଲଗା ନୁହନ୍ତି। ରାଧାକୃଷ୍ଣଙ୍କ ଉପାସନା ଭାରତୀୟ ହିନ୍ଦୁମାନେ ଅତି ଉତ୍କଣ୍ଠାର ସହିତ ପାଳନ କରନ୍ତି। କୁହାଯାଏ ରାଧାଙ୍କ ନାମ ସ୍ମରଣରେ ହିଁ ମୁକ୍ତି ମିଳେ। ରାଧାଙ୍କ ନାମ ଜପରେ କୃଷ୍ଣଙ୍କୁ ସନ୍ତୁଷ୍ଟ କରିହୁଏ।ଭକ୍ତିସହକାରେ ରାଧାଷ୍ଟମୀ ବ୍ରତ କଲେ ବୈକୁଣ୍ଠ ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି।

Advertisment
Related Articles
Advertisment