• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଉଠୁଛି ପଡୁଛି ପୂରା ପଶ୍ଚିମ ଓଡିଶା । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ । ତାପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇବେ । ଏହା ପୂର୍ବରୁ ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ସାରିଛି ପାହୁର ଭାର । ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ ଶୋଭାଯାତ୍ରା । ନୂଆଖାଇ ପୂର୍ବଦିନର ନିଆରା ପରମ୍ପରା ପାହୁର ଭାର ଅନୁଷ୍ଠିତ ହୋଇଥାଏ ।

ମାଆଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଥାଏ ଏହି ଭାରରେ । ନୂଆ ଧାନ, କୁରେଇ ପତ୍ର, ପଂଚାମୃତ, ମାଆଙ୍କ ଲାଗି ଚୁଡି, ଗହଣା, ଶାଢି ଆଉ ପନିପରିବା ଏଥିରେ ଥାଏ । ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର । ଦୁଇ ବର୍ଷର କରୋନା ମହାମାରୀ ପରେ ଏଥର ଧୁମଧାମରେ ନୂଆଁଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଘରମୁହାଁ ସଂପର୍କୀୟ ଓ ବନ୍ଧୁବାନ୍ଧବ ଯିଏ ଯେଉଁଠି , ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ଫେରୁଛନ୍ତି ।

ସେପଟେ କଳାହାଣ୍ଡି ଜିଲ୍ଲାରେ ଦୁଇ ଦିନ ନୂଆଁଖାଇ ପାଳନ ହୁଏ । ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲଗ୍ନରେ ନୂଆଖାଇ ହେବ । ତେବେ ପୁରପଲ୍ଲୀରେ ଆଜି ଭାଦ୍ରବ ପଞ୍ଚମୀ ତିଥିରେ ଦଧିବାମନଙ୍କ ଲଗ୍ନରେ ନୂଆଁଖାଇ ପାଳନ ହେଉଛି । ସକାଳ ୭ଟା ୧୨ରୁ ୭ଟା ୨୬ ମିନିଟ୍ ମଧ୍ୟରେ ଦଧିବାମନଙ୍କପାଖରେ ନବାନ୍ନ ଲାଗି ହୋଇଛି । ଏହାପରେ ଦିନ ୧୦.୩୦ରୁ ୧୧.୩୦ ମଧ୍ୟରେ ଲୋକେ ନବାନ୍ନଭକ୍ଷଣ କରିବେ ।

ସେହିପରି ନୂଆଁଖାଇ ପାଇଁ ବସରେ ପ୍ରବଡ଼ ଭିଡ଼ ଦେଖିବାକୁ ମିଳିଛି । ଏହି ଗଣପର୍ବରେ ସାମିଲ୍ ହେବାକୁ ଭୁବନେଶ୍ୱରରୁ ପଶ୍ଚିମ ଓଡ଼ିଶାକୁ ବସରେ ଯାଇଛନ୍ତି ଶହ ଶହ ପଶ୍ଚିମ ଓଡ଼ିଶାବାସୀ । ନୂଆଁଖାଇରେ ନିଜ ଘରେ ନୂଆଖାଇ ଜୁହାର ଭେଟଘାଟ କରି ପର୍ବ ପାଳନ ପାଇଁ ରହିଛି ଅନେକ ଇଚ୍ଛା । ଏଥିପାଇଁ ଗତକାଲି ରାତିରେ ଭୁବନେଶ୍ୱରରୁ ଯାଉଥିବା ସବୁ ବସରେ ଦେଖିବାକୁ ମିଳିଥିଲା ଭିଡ଼ ।