• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଉଠୁଛି ପଡୁଛି ପୁରା ପଶ୍ମିମ ଓଡିଶା । ଆସନ୍ତାକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ । ତାପରେ ଘରେ ଘରେ ଲୋକେ ନୂଆ ଖାଇବେ । ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଁଞ୍ଚି ସାରିଛି ପାହୁର ଭାର । ସେପଟେ ଦୁଇ ବର୍ଷର କରୋନା ମହାମାରୀ ପରେ ଏଥର ଧୁମଧାମରେ ନୂଆଁଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । 

ଢୋଲ, ନିଶାନ୍‌ର ତାଳେ ତାଳେ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମାଆଙ୍କ ପାଖକୁ ବାହାରିଥିଲା ପାହୁର ଭାର । ନୂଆଁଖାଇ ପୂର୍ବଦିନର ଏହା ହେଉଛି ନିଆରା ପରମ୍ପରା । ମାଆଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଛି ଏହି ଭାରରେ । ନୂଆ ଧାନ, କୁରେଇ ପତ୍ର, ପଂଚାମୃତ, ମାଆଙ୍କ ଲାଗି ଚୁଡି, ଗହଣା, ଶାଢ଼ି ଆଉ ପନିପରିବା । ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର ।

କାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ନବାନ୍ନ ଲାଗି ହେବ । ଏହାପରେ ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଲୋକେ ଘରେ ଘରେ ନୂଆ ଖାଇବେ । ନୂଆଁଖାଇ ପାଇଁ ମାଆ ସମଲେଇଙ୍କ ମନ୍ଦିରରେ ସରିଛି ପ୍ରସ୍ତୁତି । ପରମ୍ପରା ଅନୁସାରେ ଆଜି ମନ୍ଦିରରେ ଥିବା ପାର୍ଶ୍ୱ ଦେବଦେବୀଙ୍କୁ ଦିଆଯାଇଛି ସିନ୍ଦୁର ଲେପ । ମାଆଙ୍କ ଅଳଙ୍କାରଗୁଡିକୁ ସଫା କରାଯାଇଛି ।

ନୂଆଁଖାଇ ପାଇଁ ଏଥର ନାହିଁ ନଥିବା ଉତ୍ସାହ । ଘରମୁହାଁ ସଂପର୍କୀୟ ଓ ବନ୍ଧୁବାନ୍ଧବ । ଯିଏ ଯେଉଁଠି, ଯେତେ ଦୂରରେ ଥିଲେ ଗାଁକୁ ଫେରୁଛନ୍ତି । ପୁରା ପରିବାର ସହ ପହଁଚିଛନ୍ତି ଉତ୍ସବ ମନାଇବାକୁ । ଦୁଇ ବର୍ଷ ହେଲା ନୂଆଁଖାଇ ଉତ୍ସାହରେ ବେଡ଼ି ଲଗାଇଥିଲା କରୋନା ମହାମାରୀ । ଏଥର ସ୍ଥିତି ସ୍ୱାଭାବିକ, କଟକଣା ବି ନାହିଁ । ତେଣୁ ଧୁମଧାମରେ ପାଳନ ହେବ ପଶ୍ଚିମ ଓଡିଶାର ଏହି ଗଣପର୍ବ ।