• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ଆଜି ଧୂମଧାମରେ ପାଳିତ ହୋଇଛି ବିଜୟା ଦଶମୀ । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀରେ ମଣ୍ଡପରେ ଶେଷ ପୂଜାର୍ଚ୍ଚନା ପରେ ଅନୁଷ୍ଠିତ ହୋଇଛି ବିସର୍ଜନ ନୀତି । ଏହାସହ ଆଜି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ନିକଟରେ ଦହି ପଖାଳ ଲାଗି ସାଙ୍ଗକୁ ଆଉ କିଛି ସ୍ଥାନରେ ବଙ୍ଗୀୟ ପରମ୍ପରାରେ ସିନ୍ଦୂରଖେଳ ବି ଦେଖିବାକୁ ମିଳିଛି ।

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ, ମେଲାଣି ଅପେକ୍ଷାରେ ମାଆ । ଆଜି ପବିତ୍ର ବିଜୟା ଦଶମୀରେ ଚଳଚଞ୍ଚଳ ହୋଇଉଠିଥିଲା ସମସ୍ତ ପୂଜା ମଣ୍ଡପ । ସକାଳୁ ସକାଳୁ ଟୁଇନ୍ ସିଟିର ପ୍ରାୟ ସବୁ ମଣ୍ଡପରେ ଜମିଥିଲା ଭକ୍ତଙ୍କ ଅସମ୍ଭବ ଗହଳି । ବିଜୟା ଦଶମୀରେ ଆଜି ପ୍ରଥମେ ମଙ୍ଗଳ ଆଳତି, ଗୁରୁପୂଜା. ଅପରାଜିତା ଆଦି ପଞ୍ଚ ଉପଚାର ପୂଜା ପରେ ମାଆଙ୍କୁ ମେଲାଣି ପୂର୍ବରୁ ଅନୁଷ୍ଠିତ ହୋଇଛି ବିସର୍ଜନ ନୀତି ।

କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା । ଯାହାକୁ ପାଇବାକୁ ଦୂରଦୂରାନ୍ତ ଛୁଟି ଆସିଥିଲେ ଭକ୍ତ ।

ଏଣେ ବିଜୟା ଦଶମୀରେ ମାଆଙ୍କ ନିକଟରେ ବଙ୍ଗୀୟ ପରମ୍ପରାରେ ସିନ୍ଦୂର ଖେଳର ଝଲକ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । କଟକ, ସମ୍ବଲପୁର ଓ ରାଉରକେଲା ଆଦି ସହରରେ ବିଭିନ୍ନ ପୂଜା ମଣ୍ଡପରେ ମହିଳାମାନେ ମାଆଙ୍କ ମଥାରେ ସିନ୍ଦୂର ଲେପି ନିଜର କନ୍ୟା ଭଳି ବିଦାୟ ଜଣାଇଥିଲେ। ପରେ ପରେ ସିନ୍ଦୂର ଖେଳରେ ମାତିଥିଲେ ସଧବା ନାରୀ ।

ବିଜୟା ଦଶମୀରେ ଆଜି ଦେଶର ବିଭିନ୍ନ ସ୍ଥାନରେ ପରମ୍ପରା ଅନୁସାରେ ଶସ୍ତ୍ରପୂଜା ଉତ୍ସବ ପାଳନ ହୋଇଛି । କ୍ଷତ୍ରୀୟ ଓ ଯୋଦ୍ଧା ସଂପ୍ରଦାୟ ପକ୍ଷରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ସହ ପୂଜା କରାଯାଇଛି । ଏହି ଅବସରରେ ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅରୁଣାଚଳ ପ୍ରଦେଶର ତାୱଙ୍ଗ ଯାଇ ସେଠାରେ ସେନାର ଯବାନଙ୍କ ସହ ଶସ୍ତ୍ର ପୂଜାରେ ସାମିଲ ହୋଇଥିଲେ ।

ବିଜୟା ଦଶମୀରେ କର୍ଣ୍ଣାଟକର ଐତିହ୍ୟ ସହର ମହିଶୁର ରାଜବାଟୀରେ ଦଶରାର ସ୍ୱତନ୍ତ୍ର ଆକର୍ଷଣ ହାତୀ ସବାରୀ ଦେଖିବାକୁ ମିଳିଛି । ଏହି ଅବସରରେ ୫ କିଲୋମିଟର ବ୍ୟାପୀ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ଆକର୍ଷଣୀୟ ବ୍ୟାଣ୍ଡ୍ ପରିବେଷଣ କରାଯାଇଥିଲା । ଯେଉଁଥିରେ ୫ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।